ଛେଣ୍ଡିପଦା: ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ କୋଶଳା ଟାୱାର ନିକଟରେ ପିକ୍ଅପ୍ ଧକ୍କାରେ ବାଇକ ଆରୋହୀ ସ୍ୱାମୀ ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀ ମୃତ୍ୟୁବରଣ କରିଛନ୍ତି। ବାଇକକୁ ଧକ୍କା ଦେଇ ପିକ୍ଅପ୍ ଘଟଣାସ୍ଥଳରୁ ଫେରାର ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ଅପରାହ୍ନ ସାଢ଼େ ୪ଟା ବେଳକୁ ବାଇକ (ଓଡ଼ି-୧୯-ଇ-୬୨୬୦)ରେ ବଅଁରପାଳ ଥାନା ତୁଳସୀପାଳ ଗ୍ରାମର ପ୍ରମୋଦ କୁମାର ମହାପାତ୍ର(୪୯) ପତ୍ନୀ ଶାନ୍ତିଲତା(୪୫)ଙ୍କୁ ବାଇକ ପଛରେ ବସେଇ ଶ୍ୱଶୁରଘର ପୋଡାପଡାରୁ ନିଜ ଘରକୁ ଫେରୁଥିଲେ। ଫେରିବା ବାଟରେ କୋଶଳା ଟାୱାର ନିକଟରେ ବାଇକକୁ ପଛରୁ ଯାଉଥିବା ପିକଅପ (ଓଆର-୦୫-ଏଭି-୬୦୨୭) ଧକ୍କା ଦେଇ ଫେରାର ହୋଇଥିଲା। ଦୁର୍ଘଟଣାରେ ବାଇକ ଚୁରମାର ହୋଇଥିବା ବେଳେ ରାସ୍ତାରେ ଗୁରୁତର ଆହତ ହୋଇ ପଡିରହିଥିଲେ।
ଖବରପାଇ ୧୦୮ ଆମ୍ବୁଲାନ୍ସ ଓ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚିବା ବେଳକୁ ପତ୍ନୀ ଶାନ୍ତିଲତା ମୃତ୍ୟୁବରଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ୱାମୀ ପ୍ରମୋଦଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶାନ୍ତିଲତା ଛେଣ୍ଡିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଚାର୍ଯ୍ୟା ଭାବେ ଥିବାବେଳେ ତାଙ୍କର କିଛିମାସ ପୂର୍ବରୁ ବଅଁରପାଳ ଶିଶୁମନ୍ଦିରକୁ ବଦଳି ହୋଇଥିଲା। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରୁ ବାଇକ ଜବତ କରି ଘଟଣାର ତଦନ୍ତ ଚଳେଇଛି।