ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଁଳାଭଟା ପଞ୍ଚାୟତ ଟିଙ୍ଗୋପକାନ ଗାଁରେ ସ୍ବାମୀର ଚାପୁଡ଼ା ମାଡ଼ରେ ସ୍ତ୍ରୀ ମୃତ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଟିଙ୍ଗୋପକାନ ଗାଁର ବୁଦୁ ମାଝୀ(୪୫ବର୍ଷ) ଓ ସ୍ତ୍ରୀ ମଙ୍ଗୁଳାଦେଇ ମାଝୀଙ୍କ ମଧ୍ୟରେ ସୋମବାର ସକାଳେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ ବୁଦୁ ଶକ୍ତ ଚାପୁଡ଼ା ମାରିଥିଲା। ଫଳରେ ଘଟଣାସ୍ଥଳରେ ମଙ୍ଗୁଳାଦେଇଙ୍କ ମୃତ୍ୟୁ ହୋଇଗଲା।
ଜୟପାଟଣା ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇଛି। ଅନ୍ୟପକ୍ଷରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ଏହି ଘଟଣା ପରେ ବୁଦୁ ଫେରାର ହୋଇଯାଇଛି। ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି।