ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ୧୭ ଦିନ ପରେ ମାଟି ତଳୁ ଶବ ଉଦ୍ଧାର, ଅଭିଯୁକ୍ତ ଥାନାରେ ଅଟକ

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କଦମଡ଼ିହି ଗ୍ରାମରେ ଗୁଣିଗା‌ରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ଦୀର୍ଘ ୧୭ ଦିନ ପରେ ମାଟି ତଳୁ ତାଙ୍କର ଗଳିତ ଶବକୁ ପୁଲିସ ଉଦ୍ଧାର କରିବା ସହିତ ଘଟଣାରେ ସଂପୃକ୍ତ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ମୃତକ ଜଣଙ୍କ ହେଲେ ଗ୍ରାମର ନିରାଶ ମୁଣ୍ଡା(୫୮)।

ସୂଚନା ଅନୁଯାୟୀ ନିରାଶ ମୁଣ୍ଡାଙ୍କ ପଡୋଶୀ ହେଉଛନ୍ତି ଛବି ମୁଣ୍ଡା। ଛବିଙ୍କ ସ୍ତ୍ରୀଙ୍କର ବର୍ଷକ ତଳେ ଜ୍ବର ହୋଇଥିଲା। ଛବି ତାଙ୍କୁ ମେଡ଼ିକାଲ ନେଇ ନଥିଲେ। ଜ୍ବର ଦୀର୍ଘ ଦିନ ଧରି ଲାଗି ରହିବାରୁ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ନିରାଶ ତାଙ୍କୁ ଗୁଣିଗାରେଡ଼ି କରି ମାରି ଦେଇଥିବା ଛବି ସନ୍ଦେହ କରିଥିଲେ। ଏଥିପାଇଁ ସେ ପ୍ରତିଶୋଧ ପରାୟଣ ହୋଇ ନିରାଶଙ୍କୁ ବାଟରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଗତ ୫ ତାରିଖ ସନ୍ଧ୍ୟାରେ ନିରାଶ ଘର ପାଖରେ ଥିବା ବେଳେ ଛବି ତାଙ୍କୁ ଟାଣି ନେଇ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା କରି ସାରିବା ପରେ ଏକାକୀ ବୋହି ନେଇ ଗାଁ ପାଖ ନାଳ କଡ଼ରେ ପୋତି ଦେଇଥିଲା। ନିରାଶ ହଠାତ ନିଖୋଜ ହୋଇଯିବାରୁ ପୁଅ ଶୁକ୍ରା ମୁଣ୍ଡା ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ପାଇ ନଥିଲେ। ଗତକାଲି ବୁଲୁଥିବା ବେଳେ ଗାଁ ପାଖ ନାଳ କଡ଼ରେ ନିରାଶଙ୍କ କିଛି ବ୍ୟବହୃତ ସାମଗ୍ରୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରେ ଗୋଡ଼ ଦୁଇଟି ମାଟି ଉପରକୁ ଦେଖାଯାଉଥିଲା। ଏନେଇ ନୟାକୋଟ ଥାନାକୁ ଯାଇ ପୁଲିସକୁ ଜଣାଇଥିଲେ। ଆଜି ନୟାକୋଟ ଥାନାଧିକାରୀ ବିଦେଶୀ ବାଗ, ଏଏସଆଇ ସୁଶାନ୍ତ ସେଠୀ ସଦଳବଳ ଘଟଣାସ୍ଥଳକୁ ଯାଇ ଶବ ଖୋଳି ବାହାର କରିଥିଲେ। ଛବି ମୁଣ୍ଡା ଉପରେ ସନ୍ଦେହ ହେବାରୁ ତାଙ୍କୁ ପୁଲିସ କାବୁ କରି ଥାନାକୁ ନେଇଥିଲା। ଘଟଣା ସମ୍ପର୍କରେ ପଚାରିବାରୁ ସେ କେମିତି ହତ୍ୟା କରିଥିଲା ବିସ୍ତୃତ ଭାବେ ପୁଲିସ ଆଗରେ ବର୍ଣ୍ଣନା କରିଥିଲା। ମାଜିଷ୍ଟ୍ରେଟ ତହସିଲଦାର ସପନ କୁମାର ସାହୁ, ସଦର ଏସ୍ଡି‌ପିଓ ପ୍ରକାଶ ଜେମ୍ସ ଟପୋଙ୍କ ଉପସ୍ଥିତରେ ମାଟି ତଳୁ ଶବ ବାହାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି। ନୟାକୋଟ ପୁଲିସ ୨୨/୨୧ ରେ ଏକ ହତ୍ୟା ମାମଲା ରୁଜୁ କରି ଛବିକୁ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର