ପୁଲିସ୍ ଧରୁଛି, ଅବକାରୀ ବିଭାଗ ଶୋଇଛି: ଲକ୍‌ଡାଉନ୍‌ରେ ବାରିପଦାରେ ବିକ୍ରି ହେଉଛି ଅରୁଣାଚଳପ୍ରଦେଶ ଓ ହରିୟାଣା ମଦ

ବଢ଼ୁଛି ଅପମିଶ୍ରଣର ଭୟ, ବିପଦରେ ନିରୀହ ଜନତା

ବାରିପଦା: କରୋନା ଜନିତ ଲକ୍ଡାଉନ ବାରିପଦାର ମଦ ବ୍ୟବସାୟୀଙ୍କ ଉପରେ କୌଣସି ପ୍ରଭାବ ପକାଇନଥିବା ପରିଲକ୍ଷିତ ହୋଇଛି। ବରଂ ସେମାନେ ଆହୁରି ଅଧିକ ଲାଭବାନ ହୋଇଛନ୍ତି। ଓଡ଼ିଶାରେ ବିକ୍ରିପାଇଁ ଅନୁମତି ନଥିବା ଡ୍ୟୁଟି ଫ୍ରି ଅରୁଣାଚଳ ପ୍ରଦେଶ, ହରିୟାଣାରୁ ମଦ ମଧ୍ୟ ଜିଲ୍ଲା ସଦରମହକୁମା ବାରିପଦାରେ ଖୁଲମଖୁଲା ବିକ୍ରି ଚାଲିଛି। ସହରର ଦାରଗାଡାହି ଏବଂ ମୁର୍ଗାବାଡ଼ି ଛକରେ ନିର୍ଦ୍ଦିଷ୍ଟ କିଛି ଢାବାରେ ଚାଲିଛି ଅବାଧ ବେଆଇନ୍ ମଦ ବିକ୍ରି। କିଛି ପ୍ରଭାବଶାଳୀ ମଦ ବ୍ୟବସାୟୀଙ୍କଠାରୁ ଜାତୀୟ ରାଜପଥ କଡ଼ରେ ଖୋଲିଥିବା କିଛି ଢାବାରେ ଚାଲୁଛି ଏହି କାରବାର।

ଅବକାରୀ ବିଭାଗର ନାକତଳେ ଏହି କାର୍ଯ୍ୟ ହେଉଥିଲେ ମଧ୍ୟ ସବୁଜାଣି ନୀରବଦ୍ରଷ୍ଟା ସାଜିଛି ବିଭାଗ। ଗୁରୁତ୍ବପୂର୍ଣ୍ଣ ବିଷୟ ଏହାଯେ ଲକ୍‌ଡାଉନ୍‌ରେ ସହରର ସମସ୍ତ ମଦ ଦୋକାନକୁ ସିଲ୍ କରାଯାଇଛି। ମାତ୍ର କିପରି ବହୁଳ ପରିମାଣରେ ମଦ ବିକ୍ରି ହେଉଛି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛୋଟ ଛୋଟ ଢାବା ଓ   ବଡ଼ ମଦ ବ୍ୟବସାୟୀଙ୍କ ନିକଟରୁ ଚୋରାରେ ମଦ କିଣୁଛନ୍ତି। ଆଉ ଏହାକୁ ତିନିଗୁଣା ଦରରେ ସାଧାରଣଲୋକଙ୍କୁ ବିକୁଛନ୍ତି। ବାରିପଦାରେ ବର୍ତ୍ତମାନ ମଦର ଅଭାବ ନାହିଁ କହିଲେ ଚଳେ। ଯେଉଁଠି ଖୋଜିଲେ ମିଳୁଛି ମଦ। ସଞ୍ଜ ନଇଁଲେ ଜାତୀୟ ରାଜପଥ କଡ଼ରେ ଚାଲୁଛି ଆସର। ବର୍ତ୍ତମାନ ସମୟରେ ଅପମିଶ୍ରଣର ଭୟ ମଧ୍ୟ ଘାରିଛି। ମିଳିଥିବା

ସୂଚନା ଅନୁସାରେ କିଛି ପ୍ରଭାବଶାଳୀ ଅସାଧୁ ମଦ ବ୍ୟବସାୟୀ ଅପମିଶ୍ରିତ ମଦ ବିକ୍ରି କରୁଛନ୍ତି। ଯାହାକି ଧନଜୀବନ ହାନିର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। କିଛି କିଛି ଜାଗାରେ ପୁଲିସ୍ ଚଢ଼ଉ କରି ଅଳ୍ପ କିଛି ମଦ ଜବତ କରୁଛି। ମାତ୍ର ଅବକାରୀ ବିଭାଗ କେବଳ କିଛି ଦେଶୀମଦ ବେପାରୀଙ୍କୁ ଧରି ଦାୟିତ୍ବ ସାରିଦେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋଟା ଅଙ୍କର ଚାନ୍ଦା ନେଇ ଅବକାରୀ ଅଧିକାରୀମାନେ ଆରାମରେ ଶୋଇଛନ୍ତି।  ଜିଲ୍ଲା ସଦରମହକୁମାରେ ସେପରି ଆଖିଦୃଶିଆ ରେଡ୍ ହୋଇନାହିଁ। ସାଧାରଣଲୋକ ଅବକାରୀ ବିଭାଗ ଅଛି କି ନାହିଁ ଜାଣିପାରୁନାହାନ୍ତି।

ନିକଟରେ ବାରିପଦା ଟାଉନ୍ ଥାନା ପୁଲିସ୍ ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ପାଲବଣି ଗୋଲେଇ ନିକଟରୁ ବାରିପଦା ଟାଉନ୍ଥାନା ପକ୍ଷରୁ ଚଢ଼ଉ କରାଯାଇ ୨୨ ଲିଟରରୁ ଊର୍ଧ୍ବ ବିଦେଶୀ ମଦ ଜବତ କରିଛି। ଅଭିଯୁକ୍ତ ଚୋରା ବିଦେଶୀ ମଦ ବ୍ୟବସାୟୀ ବିଶ୍ୱଜିତ ଲେଙ୍କାକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ବିଭିନ୍ନ ବ୍ରାଣ୍ଡ୍ର ବିଦେଶୀ ମଦ ଜବତ କରାଯାଉଛି। ତେବେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାରେ ସମସ୍ତ ସରକାରୀ ମଦ ଦୋକାନକୁ ସିଲ କରାଯାଇ ଥିବା ବେଳେ ଏହି ଚୋରା ମଦ କେଉଁଠୁ ଏବଂ କିପରି ଆସୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବକାରୀ ବିଭାଗ ସତର୍କ ନହେଲେ ବିଷାକ୍ତ ମଦମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

ସମ୍ବନ୍ଧିତ ଖବର