ଜାତୀୟ ରାଙ୍କିଂ ପ୍ରତିଯୋଗିତାରେ ୱିଣ୍ଡ୍‌ ସର୍ଫର୍ ନାରାୟଣ

ରାଉରକେଲା: ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ରାଉରକେଲା ବାଲୁଘାଟର ୱିଣ୍ଡ୍‌ ସର୍ଫର ନାରାୟଣ ମୁଣ୍ଡା(୧୭)। ମହୀଶୂରରେ ଆସନ୍ତା ୭ ତାରିଖରୁ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଜାତୀୟ ରୢାଙ୍କିଂ’ ପ୍ରତିଯୋଗିତାରେ ସେ ସାମିଲ ହୋଇଛନ୍ତି। ନାରାୟଣ ୧୯ ବର୍ଷରୁ କମ୍‌ ‘ଆର୍‌ଏସ୍‌-ୱାନ୍‌ ୱିଣ୍ଡ୍‌ ସର୍ଫିଂ’ ବର୍ଗରେ ଭାଗନେବେ। ଏଥିପାଇଁ ଓଡ଼ିଶା ‌ୟାଚିଂ ଆସୋସିଏସନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ରାଉରକେଲା ତଥା ରାଜ୍ୟ ପାଇଁଗୌରବ ଆଣିବାକୁ ଲକ୍ଷ୍ୟ ରଖିଥିବା ନାରାୟଣ କହିଛନ୍ତି।

ଉଲ୍ଳେଖଯୋଗ୍ୟ, ବାଲୁଘାଟର ମୂଳ ବାସିନ୍ଦା ନାରାୟଣ ଗତ ୨୦୧୪ ମସିହାରୁ କଟକସ୍ଥ ସିଲଭର ସିଟି ବୋଟ୍‌ କ୍ଲବରେ ଯୋଗଦେଇଥିଲେ। ସେବେଠାରୁ ସେ କ୍ଲବର ମୁଖ୍ୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସ୍କୁବା ଡାଇଭର ସବୀର ବକ୍ସ, ଜାତୀୟ ସ୍ବର୍ଣ୍ଣପଦକପ୍ରାପ୍ତ ୱିଣ୍ଡ୍‌ ସର୍ଫର ଡି. ଶେଖର ଦେଓଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ୨୦୧୬ ମସିହାରେ ନାରାୟଣ ସର୍ଫିଂ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଥିଲେ। ଗୋଆରେ ଅନୁଷ୍ଠିତ ‘ଜାତୀୟ ୱିଣ୍ଡ୍‌ ସର୍ଫିଂ’ ପ୍ରତିଯୋଗିତାରେ ବ୍ରୋଞ୍ଜ୍‌ ପଦକ ଜିଣିଥିଲେ। ଏନେଇ ସୂଚନା ଦେଇ ଶ୍ରୀ ବକ୍ସ କହିଛନ୍ତି, ଜାତୀୟ ରୢାଙ୍କିଂ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ନାରାୟଣ ନିଜର ପ୍ରସ୍ତୁତି କରିଛନ୍ତି। କଠୋର ଅଧ୍ୟବସାୟ ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଆଗାମୀ ପ୍ରତିଯୋଗିତାରେ ସେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ। ଏହି ଆଦିବାସୀ ଯୁବ କ୍ରୀଡ଼ାବିତ୍‌ଙ୍କ ସଫଳ କାହାଣୀ ଅନ୍ୟ ଯୁବକଯୁବତୀଙ୍କ ପାଇଁ ପ୍ରେରଣାଦାୟୀ ହେବ। ଏହାଦ୍ବାରା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବହୁ ପିଲା ଏଥିରେ ସାମିଲହେବାକୁ ସେ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର