ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଏନ୍‌କାଉଣ୍ଟର ମାମଲା: ସିମୁଳିଆ ଥାନାରେ ପୁଲିସ ବିରୋଧରେ ଏତଲା ଦେଲେ ପତ୍ନୀ

ବାଲେଶ୍ବର: ପୁଲିସ୍‌ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ମୃତ୍ୟୁ ଘଟଣାର ୩ ମାସ ପରେ ଆଜି ତାଙ୍କ ପତ୍ନୀ ହାସିନା ବିବି(୫୦) ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଯୋଜନାବଦ୍ଧ ଭାବେ ତାଙ୍କ ସ୍ବାମୀକୁ ପୁଲିସ ହତ୍ୟା କରିଥିବା ହସିନା ଅଭିଯୋଗ କରିଥିବା ବେଳେ ଏହି ଘଟଣାର ବିଧିବଦ୍ଧ ଯାଞ୍ଚ୍‌ କରାଯାଇ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ତେବେ ପୁଲିସଠାରୁ ଯଦି ଉପଯୁକ୍ତ ନ୍ୟାୟ ନମିଳେ ସେ ହାଇକୋର୍ଟର ଦ୍ବାରସ୍ଥ ହେବା ସହ ମାନବାଧିକାର କମିଶନରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।

ହାସିନାଙ୍କ ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସ ୨୪ ତାରିଖରେ ତାଙ୍କ ସ୍ବାମୀଙ୍କର ବାଲେଶ୍ବର ଜିଲ୍ଲା ସିମୁଳିଆଠାରେ ପୁଲିସ ଗୁଳି ମୃତ୍ୟୁ ହୋଇଥିବା ସେ ସୂଚନା ପାଇଥିଲେ। ତେବେ ହାଇଦରଙ୍କ ମୃତ୍ୟୁ ପୂର୍ବରୁ ଯେତେବେଳେ ସେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ଥିଲେ ସେତେବେଳେ ପୁଲିସ ତାଙ୍କୁ ଗୁଳିକରି ଏବଂ ଭୁଜାଲିରେ ହାଣି ହତ୍ୟା କରିବ ବୋଲି କହିଥିଲେ। ଏଥିପାଇଁ ପୁଲିସ ହାସିନାଙ୍କ ଠାରୁ ମୋଟାଅଙ୍କର ଅର୍ଥ ମଧ୍ୟ ଦାବି କରିବା ସହ ସେ ଟଙ୍କା ନଦେଲେ ସ୍ବାମୀଙ୍କର ମୃତଦେହ ପାଇବେ ବୋଲି ପୁଲିସ ଧମକ ଦେଇଥିଲେ। ଏହାପରେ ହାଇଦରଙ୍କୁ ତେଲେଙ୍ଗନା ରାଜ୍ୟକୁ ନେଇ ସେ ଏସ୍‌ସିବି ମେଡିକାଲରୁ ଚମ୍ପଟ ମାରିଥିବା ମିଥ୍ୟା ଅଭିଯୋଗ କରି ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା।

ପରବର୍ତ୍ତୀ ସମୟରେ ତେଲେଙ୍ଗାନାରୁ ହାଇଦରଙ୍କୁ ଆଣି ଚୌଦ୍ବାର ଜେଲ୍‌ରେ ରଖାଗଲା। ଏହାପରେ ତାଙ୍କୁ ସେଠାରୁ ଜୁଲାଇ ୨୪ ତାରିଖ ଦିନ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଯିବା ସହ ବାଟରେ ଅର୍ଥାତ୍‌ ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଠାରେ ଗାଡ଼ି ତଳକୁ ଓହ୍ଲାଇ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ କଟକ ଡିସିପି ତାପସ ପ୍ରଧାନ, ଗଙ୍ଗାଧର ଶାସେନୀ, ଅଜୟ ଦାସ, ବିରଞ୍ଚି ନାରାୟଣ ପତି, ଅସିତ୍‌ ଜେନା, ଗଜେନ୍ଦ୍ର ସୋରେନ୍‌, ସୂର୍ଯ୍ୟକାନ୍ତ ରାଉତ, ସୌମ୍ୟରଂଜନ ରାଉତ, ସତ୍ୟଜିତ ସ୍ବାଇଁ, ରୋହିତ କୁମାର ମଲ୍ଲିକ, ପୁରୁଷୋତ୍ତମ ରାଉତ, ରାଜେନ୍ଦ୍ର ନାଏକ, କଳ୍ପତରୁ ନାଏକଙ୍କ ସମେତ ଚୌଦ୍ବାର ଜେଲ୍‌ ଅଧୀକ୍ଷକ, ଜେଲର ଏବଂ ବାରିପଦା ଜେଲରଙ୍କର ସମ୍ପୂର୍ଣ୍ଣ ହାତ ରହିଛି। ଏମାନେ ସମସ୍ତେ ମିଳିମିଶି ଘଟଣା ଭିଆଇବା ପରେ ଖସି ପଳାଉଥିବାରୁ ଏନ୍‌କାଉନଣ୍ଟର କରାଯାଇଥିଲା ବୋଲି ମିଛ କହିଛନ୍ତି ଏବଂ ଯୋଜନାବଦ୍ଧ ଭାବେ ସବୁ ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। ଏହାଛଡ଼ା ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ହାଇଦରଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ସେ ରିପୋର୍ଟ ମଧ୍ୟ ଦିଆଯାଇ ନଥିବା ହସିନା ଅଭିଯୋଗ କରିଛନ୍ତି। ସେଥିପାଇଁ ସେ ଆଜି ହାଇକୋର୍ଟର ଓକିଲ ବିିଶ୍ବଜିତ ତ୍ରିପା‌ଠୀଙ୍କୁ ଧରି କେନ୍ଦ୍ରପଡ଼ା‌ରୁ ବାଲେଶ୍ବର ଆସିଥିଲେ। ପ୍ରଥମେ ସେମାନେ ସିମୁଳିଆ ଥାନାରେ ପହଞ୍ଚି ସେଦିନ ଘଟଣାରେ ପୁଲିସ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା ଶବ ବ୍ୟବଚ୍ଛେଦ ରିପୋର୍ଟ ନେବା ପାଇଁ ଆସିଥିଲେ। ମାତ୍ର ଆଜି ସରକାରୀ ଛୁଟି ଥିବାରୁ ସେମାନେ ରିପୋର୍ଟ ନେଇନପାରି ଫେରି ଯାଇଥିଲେ। ହସିନାଙ୍କ ସହ ତାଙ୍କ ବଡ଼ବୋହୂ ରେଶମା ବେଗମ୍‌ ଏବଂ ନାତିନାତୁଣୀ ମଧ୍ୟ ଥିଲେ।

‌ତେବେ ଆଇନଜୀବୀ ଶ୍ରୀ ତ୍ରିପାଠୀ କହିଛନ୍ତି, ଆଜି ସେମାନେ ସିମୁୁଳିଆ ଥାନାରେ ପହଞ୍ଚି ପୁଲିସକୁ ଲିଖିତ ଅଭିଯୋଗ ଦେବା ପରେ ଥାନାଧିକାରୀ ଜୟନ୍ତ କୁମାର ବେହେରା ଏତଲା ଗ୍ରହଣ କରିବା ସହ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର