ଚନ୍ଦ୍ରପୁରର ବିକାଶ ଦାୟିତ୍ବ କାହାର?

ସ୍ବାଧୀନତାର ୭ ଦଶନ୍ଧି ପରେ ବି ମୌଳିକ ସୁବିଧା ସୁଯୋଗ ଅପହଞ୍ଚ

ରାୟଗଡ଼ା : ଜରୁରୀ ସେବା ଯୋଗାଇବାକୁ ନା ଅଛି ମୋବାଇଲ୍ ନେଟୱର୍କ, ନା ଟଙ୍କା ଉଠାଣ ପାଇଁ ଅଛି ଏଟିଏମ୍। ଇଣ୍ଟରନେଟ୍ ସେବା ସ୍ବପ୍ନ ପାଲଟିଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ ଦିନକୁ ଛାଡ଼ିଲେ ସରକାରୀ ଦପ୍ତରରେ ଦିନ ଦିନ ଧରି ଅଧିକାରୀଙ୍କ ଦେଖା ମିଳୁନି। ଏପଟେ ବିକାଶ ନାଁରେ ସରକାରୀ ଯୋଜନାରେ ଜାଲ୍ ହିତାଧିକାରୀଙ୍କ ଜରିଆରେ ଚାଲିଛି ଆଖିବୁଜା ଦୁର୍ନୀତି।

ଏ ଚିତ୍ର ହେଉଛି ମାଓ ପ୍ରଭାବିତ ତଥା ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ୧୫୦ କିମି ଦୂରରେ ଥିବା ଚନ୍ଦ୍ରପୁରର। ଉପାନ୍ତ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାର ଅଭାବ ନାହିଁ। ହେଲେ ସ୍ବାଧୀନତାର ୭ ଦଶନ୍ଧି ପରେ ବି ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ବ୍ଲକବାସୀ। କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ତାଲିକାରେ ରାୟଗଡ଼ା ସାମିଲ୍ ସତ୍ତ୍ବେ ଅପହଞ୍ଚ ଇଲାକାରେ ବିକାଶ ବାଟ ହୁଡ଼ିବା ଜିଲ୍ଲା ପ୍ରଶାସନର ଗୋଲାପି ବିକାଶ ନକ୍ସା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ପ୍ରମାଣିତ କରୁଛି।

୮ଟି ପଞ୍ଚାୟତ, ୧୨୯ଟି ଗ୍ରାମକୁ ନେଇ ଗଠିତ ଚନ୍ଦ୍ରପୁର ବ୍ଲକ୍। ୨୦୧୧ ଜନଗଣନା ଅନୁସାରେ ବ୍ଲକର ଜନସଂଖ୍ୟା ୨୮ ହଜାର ୯୧୨। ଏବେ ତାହା ୪୦ ହଜାରକୁ ଟପିଲାଣି। ବ୍ଲକ୍ ସଦର ମହୁକମାରେ ବ୍ଲକ୍, ତହସିଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ସରକାରୀ ଅଫିସ୍, ଥାନା ଓ ସିଆରପିଏଫ୍ କ୍ୟାମ୍ପ ରହିଛି। ଏଥି ସହିତ ଦୁଇଟି ସରକାରୀ କଲେଜ, ୪ଟି ହାଇସ୍କୁଲ୍, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ ରହିଛି। ହେଲେ ମୋବାଇଲ୍ ନେଟୱର୍କ ଥିବାରୁ ସରକାରଙ୍କ ସମସ୍ତ ବ୍ୟବସ୍ଥା ଚନ୍ଦ୍ରପୁରରେ ଫେଲ୍ ମାରିଛି। ସରକାରୀ ଭାବେ ଯଦିଓ ବିଏସଏନ୍ଏଲ୍ ଟାୱାର ଅଛି ହେଲେ ମାସର ୨୫ ଦିନ କାମ କରୁନି। ବ୍ଲକ୍ ସଦର ମହକୁମାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଜାତୀୟ ସ୍ତରର ବ୍ୟାଙ୍କ ଭଳି ଲୋକଙ୍କୁ ସେବା ପ୍ରଦାନ କରିପାରୁନି। ଏଟିଏମ୍ ସେବା ଯୋଗାଇବା ଲକ୍ଷ୍ୟରେ ବ୍ୟାଙ୍କ ପକ୍ଷରୁ ନିର୍ମିତ ଏଟିଏମ୍ ଗୃହ ୫ ବର୍ଷ ହେଲା କାର୍ଯ୍ୟକାରୀ ହୋଇପାରୁନି। ଟଙ୍କା ଦେଣନେଣ, ବ୍ୟାଙ୍କ ଡ୍ରାଫଟ୍, ଏଟିଏମ୍ ସେବା ପାଇଁ ଲୋକଙ୍କୁ ୨୦ କିମି ଦୂର ହନୁମନ୍ତପୁର ଷ୍ଟେଟ ବ୍ୟାଙ୍କକୁ ଯିବାକୁ ପଡ଼ୁଛି। ଆବଶ୍ୟକତାଠୁ ଅଧିକ ଲୋକ ବ୍ୟାଙ୍କ ଉପରେ ନିର୍ଭର କରୁଥିବାରୁ ଜରୁରୀ କାମରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚନ୍ଦ୍ରପୁର ଗାଁ ତଟ ଦେଇ ଚାଉଳଧୂଆ, ହନୁମନ୍ତପୁର ଦେଇ ଫଳଫଳିଆ, ଡାଙ୍ଗସୋରଡ଼ା ଦେଇ ବଂଶଧାରା ନଦୀ ପ୍ରବାହିତ ହେଉଛି। ୩ ନଦୀର ଜଳରେ କନ୍ଧମାଳ, ଗଜପତି, କଳହାଣ୍ଡି ଜିଲ୍ଲାର ଏକର ଏକର ଜମିରେ ସୁନାର ଫସଲ ହେଉଥିବା ବେଳେ ଚନ୍ଦ୍ରପୁରର ଚାଷଜମି ପାଇଁ ଉଠାଜଳସେଚନର କୌଣସି ବ୍ୟବସ୍ଥା ନାହିଁ। ରାୟଗଡ଼ାରୁ ଚନ୍ଦ୍ରପୁରକୁ ଚଳାଚଳ କରୁଥିବା ସରକାରୀ ବସ୍ କରୋନା ପରଠାରୁ ବନ୍ଦ ରହିଛି। ବେସରକାରୀ ବସ୍ ଭୁବନେଶ୍ବର, ଗୁଡ଼ାରି, ଗୁଣପୁର, ମୁନିଗୁଡ଼ା ଓ ରାୟଗଡ଼ାକୁ ଚଳାଚଳ କରୁଛି। କୌଣସି ସମସ୍ୟା ପାଇଁ ବସ୍ ନ ଆସିଲେ ଯାତାୟତ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍। ସରକାରୀ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ମଧ୍ୟ ସମାନ୍ ଅବସ୍ଥା। ଇଣ୍ଟରନେଟ୍ ସୁବିଧା ନଥିବାରୁ ବ୍ଲକର ଅଧିକାଂଶ କାମ ମୁନିଗୁଡ଼ାରେ ହେଉଛି। ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚୁନଥିବାରୁ ବିକାଶ ନାଁରେ ଦୁର୍ନୀତି ସୀମା ଟପିଛି। ନିକଟରେ କୃଷି ଯନ୍ତ୍ରପାତି କିଣା ରିହାତି ଟଙ୍କାକୁ ଜାଲ୍ ଦସ୍ତଖତ ମାଧ୍ୟମରେ ଅଧିକାରୀ ଉଠାଇ ନେଇଥିବା ବେଳେ ଆବାସ, ମନରେଗା, ବିଦ୍ୟୁତକରଣ, ପାନୀୟ ଜଳ ଯୋଗାଣ, ସ୍ବଚ୍ଛ ଭାରତ ଅଭିଯାନରେ ବ୍ଲକରେ ବଡ଼ ଧରଣର ଦୁର୍ନୀତି ହୋଇଛି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେଉନଥିବାରୁ ଉପାନ୍ତ ଚନ୍ଦ୍ରପୁରର ବିକାଶ ଦାୟିତ୍ବ କାହାର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର