କବିସୂର୍ଯ୍ୟନଗର: ଦିନେ କି ଦୁଇଦିନ ନୁହେଁ ଗତ ୨ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ମାନେ ଆସୁ ନାହାନ୍ତି। କିନ୍ତୁ ପଞ୍ଜୀକରଣ ଖାତାରେ୨୫ରୁ ଅଧିକ ଶିଶୁଙ୍କ ନାମ ରହିଛି। କେତେବେଳେ ୨ ଜଣ ତ, ଆଉ କେତେବେଳ ୪ ଜଣ ପିଲା କେନ୍ଦ୍ରକୁ ଆସୁଛନ୍ତି। ଆଉ ଗତ ମାସେ ହେଲା ଅଙ୍ଗନବାଡ଼ି କେନ୍ଦ୍ରକୁ କେହି ଶିଶୁ ଆସୁ ନାହାନ୍ତି। ଏଭଳି ସ୍ଥିତିରେ ପିଲାଙ୍କ ପାଇଁ କେନ୍ଦ୍ରକୁ ଆସୁଥିବା ଡାଲି, ଚାଉଳ, ଅଣ୍ଡା ଓ ଛତୁଆ କୁଆଡ଼େ ଯାଉଛି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ରରେ କାମ କରୁଥିବା କର୍ମୀ, ସହାୟକ, ଆଶା ଓ ପାଚିକା ଗୋଟିଏ ପରିବାରର ହୋଇଥିବାରୁ ସେମାନେ ମିଳିମିଶି ଏହାକୁ ହଡ଼ପ କରୁଥିବା ସଙ୍ଗିନ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ କନିଆରୀ ପଞ୍ଚାୟତ କୁଶପଲ୍ଲୀରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। କୁଶପଲ୍ଲୀରେ ଅନୁସୂଚିତ ଜାତି ବର୍ଗର ୮୫ ପରିବାର ରହୁଛନ୍ତି। ସେମାନଙ୍କ ପିଲାଙ୍କ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଏଥିରେ ୨୫ ଜଣରୁ ଅଧିକ ଶିଶୁ ପଞ୍ଜୀକୃତ ହୋଇଛନ୍ତି।

Advertisment

ହେଲେ ଗତ ୨ ବର୍ଷ ହେଲା ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ନିୟମିତ ପିଲାମାନେ ଆସୁନାହାନ୍ତି। ସେମାନଙ୍କୁ କେନ୍ଦ୍ରକୁ ଆଣିବା ଲାଗି କୌଣସି ଉଦ୍ୟମ ହେଉ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି। ଗ୍ରାମର ସମସ୍ତେ ଦିନମଜୁରିଆ ହୋଇଥିବାରୁ ସମସ୍ତେ ଘରେ ରହି ନଥା’ନ୍ତି। ଫଳରେ ଏଭଳି ଅବ୍ୟବସ୍ଥା ପ୍ରତି ଅଭିଭାବକ ମାନେ ଧ୍ୟାନ ଦେଇ ପାରନ୍ତି ନାହିଁ ବୋଲି ପରିଚାଳନା କମିଟି ସଭାପତି ପୂଜା ନାହାକ, ସଦସ୍ୟ ପ୍ରଦୀପ ନାହାକ, ଶଙ୍କର ନାହାକ, ଲିଲି ନାହାକ, ରୀନା ନାହାକ ଓ ଡମ୍ବରୁଧର ନାହାକ ଅଭିଯୋଗ କରିଛନ୍ତି। ଗୋଟିଏ ପରିବାରରୁ କିପରି ୪ ଜଣ ନିଯୁକ୍ତି ପାଇଲେ ସେନେଇ କେହି ମଧ୍ୟ ଜାଣନ୍ତି ନାହିଁ। ଯାଞ୍ଚ କମିଟି କେବଳ ନାମକୁ ମାତ୍ର ରହିଛି। ଅନ୍ୟପଟେ ଏନେଇ ସିଡିପିଓ କହିଛନ୍ତି, ମୋ’ ପାଖକୁ ମାସେ ହେଲା ଅଭିଯୋଗ ଆସିଛି। ମୁଁ ଆଜି ତଦନ୍ତ ପାଇଁ ଆସିଥିଲି ଓ ନିୟମ ପ୍ରକାରେ ସମସ୍ତ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ମାସେ ହେଲା ପିଲାମାନେ କିଛି ନେଉନାହାନ୍ତି କି କେନ୍ଦ୍ରକୁ ଆସୁନାହାନ୍ତି। ତେବେ ଯଦି ବେଆଇନ ଭାବେ ଦସ୍ତଖତ କରି କିଛି ହେରଫେର କରାଯାଇଥିବା ଜଣାପଡ଼େ ତା’ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।