ଜଗତସିଂହପୁର ଟାଉନ୍: କରୋନା ସମୟରେ ଉଜୁଡ଼ି ଯାଇଥିବା ପର୍ଯ୍ୟଟନ ଶିଳ୍ପକୁ ପୁର୍ନଃଜୀବିତ କରିବାକୁ ସରକାର ପ୍ରୟାସ କରୁଛନ୍ତି। ଉପକୂଳ ଜିଲ୍ଲାମାନଙ୍କରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଇକୋ–ରିଟ୍ରିଟ୍। ବେଳାଭୂମିରେ ବିଳାସପୂର୍ଣ୍ଣ ରହଣୀ ସାଙ୍ଗକୁ ସୁସ୍ବାଦ ଖାଦ୍ୟ ପସରା ଓ ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ହଜାର ହଜାର ପର୍ଯ୍ୟଟକ ଇକୋ–ରିଟ୍ରିଟ୍‌କୁ ଟାଣି ହୋଇ ଯାଉଛନ୍ତି। ସୂଚନା ମୁତାବକ ରାଜ୍ୟରେ ୭ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହୋଇଛି। ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର ପେଣ୍ଠ ଓ ପୁରୀ ଜିଲ୍ଲାର କୋଣାର୍କ ଇକୋ-ରିଟ୍ରିଟ୍‌ କରାଯାଇଛି। ହେଲେ ଜଗତସିଂହପୁର ଜିଲ୍ଲାକୁ ଯେମିତି କୋଣଠେସା କରାଯାଇଛି। ପ୍ରଶାସନ, ପର୍ଯ୍ୟଟନ ବିଭାଗ, ଜନ ପ୍ରତିନିଧି ଓ ରାଜ୍ୟ ସରକାର କାହାର ସାମାନ୍ୟତମ ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି। ଫଳରେ ବାଣୀକ୍ଷେତ୍ରର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଆଘାତ ପହଚିଂଛି। ପର୍ଯ୍ୟଟନ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାର ଉପକୂଳରେ ଥିବା ସମ୍ଭାବନାକୁ ସରକାର ଆଖି ବୁଜି ଦେଇଛନ୍ତି। ବେଳାଭୂମି ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଗତସିଂହପୁର ଉପକୂଳକୁ ପ୍ରତିଦିନ ହଜାରହଜାର ପର୍ଯ୍ୟଟକ ଆସୁଛନ୍ତି। ନୂଆ ନୂଆ ବେଳାଭୂମିର ସନ୍ଧାନ କରୁଛନ୍ତି। ସେଠାରେ ଥିବା ସମ୍ଭାବନାକୁ ଜନସାଧାରଣଙ୍କ ସାମ୍‌ନାକୁ ଆଣୁଛନ୍ତି। ହେଲେ ନୂଆ କି ପୂରୁଣା କୌଣସି ବେଳାଭୂମିକୁ ବିକଶିତ କରାଯାଇ ପାରୁନାହିଁ। ଗତ ବର୍ଷ ଏମଜିଏମ୍ ଗ୍ରୁପ୍ ଓଡ଼ିଶା ଲୁଚି ରହିଥିବା ଉପକୂଳ ବେଳାଭୂମିକୁ ନେଇ କରିଥିବା କ୍ୟାଲେଣ୍ତରେ ଜଗତସିଂହପୁର ଜିଲ୍ଲାର ସୌନ୍ଦର୍ଯ୍ୟ ଭରା ଚାରୋଟି ସ୍ଥାନ ପାଇଛି। ଜଗତସିଂହପୁର ଜିଲ୍ଲାର ଚାରୋଟି ବେଳାଭୂମି ମଧ୍ୟରେ ଏରସମା ବ୍ଳକ ଆମ୍ବିକି ପଂଚାୟତରେ ଥିବା ଜଟାଧାରୀ ତଣ୍ତା, ପଦ୍ମପୁରର ରାମତରା, ଡ଼ିଙ୍କିଆର ଅଭୟଚାନ୍ଦପୁର ଏବଂ ବାଲିକୁଦା ବ୍ଳକ୍ ମରିଚିପୁରର ମରିଚିପୁର ବେଳାଭୂମିକୁ ସ୍ଥାନ ଦିଆଯାଇଛି। ଲୁଚି ରହିଥିବା ଏହି ବେଳାଭୂମି ଲୋକଲୋଚନକୁ ଆସିଛି। ଯାହା ଜିଲ୍ଲାବାସୀଙ୍କୁ ଖୁସି ଦେଇଛି ସତ କିନ୍ତୁ ପର୍ଯ୍ୟଟନ ବିଭାଗର ସ୍ଥଣୁତା ତା’ ଠାରୁ ଅଧିକ କଷ୍ଟ ଦେଉଛି।

Advertisment

କରୋନା ସମୟରେ ଛୋଟ ଛୋଟ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରି ସେଠାରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବାକୁ ସରକାର ସ୍ବପ୍ନ ଦେଖାଇଲେ। ହେଲେ ନୂଆ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବେ କ’ଣ ପୂର୍ବରୁ ଜଣାଥିବା ପାରାଦୀପ, ଶିଆଳି, ବନ୍ଦର, ହୁକିଟୋଲା ଭଳି ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳିତ କରିଛନ୍ତି। ପାରାଦୀପଠାରୁ ବନ୍ଦର ପର୍ଯ୍ୟନ୍ତ ଥିବା ପ୍ରାୟ ୪୬ କିମିର ବେଳାଭୂମିକୁ ଯଦି ବିକାଶିତ କରାଯିବ ତେବେ ଏହା ଗୋଆ ଠାରୁ କୌଣସି ଗୁଣରେ କମ୍ ନୁହେଁ। ତେବେ କେନ୍ଦ୍ରାପଡ଼ାର ପେଣ୍ଠରେ ଯଦି ଇକୋ–ରିଟ୍ରିଟ୍ କରାଯାଇ ପାରୁଛି ତେବେ ଜଗତସିଂହପୁରର ଉପକୂଳରେ କାହିଁକି ଇକୋ–ରିଟ୍ରିଟ୍ କରାଯିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବିଶେଷ କରି ବନ୍ଦର, ପାରାଦୀପ, ଶିଆଳି ବେଳାଭୂମିରେ ଇକୋ ରିଟ୍ରିଟ୍ କରିବାକୁ ଅନେକ ସୁଯୋଗ କରଯିଛି। ସରକାର ଦୀର୍ଘ ଦିନ ଧରି ଜିଲ୍ଲାରେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତି କରୁନାହାନ୍ତି। ଆବଶ୍ୟକ କର୍ମଚାରୀ ନାହାନ୍ତି। ପର୍ଯ୍ୟଟନର ବିକାଶ ପାଇଁ ପାଣ୍ଠି ନାହିଁ କି ଅଧିକାରୀ ରାଜନେତାଙ୍କ ଆଗ୍ରହ ବି ନାହିଁ। ରାଜ୍ୟରେ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ବିଜେଡି ତାର ବିଜୟ ବାନା ଉଡାଇଛି। ହେଲେ ଜଗତସିଂହପୁର ଜିଲ୍ଲାକୁ ଏତେ ଅବହେଳା କାହିଁକି କରାଯାଉଛି ବୋଲି ସାଧାରଣ ଲୋକ କ୍ଷୋଭର ସହ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ସାମାନ୍ୟତମ ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି। ଉପକୂଳ ଜାତୀୟ ରାଜପଥ ମଧ୍ୟ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ ଉଠୁଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବାକୁ ଦାବି ଉଠୁଛି।