ଚୋରା ମଦ ବେପାରୀଙ୍କ ଧମକଚମକ: ଏସ୍‌.ପି.ଙ୍କୁ ଫେରାଦ୍ ହେଲେ ଲାଇସେନ୍ସ୍‌ପ୍ରାପ୍ତ ଭେଣ୍ଡର୍ 

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ଭାଟକୁମରଡ଼ା ଗ୍ରାମରେ ଦେଶୀ ମଦ କାରବାରକୁ ନେଇ ବିବାଦ ଉପୁଜିଛି। ଏଭଳି ପରିସ୍ଥିତିରେ ଚୋରା ମଦବେପାରୀଙ୍କଠୁ ଧମକ ମିଳୁଥିବା ଅଭିଯୋଗ ଆଣି ଲାଇସେନ୍ସ୍‌ପ୍ରାପ୍ତ ଦେଶୀ ମଦ ଭେଣ୍ଡର ରମେଶ ଚନ୍ଦ୍ର ସାହୁ ଆଜି ସପରିବାର ଗଞ୍ଜାମ ଏସ୍‌.ପି.ଙ୍କୁ ଫେରାଦ୍ ହୋଇଛନ୍ତି।

ରମେଶଙ୍କ ଅଭିଯୋଗ ହେଉଛି, ଲକଡାଉନ୍ ବେଳେ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି ବନ୍ଦ ରହିଥିଲା। ଏହି ସମୟରେ ହିଞ୍ଜିଳି ନିକଟ ଗୋପୀନାଥପୁର ଅ‌ଞ୍ଚଳର ନାରାୟଣ ସାହୁ ଓ ବାଘଳା ଅଞ୍ଚଳର ଟୁନା ସାହୁ ମିଶି ବ୍ୟାପକ ଚୋରା ମଦ କାରବାର କରିଆସୁଥିଲେ। ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦେଇ ଚାଲିଥିଲା। କଟକଣା‌ କୋହଳ ସହ ଅନୁମତି ମିଳିବା ପରେ ସେ ଭାଟି ଖୋଲିଥିଲେ। ତଥାପି ଉକ୍ତ ଇଲାକାରେ ଚୋରା ମଦ କାରବାର ପୂର୍ବ ଭଳି ଚାଲୁ ରହିଥିଲା। ଏହାକୁ ନେଇ ଭେଣ୍ଡର୍ କର୍ମଚାରୀ ରଞ୍ଜନ କୁମାର ସାହୁ ଓ ସୁବାସ ଚନ୍ଦ୍ର ପଣ୍ଡା ପ୍ରତିବାଦ କରିବାରୁ ସେମାନଙ୍କୁ ଗତ ୨୬ ତାରିଖରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏସଂକ୍ରାନ୍ତରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଫଳରେ ସେ ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏଙ୍କ ଦ୍ବାରସ୍ଥ ହୋଇଥିବା ରମେଶ କହିଛନ୍ତି। ଅନ୍ୟପକ୍ଷରେ ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପ୍ରଦାନ ଦିଗରେ ଏସ.ପି.ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡ଼ା ଗ୍ରାମର ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭେଣ୍ତର ସୁରେଶ ଚନ୍ଦ୍ର ସାହୁ ମଧ୍ୟ ଏଭଳି ଅଭିଯୋଗ ନେଇ ଗଞ୍ଜାମ ଏସ୍‌.ପିଙ୍କ ଦ୍ବାରସ୍ଥ ହୋଇଥିଲେ। ଗ୍ରାମରେ କିଛି ଲୋକ ତାଙ୍କୁ ଦାଦାବଟି ମାଗିବା ସହ ସବୁବେଳେ ମଦ ଭାଟିରେ ଗଣ୍ତଗୋଳ ସୃଷ୍ଟି କରୁଛନ୍ତି। ଦାଦାବଟି ନ ଦେବାରୁ ବାହାର ଅ‌ଞ୍ଚଳରୁ ଚୋରା ମଦ ଆଣି ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରିଆସୁଛନ୍ତି। ସୁରକ୍ଷା ପାଇଁ ଶ୍ରୀ ସାହୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର