ପରକୀୟା ପ୍ରୀତି ଜାରି ରଖିବା ପାଇଁ ପ୍ରେମିକ ଶିକ୍ଷକ ସହ ମିଶି ସ୍ୱାମୀକୁ ରାସ୍ତାରୁ ହଟାଇଲା ସ୍ତ୍ରୀ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ସ୍ଥିତ ମହୁଭଣ୍ଡାର ପୋଲ ନିକଟସ୍ଥ ଏକ ନିଛାଟିଆ ଅଞ୍ଚଳରେ ଗତ ୧୯ ତାରିଖରେ ଏକ ଅଜଣା ଯୁବକର ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣା ବିଶୋଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ,ଏହି ଘଟଣାରେ ମୃତକ ଯୁବକର ପରିଚୟ ମିଳିବା ସହିତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଶୋଇ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡଟି ପ୍ରେମ ଜନିତ କାରଣରୁ ଘଟିଥିବାର ନିଜେ ହତ୍ୟାକାରୀମାନେ ସ୍ୱୀକାର କରିଛନ୍ତି। ମୃତକ ଜଣକ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା କେନ୍ଦୁପଡ଼ା ଗ୍ରାମର ଜୟକୃଷ୍ଣ ନାୟକଙ୍କ ପୁତ୍ର ପୁରେନ୍ଦ୍ର ନାୟକ (୪୦)ବୋଲି ଜଣାପଡିଛି। ସେହିପରି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତକର ସ୍ତ୍ରୀ ସେବତୀ ନାୟକ(୩୫)କୁ ଗିରଫ କରିବା ସହିତ ପ୍ରେମିକ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଖରଖରୀ ଗ୍ରାମର ଉମେଶ ମହାନ୍ତ (୪୫) ଏବଂ ହତ୍ୟାକାଣ୍ଡରେ ସହଯୋଗୀ ସାଜିଥିବା କାରର ଡ୍ରାଇଭର ଗୋଡିସାହି ଗ୍ରାମର ଲିଟୁ ପରିଡା(୩୪)କୁ ପୁଲିସ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ହ୍ୟୁଣ୍ଡାଇ ଏକ୍ସେଣ୍ଟ କାର (ଓଡ଼ି ୨୦ ବି ୩୩୩୩) କୁ ଜବତ କରିଛି।

ସୂଚନା ଥାଉକି ପୂର୍ବ ଯୋଜନା ମୁତାବକ,ଗତ ୧୯ ତାରିଖ ଶନିବାର ଦିନ ମୃତକ ସହିତ ସମସ୍ତ ଅଭିଯୁକ୍ତ ଏକ କାର ଯୋଗେ ମୟୂରଭଞ୍ଜ ଜିଲ୍ଲାକୁ ବୁଲିବାକୁ ଆସିଥିଲେ। ମୃତକ ପୁରେନ୍ଦ୍ର ପିଉସୀ ଶାଶୁ ଘର ଘାଘରାବେଡା ଥାନା ଡେନୁଁଆ ଗ୍ରାମକୁ ଯାଇ ସେଠାରେ ସେବତୀକୁ ଛାଡି ଦେବା ପରେ ପୁରେନ୍ଦ୍ର, ଡ୍ରାଇଭର ଲିଟୁ ଓ ଉମେଶ ଏକ କାର ଯୋଗେ ବିଶୋଇ ଅଭିମୁଖେ ଆସିଥିଲେ। ବିଶୋଇ ଅଞ୍ଚଳର ଏକ ଢ଼ାବାରେ ଖାଇପିଇ ସାରି ମଦ ବୋତଲ ଓ ଖାଇବା ସାମଗ୍ରୀ ଧରି ଦିନ ୨ ଘଟିକା ସମୟରେ ମହୁଭଣ୍ଡାର ପୋଲ ନିକଟ ଉକ୍ତ ନିଛାଟିଆ ସ୍ଥାନକୁ ପହଞ୍ଚିଥିଲେ। ଯୋଜନା ମୁତାବକ ଘଟଣାସ୍ଥଳରେ ଲିଟୁ ଓ ଉମେଶ ପୁରେନ୍ଦ୍ରକୁ ପ୍ରଚୁର ମଦ ପିଆଇଥିଲେ। ପୁରେନ୍ଦ୍ରର ନିଶା ଚଢ଼ିଯିବା ପରେ ଏହାର ସୁଯୋଗ ନେଇ ଦିନ ଦ୍ଵିପହରରେ ଉକ୍ତ ନିଛାଟିଆ ସ୍ଥାନରେ ଉମେଶ ଓ ଲିଟୁ ଏକ ଧାରୁଆ ଛୁରୀ ସାହାଯ୍ୟରେ ପୁରେନ୍ଦ୍ରର ତଣ୍ଟି କାଟି ଅତି ବିଭତ୍ସ ଭାବରେ ହତ୍ୟା କରି ଉକ୍ତ କାର ଯୋଗେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଗତ ୨୦ ତାରିଖ ରବିବାର ସକାଳେ ସ୍ଥାନୀୟ ଲୋକେ ପୁରେନ୍ଦ୍ରର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବିଶୋଇ ପୁଲିସକୁ ଖବର ଦେବା ପରେ ବିଶୋଇ ଥାନାରେ କେସ ନଂ ୧୭୦/୨୨ ରେ ଏକ ମାମଲା ରୁଜୁ କରାଯାଇ ବିଶୋଇ ପୁଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାର ଛାନଭିନ ଆରମ୍ଭ କରିଥିଲା।

ଜିଲ୍ଲା ଏସ.ପି ଋଷିକେଶ ଖିଲାରଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ଏସ.ଡି.ପି.ଓ ଗୋକୁଳାନନ୍ଦ ସାହୁ ସମେତ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇଙ୍କ ନେତୃତ୍ୱରେ ସାଇବର ସେଲ, ବହଳଦା, ତିରିଂ ଓ ବାଦାମପାହାଡ଼ ଥାନାର ମିଳିତ ସହଯୋଗରେ ପୁଲିସ ଟିମ ଘଟଣାର ତଦନ୍ତ ଚଳାଇଥିଲା। ବିଶୋଇ ଅଞ୍ଚଳର ଏକ ମଦ ଦୋକାନରୁ ମିଳିଥିବା ସିସିଟିଭି ଫୁଟେଜ ଓ ମୋବାଇଲ ଟ୍ରାକିଂ ସହାୟତାରେ ମଙ୍ଗଳବାର ଦିନ ପୁଲିସ ସହଯୋଗୀ ତଥା କାରର ଡ୍ରାଇଭର ଲିଟୁ ପରିଡାକୁ ପୁରୀରୁ ଗିରଫ କରିଥିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାରକୁ ଜବତ କରିଥିଲା। ସେହିପରି କେନ୍ଦୁପଡା ଗ୍ରାମରୁ ମୁଖ୍ୟ ଅଭିଯୁକ୍ତ ଉମେଶ ମହାନ୍ତ ଓ ମୃତକର ସ୍ତ୍ରୀ ସେବତୀକୁ ମଧ୍ୟ ଗିରଫ କରି ବିଶୋଇ ଥାନାକୁ ଅଣାଯାଇଥିଲା। ଗତକାଲି ପୁଲିସ ଦ୍ୱାରା ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସ୍କ୍ରିନିଂ ଆଉଟ କରିବା ସହିତ ଆଜି ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯାଇଛି। ମୃତକର ସ୍ତ୍ରୀ ସେବତୀ ଓ କେନ୍ଦୁପଡା ଗ୍ରାମରେ ଶିକ୍ଷକତା ଚାକିରି କରୁଥିବା ଉମେଶଙ୍କ ମଧ୍ୟରେ ଦୀର୍ଘ ୨୩ ବର୍ଷ ଧରି ଅବୈଧ ପ୍ରେମ ସମ୍ପର୍କ ରହିଥିଲା। ନିଜ ଅନୈତିକ ପ୍ରେମ ସମ୍ପର୍କରେ କଣ୍ଟା ସାଜିଥିବା ପୁରେନ୍ଦ୍ରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ପାଇଁ ସ୍ତ୍ରୀ ସେବତୀ ପ୍ରେମିକ ଉମେଶ ସହ ମିଶି ଡ୍ରାଇଭର ଲିଟୁ ପରିଡାର ସହାୟତାରେ ଯୋଜନାବଦ୍ଧ ଭାବେ ପୁରେନ୍ଦ୍ରକୁ ବିଶୋଇ ଆଣି ଗଳା କାଟି ବିଭତ୍ସ ଭାବରେ ହତ୍ୟାକାଣ୍ଡ କରିଛନ୍ତି ବୋଲି ଏସ.ପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର