ଶୀତରେ ଥରୁଛି ରାୟଗଡ଼ା

ରାୟଗଡ଼ା : ‘‘ଶୀତ କଲାରେ ମିତର ଭାଇ, ବାଟରେ ବସିଛି କାଚ କଣ୍ଡେଇ। ଖାଉଛି ଗଞ୍ଜେଇ ଗାଉଛି ଗୀତ, ପିଠିରେ ପକାଇ ନେଉଛି  ଶୀତ…’’।

ନିୟମଗିରି ସମେତ ଆଦିବାସୀ ଅଧ୍ୟୁଷିତ ମାଳଭୂମି ରାୟଗଡ଼ାର ଗାଁ ଗଣ୍ଡାରେ ଶୀତକୁ ନେଇ ଶୁଭୁଛି ଏମିତି ଲୋକ ଗୀତ। ସକାଳ, ସଞ୍ଜରେ ନିଆଁ ଉମେଇ ନିକଟରେ ବସି ଖଟି ଗପ ସହ ଗୀତ ଗାଇ ଶୀତକୁ ଉପଭୋଗ କରୁଛନ୍ତି ଡଙ୍ଗରିଆ, ଆଦିବାସୀ ଓ ସାଧାରଣ ସଂପ୍ରଦାୟର ଲୋକ ।

ଗତ ଏକ ସପ୍ତାହ ହେଲା ରାୟଗଡ଼ାରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାରଦ ୧୬ ଡିଗ୍ରୀକୁ ଖସିଥିବା ବେଳେ  ମଧ୍ୟରାତ୍ରି ଓ ଭୋରରେ ଶୀତର ପ୍ରକୋପ ଅଧିକ ରହୁଛି। ପୂର୍ବ ବର୍ଷ ତୁଳନାରେ ଯଦିଓ ରାୟଗଡ଼ାରେ ଶୀତ ଏତେଟା ଅନୁଭବ ହୋଇନାହିଁ କିନ୍ତୁ ଆଗକୁ ଶୀତର ପ୍ରକୋପ ଅଧିକ ରହିବ। ଥଣ୍ଡା ପାଗରେ ବଣ, ଜଙ୍ଗଲ ସବୁଜ ବନାନିରେ ପରିପୂର୍ଣ୍ଣ ହୋଇଥିବା ପାହାଡ଼ି ତଳ ଅଞ୍ଚଳ ସୋରିଷ ଫୁଲରେ ସଜେଇ ହୋଇଛି। ଶୀତୁଆ ସକାଳ ସହିତ ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କିଏ ମର୍ଣ୍ଣିଂ ୱାକରେ ବାହାରି ଘାଟି ଉପରକୁ ଯାଉଛନ୍ତି ତ କିଏ ନିଆଁ ପାଖରେ ଏବଂ କିଏ କିଏ ଚାହା ଖଟିରେ ଆଡ୍ଡା ଜମାଉଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଶୈଳୀ ଶୀତ‌ରେ ଟିକେ ନିଆରା। ଜୀବନ ଜୀବିକାର ଦୋ ଛକିରେ ବନ୍ଧା ଆଦିବାସୀ ହାଡଫଟା ଶୀତକୁ ଖାତିର ନ କରି ରାତି ପାହିବା ପୂର୍ବରୁ କର୍ମକ୍ଷେତ୍ରକୁ ଗୋଡ଼ କାଡୁଛନ୍ତି। ମହିଳାମାନେ ରାତି ଅଧାରୁ ଜଙ୍ଗଲରୁ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ପୁରୁଷମାନେ ଚାଷକାର୍ଯ୍ୟରେ ସାମିଲ୍ ହେଉଛନ୍ତି। ଶୀତରେ ବେଶ୍ ମନୋରମ ହୋଇ ଉଠୁଥିବା ମାଳଭୂମିର ସୌନ୍ଦର୍ଯ୍ୟକୁ କିନ୍ତୁ ଚଳିତ ବର୍ଷ ଉପଭୋଗ କରିବାରୁ ବଞ୍ଚିତ ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ। କରୋନା କଟକଣା ପର୍ଯ୍ୟଟକଙ୍କ ବାଟ ଓଗାଳିଛି। ବି‌ଶେଷ କରି ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ରାୟଗଡ଼ାକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ନିୟମଗିରି ପାହାଡ଼ ଉପରେ ଥିବା ଡଙ୍ଗରିଆ ଗାଁ ସମେତ ଗୁଣପୁରର ଲାଞ୍ଜିଆ ସଉରା ରହୁଥିବା ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକମାନେ ବୁଲିଥାନ୍ତି।

ପାଣିପାଗ ବିଭାଗର ସୂଚନା ମୁତାବକ, ୩/୪ ଦିନ ପରେ ଶୀତର ପ୍ରକୋପ ଅଧିକ ରହିବ। ଏବେ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୨୮ ଡିଗ୍ରୀ ଏବଂ ସର୍ବନିମ୍ନ ୧୬ ଡିଗ୍ରୀ ରହୁଛି। ପାହାଡ଼ିଆ ଇଲାକାରେ ସର୍ବନିମ୍ନ ତାପମାତ୍ରା ଏବେ ୧୨ରୁ ୧୪ ଡିଗ୍ରୀ ମଧ୍ୟରେ ରହୁଛି। ଆଗକୁ ଶୀତ ବଢ଼ିଲେ ସର୍ବନିମ୍ନ ତାପମାତ୍ରା ସହରାଞ୍ଚଳରେ ୧୦ ଡିଗ୍ରୀ ଏବଂ ଗ୍ରାମାଞ୍ଚଳରେ ୬ରୁ ଡିଗ୍ରୀ ମଧ୍ୟରେ ରହିବ। ବିଷମକଟକ, କଲ୍ୟାଣସିଂହପୁର, ମୁନିଗୁଡାକୁ ଲାଗିଥିବା ନିୟମଗିରି ଅଞ୍ଚଳ ଓ କାଶୀପୁର ଖଣି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିବ।

ସମ୍ବନ୍ଧିତ ଖବର