ସ୍ୱାମୀଙ୍କୁ ହତ୍ୟା କରି ବାଡ଼ିରେ ପୋଡି ଦେଇଥିଲା ସ୍ତ୍ରୀ; ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର ହେଲା ଖପୁରୀ ଏବଂ ହାଡ଼

ବାଲିପାଟଣା : ବାଲିପାଟଣା ଥାନା ବନମାଳିପୁର ଗ୍ରାମର ନିଧିରାମ ଗିରି ୩ ମାସ ନିଖୋଜ ଘଟଣା ଉପରୁ ପରଦା ହଟିଛି | ଶେଷରେ ଗତକାଲି ପତ୍ନୀ ଲିଲି ସ୍ୱାମୀଙ୍କୁ ହତ୍ୟା କରି ପୋଡିଦେଇଥିବା କଥା ସ୍ୱୀକାର କରିଥିଲେ |

ଏହି ଘଟଣା ଜଣାପଡ଼ିବା ପରେ ଗତକାଲି ଠାରୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆଜି ପତିହନ୍ତା ପତ୍ନୀଙ୍କୁ ପୁଲିସ ହେପାଜତକୁ ନେଇଛି | ସାଇଣ୍ଟିଫିକ ଟିମ ସକାଳ ସାଢେ ୯ ଟାରେ ଘଟଣା ସ୍ଥଳରେ ପହଁଞ୍ଚିଥିଲେ | ବାଲିପାଟଣା ଅତିରିକ୍ତ ତହସିଲଦାର ଵିଭାସ ପାଣିଗ୍ରାହୀଙ୍କ ଉପସ୍ଥିତିରେ ମୃତ ବ୍ୟକ୍ତିଙ୍କ ଶରୀରର ହାଡ଼, ଖପୁରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ସାଇଣ୍ଟିଫିକ ଟିମ ଜବତ କରିଛି ।
|ନିଧିରାମଙ୍କ ଜ୍ୱାଇଁ ପ୍ରତାପ କୁମାର ଦେବତା ଲିଖିତ ଅଭିଯୋଗ କରିଛନ୍ତି | ବାଲିପାଟଣା ଥାନା କେଶ ୩୬0/୨0ରେ ପୁଲିସ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି | ପ୍ରତ୍ୟେକ ଦିନ ନିଧିଙ୍କୁ ୧ ହଜାର ଟଙ୍କା ଦେବା ପାଇଁ ଦାବି କରୁଥିଲା ଲିଲି | ସ୍ବଳ୍ପ ରୋଜଗାର ଭିତରେ ସେ ସକ୍ଷମ ହେଉ ନ ଥିଲେ | ଫଳରେ ଅନେକ ସମୟରେ ସ୍ତ୍ରୀର ନିର୍ଯାତନାର ଶିକାର ହେଉଥିଲେ |

ପ୍ରାପ୍ତ ସୂଚନା ଅନୁସାରେ , ଗତ ସେପ୍ଟେମ୍ବର ମାସ ୧୨ ତାରିଖରୁ ବନମାଳିପୁର ଗ୍ରାମର ନିଧିରାମଙ୍କ ପତା ମିଳୁ ନଥିଲା | ପତ୍ନୀ ଲିଲି ତାଙ୍କ ସ୍ୱାମୀ ନିଖୋଜ ଥିବା କହୁଥିଲେ | ସମ୍ପର୍କୀୟ ଏବଂ ଜ୍ୱାଇଁ ଥାନାରେ ଅଭିଯୋଗ ପାଇଁ କହୁଥିଲେ | ହେଲେ ସେ ବିଭିନ୍ନ ବାହାନା ଦେଖାଇ ଥାନା କଥାକୁ ଏଡାଇ ଦେଉଥିଲେ | ଶେଷରେ ଗତକାଲି ଗ୍ରାମବାସୀଙ୍କ ସାମ୍ନାରେ ହତ୍ୟା କଥା କହିଥିଲେ |
ପୁଲିସ ଘଟଣା ସ୍ଥଳରେ ସାରା ରାତି ଡେରା ପକାଇଥିଲା | ଆଜି ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଞ୍ଚି ପୋଡା ଯାଇଥିବା ସ୍ଥାନରୁ ଘଟଣା ସ୍ଥଳରୁ ଖପୁରୀ , ହାତ ଏବଂ ଗୋଡ଼ର ୫ରୁ ଅଧିକ ଖଣ୍ଡ ହାଡ଼, ଅଣ୍ଟା ହାଡ଼ , ପିଞ୍ଜରା ହାଡ଼, ଗଳା, ଅଖା, ଲୁଙ୍ଗି, ଫିନାଇଲ ବୋତଲ ପ୍ରଭୃତି ଜବତ ହୋଇଛି | ହତ୍ୟା କାଣ୍ଡରେ ବ୍ୟବହୃତ ହେମଦସ୍ତା ପୁଆ ଜବତ ହୋଇଛି | ପୁଲିସ ଅନ୍ୟ ଅଧିକ ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧିତ ଖବର