ଖସୁଛି ପାରଦ, ଶାଳ ଜଙ୍ଗଲରୁ ଭାସି ଆସୁଛି ଶୀତର ପହିଲି ସ୍ପର୍ଶ

ବାରିପଦା: ଅପୂର୍ବ ଜଙ୍ଗଲ ଓ ପ୍ରାକୃତିକ ଶୋଭାରାଜିରେ ପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାକୁ ମୃଦୁ ମନ୍ଦର ଗତିରେ ଆସୁଛି ଶୀତ। ପାରଦ ତଳକୁ ଖସିବା ସହିତ ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ ମଧ୍ୟରୁ ଭାସିଆସୁଛି ଶୀତର ପହିଲି ସ୍ପର୍ଶ। ଏହାକୁ ନେଇ ଜିଲ୍ଲାରେ ଉତ୍ସାହ ଦେଖାଦେଇଛି। ଏହାମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଯାଇଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସୁଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଶୀତର ଆନନ୍ଦ ଅନୁଭବ ସମସ୍ତଙ୍କ ମନପ୍ରାଣରେ ଶିହରଣ ଆଣିଥାଏ। ଶିମିଳିପାଳର ପାଦଦେଶ ହେଉ ଅବା ସଂସ୍କୃତି ସହର ବାରିପଦା ସବୁଠି ଥାଏ ଶୀତୁଆ ସକାଳର ଅପୂର୍ବ ମହକ।

କରୋନା ମହାମାରୀ ଶୀତରେ ଆହୁରି ପ୍ରାବଲ୍ୟ ଦେଖାଇବାର ଆଶଙ୍କା ଥିଲେ ମଧ୍ୟ ଏବେଠାରୁ ଶୀତୁଆ ସକାଳରେ ଗହଳି ଲାଗିଲାଣି। ଶତାଧିକ ସଂଖ୍ୟାରେ ମହିଳା ପୁରୁଷ ସକାଳୁ ସକାଳୁ ଚାଲିବା ଏବଂ ବ୍ୟାୟାମ କରିବା ନିମନ୍ତେ ବାହାରୁଥିବା ପରିଲକ୍ଷିତ ହେଲାଣି। ଚଳିତ ମାସ ଆରମ୍ଭରେ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ଥିଲା। ୨ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ, ୩ରେ ସର୍ବୋଚ୍ଚ ତାପମାତ୍ରା ୩୩ ଓ ସର୍ବନିମ୍ନ ତାପମାତ୍ରା ୨୨, ୪ରେ ସର୍ବୋଚ୍ଚ ତାପମାତ୍ରା ୩୨ ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ମାତ୍ର ୫ରେ ତାପମାତ୍ରା ୨୦ ଡିଗ୍ରୀକୁ ଖସିଥିଲା। ୬ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଥିବାବେଳେ ୭ରେ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ତେବେ ଆଜି ଦିନରେ ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ଥିବା ବେଳେ ରାତିରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ତଳକୁ ଖସିବାର ପୂର୍ବାନୁମାନ କରାଯାଇଛି । ଶୀତର ଆଗମନକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ଶୀତ ବସ୍ତ୍ର କିଣିବାରେ ଆଗ୍ରହ ପ୍ରକାଶ ପାଇଛି ।

ଭଳିକି ଭଳି ଶୀତ ବସ୍ତ୍ରର ସମ୍ଭାର ବାରିପଦାରେ ଦେଖିବାକୁ ମିଳିଲାଣି। ତେବେ ପୂର୍ବରୁ ଏହି ସମୟକୁ ଶୀତର ପ୍ରକୋପ ଆହୁରି ପଡ଼ିଥାଏ ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ବଜାରକୁ ଶୀତବସ୍ତ୍ର କିଣିବାକୁ ଆସିଥିବା ବାରିପଦା ପୋଡ଼ାଅସ୍ତିଆ ଗ୍ରାମର ପ୍ରଭାସ ସେଠୀଙ୍କ କହିବା ଅନୁସାରେ ଆଗର ଶୀତ ଆଉ ଦେଖିବାକୁ ମିଳୁ ନାହିଁ । ପୂର୍ବରୁ ବାରିପଦା ବଡ଼ଦାଣ୍ଡରେ କୁମାର ଉତ୍ସବରେ ଅନୁଷ୍ଠିତ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ ଆସୁଥିବା ଜ୍ୟାକେଟ ଟୋପି ଆଦିରେ ଶରୀରକୁ ଘୋଡ଼େଇ ଆସୁଥାଉ । କାଳୀପୂଜା ସମୟ ବେଳକୁ ରାତିରେ ରେଜେଇ ଘୋଡ଼େଇ ହୋଇ ଶୋଇ ଥାଉ । କିନ୍ତୁ ବର୍ତ୍ତମାନ ସେହି ଶୀତ ନାହିଁ କି ପୂର୍ବର ମୟୂରଭଞ୍ଜର ହାଡ଼ ଥରା ଶୀତ ଆଉ ଅନୁଭୂତ ହେଉ ନାହିଁ । ତଥାପି ଦୁଇ ଦିନ ହେବ ରାତି ସମୟରେ ଶୀତ ଅନୁଭୂତ ହେଉଛି। ତେଣୁ ଶୀତକୁ ଲକ୍ଷ୍ୟ କରି ଘରର ଛୋଟ ପିଲାମାନଙ୍କ ନିମନ୍ତେ ଶୀତ ବସ୍ତ୍ର କିଣିବାକୁ ଆସିଥିଲେ ବୋଲି ପ୍ରକାଶ କରିଥିଲେ ।

କରୋନା କାରଣରୁ ଶୀତକୁ ନେଇ ଜନସାଧାରଣଙ୍କ ମନରେ ସାମାନ୍ୟ ଆଶଙ୍କା ରହିଛି। ତଥାପି ଚଳିତ ଶୀତ ସମସ୍ତଙ୍କ ପାଇଁ ଆନନ୍ଦ ଆଣିଦେଉ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର