ରାୟଗଡ଼ା: ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ। ଦଳୀୟ ତୁଙ୍ଗ ନେତାଙ୍କ ସହ ତ୍ରିନାଥଙ୍କ ବିବାଦ ଏତେ ତୀବ୍ର ହୋଇଥିଲା ଯେ ବିଧାୟକ ପଦବିରେ ଥିବା ସତ୍ତ୍ବେ ଦଳ ନିଲମ୍ବନ କରିବାକୁ ପଛାଇ ନଥିଲା। ୩ ବର୍ଷର ବ୍ୟବଧାନ ପରେ ବିଜେଡ଼ି ତ୍ରିନାଥଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବା ସହ ପଞ୍ଚାୟତ ନିର୍ବାଚନରେ ଗୁରୁଦାୟିତ୍ବ ଦେବା ନେଇ ଚର୍ଚ୍ଚା ହେଉଛି। ଏପରିକି ତ୍ରିନାଥଙ୍କ ସ୍ତ୍ରୀ ପାର୍ବତୀ ଗମାଙ୍ଗଙ୍କୁ ଦଳ ପଦ୍ମପୁର ବ୍ଲକ୍ ଅଧ୍ୟକ୍ଷା ପଦବିରେ ବସାଇବାକୁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି।
ପୂର୍ବତନ ବିଧାୟକ ତ୍ରିନାଥଙ୍କ ଉପରୁ ବିଜେଡ଼ି ସୁପ୍ରିମୋ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେବା ପରେ ଦଳର ପାୱାର୍ କରିଡରକୁ ତ୍ରିନାଥ ଫେରିବା ନେଇ ଗୁଣପୁର ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଲାଗି ରହିଛି। ଜାନୁଆରୀ ୧୪ ତାରିଖରେ ଦଳ ନିଲମ୍ବନ ପ୍ରତ୍ୟାହାର କରିଥିବା ବେଳେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ଦଳର ଆଦେଶନାମାକୁ ସାର୍ବଜନୀନ କରାଯାଇଛି।
ଶିକ୍ଷକ ଚାକିରି ଛାଡି ୧୯୯୯ରେ ରାଜନୀତିକୁ ଆସିଥିଲେ ତ୍ରିନାଥ। ଭଉଣୀ ହେମା ଗମାଙ୍ଗ (ପୂର୍ବତନ ସାଂସଦ), ଜ୍ବାଇଁ ଡଃ. ଗିରିଧର ଗମାଙ୍ଗ (ପୂର୍ବତନ ମୁଖ୍ୟମନ୍ତ୍ରୀ)ଙ୍କୁ ରାଜନୀତିରେ ସହଯୋଗ କରି ଆସୁଥିବା ତ୍ରିନାଥ ୨୦୧୪ ନିର୍ବାଚନରେ ବିଜେଡ଼ି ଟିକେଟରୁ ଗୁଣପୁର ବିଧାୟକ ଭାବେ ନିର୍ବାଚନ ଲଢ଼ି ୭ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ କାର୍ଯ୍ୟକାଳ ପୂରିବା ପୂର୍ବରୁ ଦଳୀୟ ନେତାଙ୍କ ସହ ମନୋମାଳିନ୍ୟ, ବିବାଦ ଯୋଗୁ ତ୍ରିନାଥ ଦଳରୁ ନିଲମ୍ବିତ ହୋଇ ୨୦୧୯ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଗୁଣପୁର ଆସନରୁ ନିର୍ବାଚନ ଲଢ଼ି ୨୮ ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇଥିଲେ। ଯାହା ବିଜେଡ଼ିର ବିଜୟ ବ୍ୟବଧାନକୁ କମ୍ କରିବାର ମୁଖ୍ୟ କାରଣ ଥିଲା।
Sambadପାଖାପାଖି ୩ ବର୍ଷ ତ୍ରିନାଥ ବିଜେଡ଼ିରୁ ଦୂରେଇ ରହିଥିବା ବେଳେ କଂଗ୍ରେସ କିମ୍ବା ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ତ୍ରିନାଥ ଧୈର୍ଯ୍ୟର ରହି ସବୁ ଚର୍ଚ୍ଚାର ଦୂରେଇ ନିଜ ଘର ପଦ୍ମପୁର ବ୍ଲକର ଖିଲାପଦରରେ ରହୁଥିଲେ। ସ୍ତ୍ରୀ ପାର୍ବତୀ ଗମାଙ୍ଗ ଖିଲାପଦର ସରପଞ୍ଚ ଭାବେ ଗତ ଦୁଇ ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ପଦ୍ମପୁର ବ୍ଲକ୍ ଅଧ୍ୟକ୍ଷା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ପରେ ତ୍ରିନାଥ ନିଜ ସ୍ତ୍ରୀ ପାର୍ବତୀଙ୍କୁ ଅଧ୍ୟକ୍ଷା ଆସନରେ ବସାଇବାକୁ ରଣନୀତି ପ୍ରସ୍ତୁତ କରିଥିଲେ। ପାର୍ବତୀ ଖିଲାପଦର ସରପଞ୍ଚ, ସମିତିସଭ୍ୟ ଭାବେ ଦୁଇଟି ନାମାଙ୍କନ ଦାଖଲ କରିଛନ୍ତି। ପଦ୍ମପୁର ବ୍ଲକ୍ ରାଜନୀତିରେ ଗମାଙ୍ଗ ପରିବାରର ଦବଦବା ରହିଛି। ତ୍ରିନାଥଙ୍କ ବାପା ଲିଙ୍ଗା ଗମାଙ୍ଗ ୧୯୬୧ ମସିହାରୁ ଏବଂ ମାଆ ପୂର୍ଣ୍ଣବାସୀ ଗମାଙ୍ଗ ଖିଲାପଦର ସରପଞ୍ଚ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଛନ୍ତି। ଏବେ ବୋହୂ ପାର୍ବତୀ ସରପଞ୍ଚ ଅଛନ୍ତି। ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ସମୟ ପଦ୍ମପୁର ବ୍ଲକ୍ ରାଜନୀତିରେ ଗମାଙ୍ଗ ପରିବାରର ଦବଦବା ଥିବାରୁ ପଞ୍ଚାୟତ ନିର୍ବାଚନ ମତଦାନ ପୂର୍ବରୁ ତ୍ରିନାଥଙ୍କୁ ଦଳକୁ ଫେରାଇ ଆଣି ଜିଲ୍ଲା ପରିଷଦ ଓ ବ୍ଲକ୍ ଦଖଲ ବିଜୟ ପଥ ପରିଷ୍କାର କରିଛି ବିଜେଡ଼ି।
ସୂଚନାଯୋଗ୍ୟ, ତ୍ରିନାଥଙ୍କ ଘନିଷ୍ଠ ସହଯୋଗୀ ଗୁଡାରିର ବରିଷ୍ଠ ବିଜେଡ଼ି ନେତା କେ. ରାମକ୍ରିଷ୍ଣାଙ୍କୁ ମଧ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳରୁ ନିଲମ୍ବିତ କରିଥିଲା। ଗତ ୩ ମାସ ତଳେ ରାମକ୍ରିଷ୍ଣାଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଥିଲା। ଏବେ ତ୍ରିନାଥ ଦଳକୁ ଫେରିବା ପରେ ପୁଣି ଥରେ ଗୁଣପୁର ରାଜନୀତିର ଦୃଶ୍ୟପଟ୍ଟ ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୯ରେ ତ୍ରିନାଥଙ୍କ ବଦଳରେ ବିଜେଡ଼ି ଗୁଣପୁର ଆସନରୁ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/RGD_Bjd-Trinath-Gamango-1.jpg)