ଖୋର୍ଦ୍ଧା: ଲକ୍‌ଡାଉନ୍ କଟକଣା ବି ରୋକି ପାରୁନି ବେଆଇନ ମଦ କାରବାର

ମଦ ବିକ୍ରି ଚାଲୁ କରି ସରକାର ସଂକଟକୁ ନବଢ଼ାନ୍ତୁ: ବୁଦ୍ଧିଜୀବୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତି ୧୦୦ଜଣରେ ୪୪ଜଣ ଦେଶୀ କିମ୍ବା ବିଦେଶୀ ମଦ ପିଉଛନ୍ତି ଏହିଥିଲା ୨୦୧୭ର ଜାତୀୟ ପରିବାର ସ୍ୱାସ୍ଥ୍ୟ ସମ୍ପର୍କିତ ସର୍ଭେ ରିପୋର୍ଟର ତଥ୍ୟ । ୨୦୧୮-୧୯ରେ ରାଜ୍ୟ ଅବକାରୀ ବିଭାଗର ତଥ୍ୟାନୁସାରେ ୨ ବର୍ଷ ମଧ୍ୟରେ ଜିଲ୍ଲାରେ ବେଆଇନ ମଦ କାରବାର ବୃଦ୍ଧି ପାଇବା ସହ ବିଦେଶୀ ମଦ ବିକ୍ରି ସଂଖ୍ୟା ମଧ୍ୟ ଆଶାତୀତ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଲକ୍‌ଡାଉନ୍ ସମୟରେ ଜିଲ୍ଲାରେ ମଦ ବିକ୍ରିକୁ ଅନୁମତି ଅନେକ ସମସ୍ୟାକୁ ସୃଷ୍ଟି କରିବା ସମ୍ଭାବନା ରହିଛି ।

୨୦୧୭ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ଜନସଂଖ୍ୟା ମଧ୍ୟରୁ ୪୪ ପ୍ରତିଶତ ଲୋକ ଦେଶୀ କିମ୍ବା ବିଦେଶୀ ମଦ ପିଉଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪୧.୬ ପ୍ରତିଶତ ଥିବା ବେଳେ ମହିଳାଙ୍କ ସଂଖ୍ୟା ୨.୪ ପ୍ରତିଶତ ରହିଛି । ତେବେ ୨୦୧୯ ନଭେମ୍ବରରେ ଅବକାରୀ ବିଭାଗ ଦ୍ୱାରା ବିଧାନସଭାରେ ଦିଆଯାଇଥିବା ତଥ୍ୟାନୁସାରେ, ରାଜ୍ୟରେ ବିଅର, ୱାଇନ୍ ଆଦି ବିକ୍ରି ତାଲିକାରେ ଖୋର୍ଦ୍ଧା ଜିଲ୍ଲା ସର୍ବପ୍ରଥମ ରହିଥିବା ବେଳେ ଗଂଜାମ ଜିଲ୍ଲା ଏହା ପଛକୁ ରହିଛି ।

ଖୋର୍ଦ୍ଧା ଜିଲ୍ଲାରେ ୨୦୧୮-୧୯ରେ ସମୁଦାୟ ୭୮ଟି ବିଦେଶୀ ମଦ (ଅଫ୍‌) ଦୋକାନ ରହିଥିବା ବେଳେ ୨୬ଟି ଦେଶୀ ମଦ ଦୋକାନ ରହିଥିଲା । ତେବେ ୨୦୧୯-୨୦ ତଥ୍ୟାନୁସାରେ ଏହା ମଧ୍ୟରୁ ଗୋଟିଏ ସରକାରୀ ଜମିରେ ଦୋକାନ କରିଥିବା ହେତୁ ଲାଇସେନ୍‌ସ ରଦ୍ଦ କରାଯାଇଥିବା ବେଳେ ୪ଟି ଦୋକାନର ଲାଇସେନ୍‌ସ ନବୀକରଣ ହୋଇନଥିବାରୁ ବନ୍ଦ ରହିଛି । ସେହିଭଳି ୧୧ଟି ଦୋକାନକୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଭିତ୍‌ତିରେ ସ୍ଥାନାନ୍ତର କରାଯାଇଛି । ଏହା ସତ୍ୱେ ଜିଲ୍ଲାରେ ୯୯ଟି ଦେଶୀ ଓ ବିଦେଶୀ ମଦ ଦୋକାନ ରହିଛି ।

ତେବେ ଲକ୍‌ଡାଉନ୍‌ରେ ଲୋକଙ୍କ ଗମନାଗମନ ଓ ଭିଡ଼ ଉପରେ କଟକଣା କିଛି ମାତ୍ରାରେ ସଫଳ ହୋଇଥିବା ବେଳେ ବେଆଇନ ମଦ ଓ ନିଶା କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରିନାହିଁ । ମାର୍ଚ୍ଚ ୨୨ ତାରିଖରୁ ଅପ୍ରିଲ୍ ୨୬ ତାରିଖ ମଧ୍ୟରେ ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୪୧ରୁ ଉର୍ଦ୍ଧ୍ୱ ଅବକାରୀ ମାମଲାରେ ୨୩ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୭୦୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିଲା । ଗତ ସପ୍ତାହରେ ଖୋର୍ଦ୍ଧା ଉପକଣ୍ଠ ତୋଟାପଡ଼ା ଛକ ନିକଟରେ ଥିବା ଏକ ଗୋଦାମରୁ ୩୨୦୦ ପେଟି ବିୟର ଓ ୱାଇନ୍‌କୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜବତ କରାଯାଇଥିଲା ।

ତେବ ଅବକାରୀ ବିଭାଗ ପକ୍ଷରୁ ଲକ୍‌ଡାଉନ୍ ସମୟରେ ବେଆଇନ ମଦ କାରବାର ରୋକିବାରେ ଆବଶ୍ୟକ ଆଗ୍ରହ ପରିଲକ୍ଷିତ ହୋଇନଥିଲେ ମଧ୍ୟ ଧର୍ମକୁ ଆଖିଠାର ଭଳି ଗତ ୪୦ ଦିନ ମଧ୍ୟରେ ୧୨ଟି ମାମଲାରେ ଶତାଧିକ କିଲୋ ଗଂଜେଇ ଜବତ କରାଯାଇଥିବା ବେଳେ ଓ ବେଆଇନ ଦେଶୀମଦ କାରବାର କରୁଥିବା ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଛି ।

ଏନେଇ ଖୋର୍ଦ୍ଧା ବ୍ୟବସାୟୀ ସଂଘର ଉପସଭାପତି ମଦନମୋହନ ରାମ କହିଛନ୍ତି ଯେ ଏଭଳି ସ୍ୱାସ୍ଥ୍ୟ ସଂକଟ ସମୟରେ ମଦ ଦୋକାନ ଖୋଲିବା କଥାନୁହେଁ । ଏହାଦ୍ୱାରା ସରକାରଙ୍କୁ ରାଜସ୍ୱ ମିଳିବ କିନ୍ତୁ ଅନେକ ପରିବାର ତଳିତଳାନ୍ତ ହୋଇଯିବେ । ସେହିଭଳି ଚାମ୍ବର ଅଫ୍ କମର୍ସର ପୂର୍ବତନ ସମ୍ପାଦକ ତଥା ବଜାର କମଟିର ବରିଷ୍ଠ ସଭ୍ୟ କ୍ଷୀରୋଦ ସାହୁ କହିଛନ୍ତି ଯେ ମଦ ଦୋକାନ ଖୋଲିବା ଉଚିତ ନୁହେଁ । ଏହାଦ୍ୱାରା ସଂକଟ ଆହୁରି ବୃଦ୍ଧି ପାଇବ । ଏଭଳି ଦୀର୍ଘ ଦିନ ବନ୍ଦ ରହିବା ଦ୍ୱାରା ଅନେକ ନିଶାଶକ୍ତ ସୁଧୁରି ଯିବେ ଓ ଅନେକ ପରିବାର ବଂଚିଯିବ । ଖୋର୍ଦ୍ଧା ବିକଶ ପରିଷଦ ଆବାହକ ଶକ୍ତି ମିଶ୍ର କହିଛନ୍ତି ଯେ ସରକାର ମଦ ବନ୍ଦ କରିବାକୁ ନିଷ୍ପତ୍‌ତି ନେଇଥିଲେ କିନ୍ତୁ ଚୋରା ମଦକୁ ପ୍ରୋତ୍ସାହନ ଦେଉଥିଲେ । ଏଣୁ ଆଇନତଃ କିମ୍ବା ବେଆଇନରେ ମଦ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରନ୍ତୁ ।

ସମ୍ବନ୍ଧିତ ଖବର