ସ୍ୱାମୀ ମାଡ଼ରେ ଗୁରୁତର ସ୍ତ୍ରୀ, ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ

ଅଭିଯୁକ୍ତ ସ୍ୱାମୀ ଗିରଫ

ବାରିପଦା: ସ୍ୱାମୀ ମାଡ଼ରେ ଗୁରୁତର ଆହତ ହୋଇଥିବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏମିତି ଦୁଃଖଦ ଅଘଟଣ ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମରେ। ଏହି ମାମଲାରେ ବାରିପଦା ସଦର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲଣ କରିଛି।
ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ବଲାୟ କାଳନ୍ଦୀଙ୍କ ପୁଅ ଘାସିଆ ଓରଫ ବୈକୁଣ୍ଠ କାଳନ୍ଦୀ ମୋରଡ଼ା ଥାନା ଅଧୀନ ମଶର୍ଦା ଗ୍ରାମର ପରେଶ କାଳନ୍ଦୀଙ୍କ ଝିଅ ଲକ୍ଷ୍ମୀ କାଳନ୍ଦୀକୁ ବିବାହ କରିଥିଲେ । ବୈକୁଣ୍ଠ ଓ ଲକ୍ଷ୍ମୀଙ୍କ ଔରସରୁ ୨ ଝିଅ ଓ ୨ ପୁଅ ଜନ୍ମ ନେଇଥିବା ବେଳେ ୨ ଝିଅ ବିବାହିତ ଓ ୨ ପୁଅ ଅବିବାହିତ ରହିଛନ୍ତି । କିନ୍ତୁ ବିବାହ ପରେ ବିଭିନ୍ନ ସମୟରେ ବୈକୁଣ୍ଠ ନିଶାସକ୍ତ ଅବସ୍ଥାରେ ବାହାରୁ ଘରକୁ ଫେରିବା ପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ମାରଧର କରିଆସୁଥାଏ । ପୂର୍ବରୁ ମାରି ହାତ ଭାଙ୍ଗିଦେବା ସାଙ୍ଗକୁ କିରୋସିନି ଢ଼ାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲା ।
ବାରିପଦା ସଦର ଥାନାରେ ଅଭିଯୋଗ ହେବା ପରେ ବୈକୁଣ୍ଠ ପ୍ରତ୍ୟେକ ଥର ଥାନାରେ ନିଜର ଭୂଲ ମାଗି ଥାନାରେ ଘଟଣାର ସମାଧାନ କରାଇ ଖସି ଆସୁଥିବା ସମୟରେ ଗତ ଜୁନ ୧୪ ସୋମବାର ରାତିରେ ବୈକୁଣ୍ଠ ପୁଣି ନିଶାସକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀ ଲକ୍ଷ୍ମୀଙ୍କୁ ମାରପିଟ ଆରମ୍ଭ କରିଦେଇଥିଲା । ଯିଏ ଛଡ଼ାଇବାକୁ ଯାଉଥିଲା ତାକୁ ମଧ୍ୟ ମାରପିଟ କରିଥିଲା । ବୈକୁଣ୍ଠଙ୍କ ମାଡ଼ରେ ଲକ୍ଷ୍ମୀଙ୍କ ତଳି ପେଟରେ ଆଘାତ ଲାଗିଥିଲା। ଏଥିରେ ଲକ୍ଷ୍ମୀ ଗୁରୁତର ହୋଇ ଚେତା ହରାଇଥିଲେ। ଏହାପରେ ଚଳିତ ମାସ ୧୫ରେ ସ୍ଥାନୀୟ କ୍ୱାକକୁ ଡ଼କାଇ ଲକ୍ଷ୍ମୀଙ୍କର ଚିକିତ୍ସା କରାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଲକ୍ଷ୍ମୀଙ୍କୁ ଜୁନ ୧୬ରେ ବାରିପଦା ପିଆରଏମ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ରହିଥିବାରୁ ଡ଼ାକ୍ତର କଟକ ମେଡ଼ିକାଲକୁ ରେଫର କରାଇ ଦେଇଥିଲେ ।
ଜୁନ ୧୭ରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କର ମୃତ୍ୟୁ ହେବାପରେ ସେଠାରେ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଆଜି ମୋରଡ଼ା ଥାନା ଅଧୀନ ମଶର୍ଦା ଗ୍ରାମର ବୈକୁଣ୍ଠଙ୍କ ଶଳା ହାତୀରାମ କାଳନ୍ଦୀ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନାରେ ୪୯୮(ଏ), ୩୦୨ ଅନୁସାରେ ୧୩୪/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ସ୍ୱାମୀ ବୈକୁଣ୍ଠଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି । ତେବେ ଏହା ଏକ ଅପରାଧିକ ମାମଲା ହୋଇଥିବା ବେଳେ ସ୍ଥାନୀୟ କ୍ୱାକ୍ ଲକ୍ଷ୍ମୀଙ୍କର ଚିକିତ୍ସା କିପରି କରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।
ସମ୍ବନ୍ଧିତ ଖବର