ଧର୍ମଶାଳା: ଧର୍ମଶାଳା ଥାନା କୋତପୁର ଫାଣ୍ତି ପୁଲିସ୍ ଆଜି ସାନରାଏପଡ଼ା ଗ୍ରାମର ବାବୁନା ବେହେରାଙ୍କ ନବ ବିବାହିତା ପତ୍ନୀ ମମତା(୩୧)ଙ୍କ ମୃତଦେହ ଜବତ କରିଛି। ମମତାଙ୍କ ମୁହଁ ଓ ବେକରେ ନଖ ଦାଗ ଥିବାରୁ ଅଧିକ ଯୌତୁକ ଦାବିରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ତାଙ୍କ ଭାଇ ନିହଲପ୍ରସାଦ ଥାନା କାଲୁଣିଗୋଡ଼ା ଗ୍ରାମର ଟୁଟୁ ବେହେରା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିବା ସହିତ ସ୍ବାମୀ ବାବୁନାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏପଟେ ମମତା ବିଷପିଇ ଆତ୍ମହତ୍ୟା କରିଥିବା ଶାଶୂଘର ପକ୍ଷରୁ ସଫେଇ ଦିଆଯାଇଛି। ଅଭିଯୋଗରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା କାଲୁଣିଗୋଡ଼ା ଗ୍ରାମର ସ୍ବର୍ଗତ ବାଉରୀବନ୍ଧୁ ବେହେରାଙ୍କ ଝିଅ ମମତା ଗତ ମେ ୧୭ ତାରିଖରେ ସାନରାଏପଡ଼ା ଗ୍ରାମର ସ୍ବର୍ଗତ ନଟବର ବେହେରାଙ୍କ ପୁଅ ବାବୁନାକୁ ବିବାହ କରିଥିଲେ।
ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ମମତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏସମ୍ପର୍କରେ ଜାଣିବା ପରେ ଭାଇ ଟୁଟୁ ଜୁନ୍ ୨୩ ତାରିଖରେ ମମତାଙ୍କୁ ଘରକୁ ନେଇ ଯାଇଥିଲେ। ଉଭୟ ପରିବାର ମଧ୍ୟରେ ଆପୋସ ସମାଧାନ ହେବାପରେ ଗତ ୩୦ ତାରିଖରେ ଭାଇ ରାଜୀବ ମମତାଙ୍କୁ ଶାଶୂଘରେ ଛାଡ଼ି ଆସିଥିଲେ। ତେବେ ମମତା ବିଷ ପିଇ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଫୋନ୍ରେ ଖବରପାଇ ଭାଇ ଟୁଟୁ ଆସି ଡାକ୍ତରଖାନାରେ ଭଉଣୀକୁ ପାଇ ନଥିଲେ। ଶାଶୂଘରକୁ ଯାଇ ଭଉଣୀର ମୃତଦେହ ଘର ବାରଣ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଅଧିକ ଯୌତୁକ ଦାବିରେ ମମତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଶାଶୂଘର ଲୋକେ ଆତ୍ମହତ୍ୟାର ରୂପ ଦେଇଥିବା ଟୁଟୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍ ୪୪୬/୨୩ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।