ଯାଜପୁରସଦର: ଏବେ ସବୁଠି ଚକ୍ଷୁ ସଂକ୍ରମଣ ରୋଗ ଦେଖା ଦେଇଛି। ସତର୍କତା ଅବଲମ୍ବନ କରି ନିୟମିତ ଔଷଧ ଖାଇଲେ ଏହା ୨ ଦିନ ମଧ୍ୟରେ ଭଲ ହେବବୋଲି ବିଷେଷଜ୍ଞମାନେ ମତ ଦେଇଛନ୍ତି। ହେଲେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ପ୍ରତିଦିନ ବହୁ ଆଖିଧରା ରୋଗୀଙ୍କ ଭିଡ଼ ଲାଗୁଛି। ତେବେ ଚକ୍ଷୁ ରୋଗ ବିଶେଷଜ୍ଞ ସଂକ୍ରମଣକୁ ନେଇ ଭୟଭୀତ ନହେବା ସହ ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି।
ପ୍ରକାଶ ଯେ, ବର୍ଷାଦିନ ଯୋଗୁଁ ଆଖିଧରା ସଂକ୍ରମଣ ବୃଦ୍ଧି ପାଇଛି। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବିଶେଷ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ବେଶୀ ଆକ୍ରାନ୍ତ ହେଉଛନ୍ତି। ସଂକ୍ରମିତ ପିଲାମାନେ ସ୍କୁଲ ଆସୁନଥିବାରୁ ବହୁ ସ୍କୁଲ୍ରେ ଉପସ୍ଥାନ ଅଧାରୁ ଅଧିକ କମି ଯାଇଛି। ସାମାନ୍ୟ ଅସାବଧାନ ହେଲେ ବହୁଦିନ ପର୍ଯ୍ୟନ୍ତ ଚକ୍ଷୁ ସଂକ୍ରମିତ ହୋଇ ରହିବାର ଭୟ ଥିବାରୁ ଲୋକମାନେ ଡାକ୍ତରଖାନାରେ ଭିଡ଼ ଲଗାଉଛନ୍ତି। ତେବେ ସଂକ୍ରମିତ ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ସହ ରୋଗୀ ବ୍ୟବହାର କରୁଥିବା ରୁମାଲ, ଚଷମା, ଗାମୁଛା ଇତ୍ୟାଦି ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଏହି ରୋଗ ସଂପର୍କରେ ଯାଜପୁରର ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ରାଜକିଶୋର ପଣ୍ଡାଙ୍କୁ ପଚାରିବାରୁ, ରୋଗର ଲକ୍ଷଣ ଦେଖାଗଲେ ଭୟଭୀତ ନହୋଇ କିପରି ଏହା ଏକାଧିକ ଲୋକଙ୍କୁ ସଂକ୍ରମିତ ନହୁଏ ସେଥିପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/22-5.jpg)