ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ୍ର ଶିମିଳିପାଲ ପଞ୍ଚାୟତ କାର୍ଯ୍ୟାଳୟରେ ଅତ୍ୟନ୍ତ ଖାମଖିଆଲି ଓ ଅବହେଳାର ନଗ୍ନ ରୂପ ଦେଖିବାକୁ ମିଳିଛି। କାର୍ଯ୍ୟାଳୟରେ ନିୟମିତ ମଦର ଆସର ବସୁଥିବା ବେଳେ ମଦ୍ୟପମାନେ ଆଡ୍ଡା ଜମାଇ ଆସାମାଜିକ ପରିବେଶ ସୃଷ୍ଟି କରୁଛନ୍ତି। ସରକାରୀ କାମ ବାଧାପ୍ରାପ୍ତ ହେଉଛି ଏବଂ କୌଣସି ସରକାରୀ ଅଧିକାରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରୁ ନଥିବାରୁ ଘଟଣାଟି ବିଭିନ୍ନ ମହଲରେ ଚର୍ଚା ରହି ଆଲୋଡ଼ନ ସୃଷ୍ଟି କରିଛି।
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଅଫିସ ପ୍ରକୋଷ୍ଠରେ ରାତିସାରା ମଦ୍ୟପାନର ଆସର ଚାଲେ। ସକାଳେ ପ୍ରବଳ ଉତ୍ତେଜନା ରହିଥାଏ ଏବଂ ହିତାଧିକାରୀ କାର୍ଯ୍ୟାଳୟକୁ ଆସିଲେ ଦୁର୍ବ୍ୟବହାର ଏବଂ ଆକ୍ରୋଶର ଶିକାର ହୋଇଥାନ୍ତି। କାରଣ ସକାଳ ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀ ମଦର ନିଶା ଛାଡ଼ି ନଥାଏ। ନିୟମିତ ଏହା ଚାଲୁଥିବାରୁ ପଞ୍ଚାୟତବାସୀ ଏବଂ ହିତାଧିକାରୀ ମଧ୍ୟ ଏଥିରେ ଅତିଷ୍ଠ ରହିଛନ୍ତି। କାର୍ଯ୍ୟାଳୟରେ ଖୋଲା ମଦର ବୋତଲ ପଡ଼ି ରହୁଥିବା ବେଳେ ଅଭିଯୋଗ ରହିଛି ଯେ ଅଧିକାରୀ ଜଣକ ବିଭିନ୍ନ ଭତ୍ତା, ଇନ୍ଦିରା ଆବାସ କରାଇ ଦେବା ନାଁରେ ହିତାଧିକାରୀଙ୍କଠାରୁ ଆଗତୁରା ଅର୍ଥ ଦାବି କରନ୍ତି। ବିିଭିନ୍ନ ଗାଁରେ ସେ ଦଲାଲ ଜରିଆରେ ସରକାରୀ କାମ କରାଉଛନ୍ତି। ଅର୍ଥ ନ ହେଲେ ହିତାଧିକାରୀ ହଇରାଣ ହେବା ନିଶ୍ଚିତ।
ସରକାରୀ ଯୋଜନା ଏହି ପଞ୍ଚାୟତରେ କିଭଳି ରୂପାୟନ ହେଉଥିବା ସହଜରେ ଅନୁମାନ କରାଯାଇପାରେ। ଦଲାଲ-ହିତାଧିକାରୀଙ୍କ ଏହି ଅସାମାଜିକ ତଥା ବେଆଇନ କାର୍ଯ୍ୟ ଉପରେ ଉପରିସ୍ଥ ଅଧିକାରୀ ଦୃଷ୍ଟି କେବେ ପଡ଼ୁ ନଥିବା ବେଳେ ସରପଞ୍ଚ ସଂଜୀବ ତରିଆ ଏହି ଘଟଣାକୁ ସ୍ୱୀକାର କରିଛନ୍ତି। ଶ୍ରୀ ତରିଆ ସଂପୃକ୍ତ ଅଧିକାରୀ ଗଜେନ୍ଦ୍ର ବାଘଙ୍କୁ ତାଗିଦ ମଧ୍ୟ କରିଛନ୍ତି। ହେଲେ, ବାବୁଙ୍କ କାହାରି କଥାକୁ ଖାତିର ନାହିଁ। ଏ ସଂପର୍କରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଉଦୟନାଥ ବେହେରା କହିଛନ୍ତି ଯେ ଅଭିଯୋଗର ତଦନ୍ତ ହେବ। ସତ୍ୟତା ପ୍ରମାଣିତ ହେଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ, ଏଭଳି ଏକ ଗୁରୁତର ଏବଂ ସମ୍ବେଦନଶୀଳ ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/drinking-wine-.jpg)