ମହୁଲ ଗୋଟେଇ ଯାଇଥିବା ବେଳେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଲଇକେରା: ଉଭୟ ସ୍ବାମୀ, ସ୍ତ୍ରୀ ମହୁଲ ଗୋଟେଇବାକୁ ଯାଇଥିଲା। ପୂର୍ବରୁ ସେମାନଙ୍କ ମଧ୍ୟରେ ଘରେ ମତାନ୍ତର ହୋଇଥିଲା। ପୁଣି ମହୁଲ ଗୋଟାଇବା ବେଳେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ସ୍ତ୍ରୀର ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରିଛି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ନନ୍ଦମୁଣ୍ଡା ଗାଁରେ। ମୃତା ମହିଳା ହେଲେ ରବି ନାଏକ (୩୮)ଙ୍କ ସ୍ତ୍ରୀ ସୁରୁବାଲି ନାଏକ (୩୫)। ପୁଲିସ ଏହି ଘଟଣାରେ ରବିକୁ ଅଟକ ରଖି ପଚରାଉଚରା କରୁଛି। ବେକରେ ଗାମୁଛା ଗୁଡ଼େଇ ସେ ସୁରୁବାଲିକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି।

ପୁଲିସ ସୂଚନା ଅନୁଯାୟୀ ରବି ଓ ପତ୍ନୀ ସୁରୁବାଲିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମଙ୍ଗଳବାର ଝଗଡ଼ା ହୋଇଥିଲେ। ଏହା ସତ୍ତ୍ବେ ଉଭୟ ମହୁଲ ଗୋଟେଇବାକୁ ଜଙ୍ଗଲକୁ ଯାଇଥିଲେ। ସେଠାରେ ଗଛ ମୂଳ‌େ ମହୁଲା ଗୋଟାଉଥିବା ବେଳେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା। ଏଥିରେ ରବି ଉତ୍ତ୍ୟକ୍ତ ହୋଇ ସୁରୁବାଲିଙ୍କୁ ମାଡ଼ ମାରିବା ସହ ତାଙ୍କ ଗାମୁଛାରେ ତଣ୍ଟି ଚିପି ମାରି ଦେଇଥିଲା। ସୁରୁବାଲିର ଶରୀର ନିସ୍ତେଜ ହୋଇଯିବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବୁଧବାର ସକାଳେ ଏ ବିଷୟରେ ପୁଲିସ ଖବରପାଇ ଘଟଣାସ୍ଥଳରେ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟା ଓ ମ୍ୟାଜିଷ୍ଟ୍ରେଟ୍‌ ତଥା ଲଇକେରା ତହସିଲଦାର ତପନଦେବ ଚକ୍ରବର୍ତ୍ତୀଙ୍କ ଉପସ୍ଥିତରେ ଶବ ଜବତ କରାଯାଇ ବାମରା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ସହ ବାଗଡିହି ଫାଣ୍ଡି ଅଧିକାରୀ ସରୋଜ ନାଏକ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି। ପୁଲିସ ରବିକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର