ଧାନ ଫସଲ ନଷ୍ଟ କଲେ, ପାଇପ୍‌ କାଟିଲେ ବେପାରୀ

ମଦ ବେପାରକୁ ବିରୋଧ କରି ଏସ୍‌ଏଚ୍‌ଜି ସଭ୍ୟା ଆକ୍ରୋଶର ଶିକାର

ଭଟଲି: ଗାଁରେ ଚାଲିଥିବା ମଦ ବେପାରକୁ ବିରୋଧ କରିବାରେ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି ଅସାଧୁ ମଦ ବେପାରୀ। କେତେକ ସଦସ୍ୟାଙ୍କ ଜମିରେ ଘାସ ମରା ଔଷଧ ପକାଇ ଧାନ ଫସଲ ନଷ୍ଟ କରିଥିବା ବେଳେ କେତେକଙ୍କ ଜମିରେ ଥିବା ଗଭୀର ନଳକୂଅର ପାଇପ୍‌ କାଟି ଦେଇଥିବା ଭଳି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ଅନ୍ତପାଲି ଗାଁରୁ। ସୂଚନାନୁସାରେ ଅନ୍ତପାଲି ଗାଁରେ ମଦ ବିକ୍ରି ବନ୍ଦ କରିବା ସହ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗାଁର ଏସ୍‌ଏଚ୍‌ଜି ସଦସ୍ୟା ଓ ମହିଳାମାନେ। ଗାଁରେ ଖୋଲାଖୋଲି ମଦ ବିକ୍ରି ଯୋଗୁଁ ଅଶାନ୍ତି ବଢ଼ି ଚାଲିଥିବା, ହାତ ପାଆନ୍ତ ମଦ ମିଳୁଥିବାରୁ ସ୍କୁଲ୍‌ ଓ କଲେଜ ପିଲା ବି ତାହା ପିଉଥିବାରୁ ପରିବାରରେ ଅଶାନ୍ତି ବଢ଼ିବାରେ ଲାଗିଛି।
ଏହା ସହ ଲୋକେ ବିଶେଷ କରି ମହିଳାମାନେ ଆର୍ଥିକ ଅନଟନର ସମ୍ମୁଖୀନ ହେଉଛନ୍ତି। ପ୍ରତିବାଦ ସ୍ୱରୂପ ଗାଁର କଲ୍ୟାଣୀ, ମା’ ଚନ୍ଦ୍ରସେନୀ, ମା’ କରମସାନି, ମା’ ସମଲେଇ ଓ ଗଜଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟାଙ୍କ ସହ ମହିଳାମାନେ ମଦ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି। ଏକଜୁଟ ହୋଇ ସେମାନେ ମଦ ରନ୍ଧା ଓ ବିକ୍ରି ସଂପୂର୍ଣ୍ଣ ବନ୍ଦ କରାଇଛନ୍ତି। ଫଳରେ ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି ଅସାଧୁ ମଦ ବେପାରୀ। ଆନ୍ଦୋଳନର ନେତୃତ୍ୱ ନେଉଥିବା ମହିଳାମାନଙ୍କୁ ସେମାନେ ବିଭିନ୍ନ ପ୍ରକାରେ ଧମକ ଚମକ ଦେବାକୁ ପଛାଉ ନାହାନ୍ତି। ଏପରିକି ଆନ୍ଦୋଳନର ନେତୃତ୍ୱ ନେଉଥିବା ଧୀରା ଭୁଏଙ୍କ ୫୦ ଡିିସିମିଲ୍‌ ଜମିରେ ଘାସ ମରା ଔଷଧ ପକାଇ ଧାନ ଫସଲ ମାରି ଦେଇଥିବା ତଥା ଅନ୍ୟତମ ସଦସ୍ୟା ବେଦମତି ନାଏକଙ୍କ ଜମିରେ ଲାଗିଥିବା ଗଭୀର ନଳକୂଅର ପାଇକ୍‌ କାଟି ମୋଟର୍‌ଟିକୁ ତଳେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏହାର ତଦନ୍ତ କରି ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଅନ୍ତପାଲି ଗାଁର ଏସ୍‌ଏଚ୍‌ଜି ସଦସ୍ୟା ଓ ମହିଳାମାନେ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର