କେନ୍ଦ୍ରାପଡ଼ା: ପ୍ରେମ ବିବାହର ୭ ମାସ ପରେ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା

କେନ୍ଦ୍ରାପଡ଼ା: ମାତ୍ର ୭ ମାସ ତଳେ ଭଲ ପାଇ ପରସ୍ପରକୁ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ଭଲପାଇବାରେ ଭଟ୍ଟା ପଡ଼ିଥିଲା। ଶେଷରେ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ମିଶି ତଣ୍ଟିକାଟି ନବବଧୁଙ୍କୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ହତ୍ୟାକାଣ୍ଡ ପରେ ଶବକୁ ନେଇ ନଦୀରେ ଫିଙ୍ଗବାକୁ ଯାଉଥିବାବେଳେ ଲୋକେ ଆସିଯିବାରୁ ସେମାନେ ଶବକୁ ନଦୀରେ ଫିଙ୍ଗି ପାରି ନ ଥିଲେ। ଏହାକୁ ଅଖାରେ ପୁରାଇ ଏକ ଖାଲରେ ଫିଙ୍ଗି ଚାଲିଯାଇଥିଲା ସ୍ୱାମୀ। ତେବେ ଆଜି ସକାଳେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ ମୃତ ଦେହ ଦେଖିବା ପରେ ସମଗ୍ର ସହରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳପଡ଼ା ଟୁବିହୁଡ଼ା ଗାଁରେ।

ପ୍ରେମ ବିବାହର ମାତ୍ର ୭ ମାସ ପରେ ଜଣେ ନବବଧୁଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଜଘନ୍ୟ ଭାବେ ହତ୍ୟା କରିଛନ୍ତି। ନବବଧୁଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ଗାଁ ମୁଣ୍ଡରେ ଏକ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି ସ୍ୱାମୀ।ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ମାନୀନି ମଲ୍ଲିକ ନାମକ ଜଣେ ଝିଅ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ସେହି କମ୍ପାନିରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା କଳମଡ଼ା ଟୁବିହୁଡା ଗ୍ରାମର ବାବୁଲୁ ରାଉତଙ୍କୁ ଭଲ ପାଇଥିଲେ। ଉଭୟ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରାୟ ୭ ମାସ ତଳେ ବାବୁଲି ମାନୀନିଙ୍କୁ ଗାନ୍ଧର୍ବ ରୀତିରେ ବିବାହ କରି ଘରକୁ ଆଣିଥିଲେ। ବାବୁଲିଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରି ନ ଥିଲେ ତାଙ୍କ ପରିବାର ଲୋକେ। ସେମାନେ ମାନୀନିଙ୍କୁ ଘରେ ପୁରାଇ ଦେବାକୁ ଅରାଜି ହୋଇଥିଲେ। ତେବେ କିଛିଦିନ ପରେ ସେମାନେ ମାନୀନିଙ୍କୁ ବୋହୁ ଭାବେ ସ୍ୱୀକାର କରିଥିଲେ ଓ ମାନୀନି ତାଙ୍କ ଶଶୁଘରେ ରହିଥିଲେ। ତେବେ ମାନୀନି ଶଶୁଘରକୁ ଆସିବା ପରେ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ଜନିତ ନିର୍ଯାତନା। ପାରିବାରିକ ହିଂସା ଅସହ୍ୟ ହେବାରୁ ମାନୀନି ଏ ନେଇ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମାନୀନିଙ୍କୁ ରିଶୁଆସ୍ଥିତ ସର୍ଟ ଷ୍ଟେ ହୋମ୍‌ରେ ରଖାଯାଇଥିଲା।
ପୁଲିସର ସୂଚନା ମୁତାବକ, ପ୍ରାୟ ସାତ ଦିନ ତଳେ ମାନୀନିଙ୍କ ନଣନ୍ଦ ଓ ନଣନ୍ଦେଇ ରିଶୁଆ ଯାଇ ମାନୀନିଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣିଥିଲେ।
ଆଜି ସକାଳୁ ଏକ ଖାଲ ଭିତରେ ମାନୀନିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଏକ ଅଖାଭିତରେ ଗୁଡ଼ାଯାଇ ପଡ଼ିଥିବା ଗାଁ ଲୋକେ ଦେଖିବା ପରେ ସାଙ୍ଗେ ସାଙ୍ଗେ ଚାରିଆଡେ ପ୍ରଚାର ହୋଇଯାଇଥିଲା। ଗାଁ ଲୋକେ ଏ ନେଇ ସଦର ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାନୀନିଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଏପରି ଜଘନ୍ୟକାଣ୍ଡ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଅଡ଼ିବସିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ସ୍ୱାମୀ ବାବୁଲୁ ରାଉତ ଘର ଛାଡ଼ି ଫେରାର ହୋଇ ଯାଇଛି। ପୁଲିସ ଅନୁମାନ କରୁଛି ଯେ ଏହି ହତ୍ୟାକାଣ୍ଡ ସହିତ ଆହୁରି ୨/୩ ଜଣଙ୍କର ସମ୍ପୃକ୍ତି ରହିଛି। ସେମାନେ ହତ୍ୟାକାଣ୍ଡ ପରେ ଶବକୁ ନଷ୍ଠ କରିଦେବାକୁ ଯୋଜନା କରିଥିଲେ। ମାତ୍ର କୌଣସି କାରଣରୁ ସେମାନଙ୍କ ଯୋଜନା ଫସର ଫାଟଯିିବାରୁ ସେମାନେ ଶବକୁ ଏକ ଖାଲରେ ଫିଙ୍ଗିଦେଇ ଫେରାର ହୋଇଯାଇଛନ୍ତି। ଏ ନେଇ ପୁଲିସ ଦଫା ୩୦୨ରେ ଏକ ନରହତ୍ୟା ମାମଲା ରୁଜୁ କରିବା ସହିତ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର