ଆଳି କେବେ ଦେଖିବ ବସ୍‌ଷ୍ଟାଣ୍ଡ୍‌? ୧୦ ବର୍ଷ ହେଲା ଚାଲିଛି ସ୍ଥାନ ନିରୂପଣ

ଆଳି: ଆଳିବାସୀଙ୍କ ଭାଗ୍ୟରେ କେବେ ବସ୍‌ଷ୍ଟାଣ୍ଡ ଜୁଟିବ, ତାହା ସମୟ କହିବ। ବସ୍‌ଷ୍ଟାଣ୍ଡ ନିର୍ମାଣ ଦାବି ଆଜି କି କାଲିର ନୁହେଁ, ଏହା ବର୍ଷ ବର୍ଷର। ଦାବି ସିନା ହେଉଛି, ଶୁଣିବାକୁ କିନ୍ତୁ କେହି ନାହାଁନ୍ତି। ଖାଲି ସେତିକି ନୁହେଁ ୧୦ ବର୍ଷ ହେଲା ପରିବହନ ଓ ରାଜସ୍ବ ବିଭାଗ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆଳିରେ ସ୍ଥାନ ନିରୂପଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି। ହେଲେ, ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ପରି କେଉଁ କାରଣରୁ ବସ୍‌ଷ୍ଟାଣ୍ଡ ନିର୍ମାଣ କାମ ସମ୍ଭବ ହୋଇ ପାରୁନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଗତପୁର-ଭଦ୍ରକ ଦୋହରା ରାସ୍ତା କାର୍ଯ୍ୟକ୍ଷମ ହେବା ପରେ ଆଳିକୁ ବସ୍ ଚଳାଚଳ ବଢିଛି। ଏଥିସହ ଅନ୍ୟ ଯାନବାହନ ଚଳାଚଳ ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଛି। ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଯାନବାହାନ ସଂଖ୍ୟା ବହୁଗୁଣରେ ବଢିଥିବା ବେଳେ ଆଳିରେ ବସ୍‌ଷ୍ଟାଣ୍ଡଟିଏ ନ ଥିବାରୁ ନାହିଁ ନ ଥିବା ଅସୁବିଧା ହେଉଛି। ଆଳି ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବଜାର, ହାଟ ଭିତରେ, ରାସ୍ତା ଉପରେ ଓ ବିଭିନ୍ନ ଛକରେ ବସ୍ ପାର୍କିଂ ଯୋଗୁ ଯାନବାହନ ଚଳାଚଳରେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଛି।

ଏହାବ୍ୟତୀତ ଆଳିର ଅନ୍ନପୂର୍ଣ୍ଣା ପଡିଆରେ ଅଟୋରିକ୍ସା ଷ୍ଟାଣ୍ଡ ସହିତ ବସ୍ ପାର୍କିଂ, ଲୋକ ଚଢିବା, ଓହ୍ଲାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ବଜାର ମଝିରେ ମଧ୍ୟ ଅନେକ ବସ୍ ପାର୍କିଂ କରି ଲୋକ ଚଢା, ଉତାର କରୁଛନ୍ତି। ଏଥି ଯୋଗୁଁ ବହୁ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି। ବସଷ୍ଟାଣ୍ଡ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଆଳି ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ରାଜସ୍ବ ଓ ପରିବହନ ବିଭାଗ ବିଭିନ୍ନ ସମୟରେ ଆସି ସ୍ଥାନ ନିରୂପଣ ସହିତ ଆନୁଷଙ୍ଗିକ ଯୋଜନା ପ୍ରସ୍ତୁତ କରି ଯାଉଛନ୍ତି। ହେଲେ ନିର୍ମାଣ କାର୍ଯ୍ୟ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। ଏ ସମ୍ପର୍କରେ ଆଳି ତହସିଲଦାର ତପନ କୁମାର ସେନାପତିଙ୍କୁ ପଚାରିବାରୁ ନିକଟରେ ପରିବହନ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ପାଇଁ ଆସିଥିଲେ। ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନ ନିରୂପଣ ହୋଇ ଜିଲ୍ଲାପାଳଙ୍କ ମଞ୍ଜୁରି ପାଇଁ ପଠାଯାଇଛି। ମଞ୍ଜୁରି ମିଳିବା ପରେ ପରିବହନ ବିଭାଗକୁ ପଟ୍ଟା ପ୍ରଦାନ କରାଯିବ। ତେବେ ଦିନକୁଦିନ ଅନ୍ୟାନ୍ୟ ଯାନବାହନ ସମେତ ବସ୍ ସଂଖ୍ୟା ବଢିବା ସଙ୍ଗେସଙ୍ଗେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି। ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ରୋକିବା ନିମନ୍ତେ ଆଳିରେ ତୁରନ୍ତ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ଦୃଢ ଦାବି ହେଉଛି।

ସମ୍ବନ୍ଧିତ ଖବର