କାଳିଆପାଣି: ଜଙ୍ଗଲ ପାଖ ଆଦିବାସୀ ବହୁଳ ଇଲାକାର ଗାଁଗାଁରେ ବିରଳ ବନ୍ୟପ୍ରାଣୀ ବନ୍ଧା ପଡ଼ୁଛନ୍ତି। ହିଂସ୍ରପଶୁ ହେଲେ ବି ଏହାକୁ ଅତି ସହଜରେ କାବୁକରି ପୋଷା ମନାଇ ରଖାଯାଉଥିବା ଦେଖିବାକୁ ମିଳିଛି। ଏମିତି ଏକ ବାର୍ହା ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ସୀମାନ୍ତ ବାଘୁଆସାହି ଗାଁ ମଝିରେ ଥିବା କ୍ଲବ୍ ଘର ସମ୍ମୁଖରେ ଏକ ଗଛମୂଳରେ ବନ୍ଧା ଯାଇଛି। ମାସେରୁ ଅଧିକ ସମୟଧରି ଏହି ବାର୍ହା ଭାତ ଓ ହାଣ୍ଡିଆ ଖାଇ ବଞ୍ଚି ରହିଛି। ଧୀରେଧୀରେ ଏହା ହିଂସ୍ର ପ୍ରବୃତ୍ତି ଛାଡ଼ି ପୋଷା ମାନୁଥିବା ଗ୍ରାମବାସୀ କହିଛନ୍ତି।
୨ ବର୍ଷ ମଧ୍ୟରେ ୫୦ କିଲୋରୁ ଅଧିକ ଓଜନର ହେବା ପରେ ଏହାକୁ ମାରି ଗାଁରେ ଭୋଜି କରାଯିବ ବୋଲି ଜଣାପଡ଼ିଛି। କେବଳ ବାଘୁଆସାହି ନୁହେଁ ଜଙ୍ଗଲ ସଂଲଗ୍ନ ଅଧିକାଂଶ ଗାଁରେ ଏମିତି ବିଭିନ୍ନ ବିରଳ ବନ୍ୟପ୍ରାଣୀ ବନ୍ଧା ପଡ଼ୁଥିବା ଦେଖାଯାଏ। ଦୈତାରୀ ସୁରକ୍ଷିତ ଜଙ୍ଗଲ ଓ ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର(ପଶ୍ଚିମ) ରେଞ୍ଜ୍ ବିରାଶାଳ ସେକ୍ସନ କଣ୍ଢାର ସଂରକ୍ଷିତ ଜଙ୍ଗଲର ମଧ୍ୟବର୍ତ୍ତୀ ଇଲାକାରେ ଜଙ୍ଗଲ ସଂଲଗ୍ନ ବାଘୁଆସାହି, ନାତୋର, ଛତାଟାଙ୍ଗର, ଅରଡ଼ାପାଳ, ଖୁଣ୍ଟାପଶି, କଙ୍କଡ଼ାଗୋଡ଼ି, କୁମୁଡ଼ିବାହାଳି, ପାଟଣା, ଦେଓଗାଁ, ଅଶୋକଝର, ନାଲିଆଡାବ, ତୁମୁଣି, ଗୁହିଆଶାଳ, ତଳଡିହ, ନଗଡ଼ା, ଏକୁଲ, ସେକୁଲ ହାତୀସିଙ୍ଗଡ଼ା ଓ କଣ୍ଢାର ଏବଂ ଟମକା ରେଞ୍ଜ୍ କଅଁସ ସେକ୍ସନ ଅଧୀନ ବାହାଳିସାହି, ଟିକରପଡ଼ା, ମହୁକଣ୍ଟାସାହି, କେନ୍ଦୁପୁରା(କେନ୍ଦୁପଡ଼ା), ପିଚରପାଣି, ଟୁଙ୍ଗେଇଶୁଣି, ରାଇଘାଟି, ଚମ୍ପାଝର, ଆମ୍ବବେଡ଼ା ଆଦି ଗାଁରେ ବାର୍ହା, ଠେକୁଆ, କୁଟୁରା, ହରିଣ, ଶାଳିଆପତନି, ମୟୂର ଇତ୍ୟାଦି ଦେଖାଯାଉଥିବା ସୁଯୋଗରେ ଘରେଘରେ ଶିକାରୀ ସକ୍ରିୟ ରହୁଛନ୍ତି।
ଶିକାର ସମୟରେ ପଛରେ ପଡ଼ିଯାଉଥିବା ଶାବକମାନଙ୍କୁ ଶିକାରୀମାନେ ଅନାୟାସରେ ଉଠାଇ ଆଣିଥାନ୍ତି। ଖାଦ୍ୟ ଉପଯୋଗୀ ହୋଇନଥିବା ଶାବକଗୁଡ଼ିକୁ କିଛିମାସ ପାଳନ କରାଯିବା ପରେ ଏଗୁଡ଼ିକୁ ମାରି ଦିଆଯାଏ। ଜଙ୍ଗଲ ପାର୍ଶ୍ବସ୍ଥ ଗାଁର ଅଧିବାସୀଙ୍କ ଶିକାର ପ୍ରବଣତା ପାଇଁ ଜଙ୍ଗଲରେ ବନ୍ୟପ୍ରାଣୀ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଏବେ ଧାନ ଫୁଲ ଉଡ଼ାଇବା ଓ ଅମଳ ସମୟ ହୋଇଥିବାରୁ ବାର୍ହାମାନେ ଦଳଦଳ ହୋଇ ଆସୁଛନ୍ତି। ଫଳରେ ଶିକାରୀମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଜାଲ ଓ ସାମୂହିକ ଆକ୍ରମଣ କରି ବାର୍ହା ଶିକାର କରାଯାଉଥିବା ଅଭିଯୋଗ ହୋଇଛି। ଏସଂପର୍କରେ ବନପାଳ ନରେଶ କୁମାର ଟୁଡ଼ୁଙ୍କୁ ଯୋଗାଯୋଗ କରିବାରେ ଶିକାରୀଙ୍କ ତୁଳନାରେ ବନ କର୍ମଚାରୀଙ୍କ ସଂଖ୍ୟା ସୀମିତ। ତେବେ ବି ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଯଥାସମ୍ଭବ ଉଦ୍ୟମ କରାଯାଉଥିବା କହନ୍ତି।