ଜୀବନ ସହ ସଂର୍ଘଷ କରୁଛନ୍ତି ହେମନ୍ତ; ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ପତ୍ନୀଙ୍କ ଆକୁଳ ନିବେଦନ

ଜୟପୁର: ନିଜ ଆତ୍ମୀୟ ସ୍ବଜନ ତଥା ନିଜର ଜନ୍ମ ଦେବା ପୁଅ ମଧ୍ୟ ଶେଷକୃତ୍ୟରେ ଭାଗ ନେଇ ମୁଖାଗ୍ନି ଦେଉ ନଥିଲେ। ରକ୍ତର ସମ୍ପର୍କ ନଥିଲେ ହେଁ ମଣିଷ ସହ ମଣିଷର ଥିବା ସମ୍ପର୍କକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ସମ୍ବାରତୋଟା ହେମନ୍ତ ବେହେରା ଓ ତାଙ୍କ ସାଥୀମାନେ କୋଭିଡ ଓ କୋଭିଡ ସନ୍ଦିଗ୍ଧ ୨୦୦ ଜଣଙ୍କର ଶବ ଗତ ୨୦୨୦ ମସିହାରୁ ୨୦୨୧ ମସିହା ‌ଡିସେମ୍ବର ପର୍ଯ୍ୟନ୍ତ ପୋଡ଼ି ଆସିଥିଲେ। ଗତ କିଛିଦିନ ହେବ ଅଚାନକ ଭାବେ ହେମନ୍ତଙ୍କର ପେଟବ୍ୟଥା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥାରେ କିଛି ସୁଧାର ନ ଆସିବାରୁ କୋରାପୁଟ ଏସଏଲଏନ୍  ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରୀକ୍ଷା କରାଯିବା ପରେ ତାଙ୍କୁ ଆପେଣ୍ତିକ୍ସ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏବଂ ଅସ୍ତ୍ରପ୍ରଚାର କରାଯାଇଥିଲା।

ତେବେ ସେ ସୁସ୍ଥ ହେବା ବଦଳରେ ଅଧିକା ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଏହା ପରେ କୋରାପୁଟରୁ ବ୍ରହ୍ମପୁର ବଡଡାକ୍ତରଖାନା ଓ ବ୍ରହ୍ମପୁରରୁ ଏବେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। କଟକରେ ସମ୍ପ୍ରତି ସେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନାହିଁ। ସ୍ତ୍ରୀ ଚାନ୍ଦିନୀ ବେହେରା ଓ ଗୋଟିଏ ପୁଅ, ଗୋଟିଏ ଝିଅଙ୍କୁ ନେଇ ହେମନ୍ତଙ୍କ ପରିବାର। କୋଭିଡ ପରଠାରୁ ରାତି ଦିନ ଶେଷକୃତ୍ୟ କାମରେ ସେ ନିଜକୁ ନିୟୋଜିତ କରି ଠିକରେ ଖାଦ୍ୟ ପାନୀୟ ତଥା ନିଜର ସ୍ବାସ୍ଥ୍ୟ କଥା ବି ହେମନ୍ତ ଭୁଲିଯାଇଥିଲେ ବୋଲି କହିଛନ୍ତି ଚାନ୍ଦିନୀ। ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ କିଭଳି ହେମନ୍ତଙ୍କର ଉତ୍ତମ ଚିକିତ୍ସା କରାଇବେ ସେ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ, ବିଧାୟକ, ଲୋକ ପ୍ରତିନିଧି ଏବଂ ବଦାନ୍ୟ ବ୍ୟକ୍ତିମାନେ ତାଙ୍କୁ ସହଯୋଗ କରିବାକୁ ଚାନ୍ଦିନୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର