ବାରିପଦା: ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ବଡ଼ଦାଣ୍ଡରେ ଆଜି କରୋନା କଟକଣା ମଧ୍ୟରେ ରୁକୁଣା (ଅଶୋକଝରି) ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୨୦୧୯ ଜୁଲାଇ ୧୪ ପବିତ୍ର ବାହୁଡ଼ା ଯାତ୍ରା ପରେ ଦୀର୍ଘ ଦିନର ନୀରବତାକୁ ଭଙ୍ଗ କରି ଆଜି ଚୈତ୍ର ଶୁକ୍ଳପକ୍ଷ ଅଶୋକାଷ୍ଟମୀ ତିଥିରେ ବିନା ଭକ୍ତରେ ବଡ଼ଦାଣ୍ଡରେ ରଥ ଗଡ଼ିଛି। ଏନେଇ ବାରିପଦାରେ ଖୁସି ଖେଳିଯାଇଛି। ତେବେ ଠାକୁରଙ୍କ ରଥକୁ ଟାଣିବାର ସୌଭାଗ୍ୟ ଜୁଟିନଥିବାରୁ ଭକ୍ତଙ୍କ ମନ ବିରସରେ ଭରିଯାଇଛି। ତଥାପି ବଡ଼ଦାଣ୍ଡରେ ରଥ ଗଡ଼ିଥିବାରୁ ଏହା ସୌଭାଗ୍ୟର ବିଷୟ ବୋଲି ମତପ୍ରକାଶ ପାଇଛି। ଠାକୁରଙ୍କ ଆଶୀର୍ବାଦରୁ କରୋନା ମହାମାରୀ ଦୂରେଇ ଯାଉ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।
ସ୍ଥାନୀୟ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରରୁ ମହାପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ଦେବୀ ସୀତା ଚୈତ୍ର ଶୁକ୍ଳପକ୍ଷ ଅଶୋକାଷ୍ଟମୀ ତିଥିରେ ରଥାରୂଢ଼ ହୋଇ ଅଶୋକବନକୁ ଯାତ୍ରା କରିବାର ପରମ୍ପରା ବା ବିଧି ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜା ମାନଙ୍କ ଶାସନ ସମୟରୁ ପାଳିତ ହୋଇଆସୁଛି। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରରେ ରୀତିନୀତି ଓ ପ୍ରଚଳିତ ପରମ୍ପରା ଅନୁସାରେ ମହାପ୍ରଭୁମାନଙ୍କ ନିକଟରେ ପହଡ଼, ପଣା ଓ ଠା କାର୍ଯ୍ୟ ସମାପନ ହେବା ପରେ ପରିଚ୍ଛା ଦୁର୍ଗା ଚରଣ ଜିତ୍ ବାବୁ ମହାପ୍ରଭୂଙ୍କ ନିକଟରୁ ଆଜ୍ଞାମାଳ ପାଇବା ପରେ ମନ୍ଦିରର ତିନି ପୂଜାପଣ୍ଡା ପହଣ୍ଡିରେ ମହାପ୍ରଭୂ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଦେବୀଙ୍କୁ ମନ୍ଦିରର ବେଢ଼ା ପହଣ୍ଡିରେ ଠାକୁରମାନଙ୍କୁ ତିନିଥର ପରିକ୍ରମା କରାଇବା ପରେ ସିଂହଦ୍ୱାର ନିକଟରେ ଅପେକ୍ଷା କରିଥିବା ଅଶୋକଝରି ରଥରେ ରଥାରୂଢ଼ ହୋଇଥିଲେ।
/sambad/media/post_attachments/wp-content/uploads/2021/04/IMG-20210420-WA0009-300x169.jpg)
ଏହାପରେ ସୁସଜ୍ଜିତ ରଥକୁ କରୋନା କଟକଣା ମଧ୍ୟରେ ମାଜିଷ୍ଟ୍ରେଟ କ୍ଷମତାପ୍ରାପ୍ତ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନଙ୍କ ଉପସ୍ଥିତିରେ ଦେବୋତ୍ତର ବିଭାଗର କର୍ମଚାରୀମାନଙ୍କ ସହିତ ମନ୍ଦିରର ସେବାୟତ ଓ ଛୋଟ ଛୋଟ ପିଲା ଶଙ୍ଖ-ଘଣ୍ଟ ଘଣ୍ଟା ମୃଦଙ୍ଗ ସହିତ ହରିବୋଲ ସଂକୀର୍ତ୍ତନ ଓ ହୁଳହୁଳିରେ ବଡ଼ ଜଗନ୍ନାଥମନ୍ଦିରରୁ ବଡ଼ଦାଣ୍ଡରେ ଥିବା ଶ୍ରୀରାଧାମୋହନ ମନ୍ଦିର (ମାଉସୀ ମା’ ମନ୍ଦିର) ନିକଟରେ ରଥକୁ ପହଞ୍ଚାଇଥିଲେ। ଏହାପରେ ସେବାୟତ ମାନେ ମୟୂରଭଞ୍ଜ ରାଜଦରବାରର ଅମଳରେ ନାମିତ ପୁରୁଣା ବଗସାମଲଗଡ଼ (ବର୍ତ୍ତମାନର ମା’ ଅମ୍ବିକା ଠାକୁରାଣୀ)ରୁ ପରମ୍ପରା ଅନୁଯାୟୀ ଅଶୋକ ଫୁଲର କଢ଼ି ସଂଗ୍ରହ କରି ରଥ ନିକଟକୁ ଅଣିଥିଲେ। ରଥରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନାରେ ଅଶୋକ କଢ଼ି ଲାଗି ହେବା ପରେ ସର୍ବସାଧାରଣଙ୍କୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା।
ପ୍ରକାଶ ଥାଉକି ଏହି ଅଶୋକାଷ୍ଟମୀ ତିଥିରେ ଅଶୋକ ଗଛର ଫୁଲକୁ ସେବନ କଲେ ସମସ୍ତ ପ୍ରକାରର ଦୁଃଖ ଦୂର ହେବା ସଂଗେ ସଂଗେ ଶରୀର ସମସ୍ତ ରୋଗବୈରାଗ୍ୟରୁ ମୁକ୍ତି ମିଳି ଥାଏ ବୋଲି ବିଶ୍ୱାସ ରହିଆସିଛି। ଶେଷରେ ରାଧାମୋହନ ମନ୍ଦିର ସମ୍ମୁଖରୁ ରଥ ମୋଡ଼ ନେବା ପରେ ପୁଣି ଥରେ ରଥକୁ ବଡ଼ଦାଣ୍ଡରେ ଟାଣା ହୋଇ ବଡ଼ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଞ୍ଚିଥିଲା। ରାତିରେ ସେବାୟତମାନେ ପହଣ୍ଡିରେ ତିନି ଠାକୁରଙ୍କୁ ମନ୍ଦିର ଭିତରକୁ ନେବାର ପରମ୍ପରା ରହିଆସିଛି। ଏଥି ସହିତ ଉକ୍ତ ଅଶୋକଝରି ବା ରୁକୁଣା ରଥକୁ କେବଳ ବାଳକବାଳିକାମାନେ ମିଳିମିଶି ଟାଣିବାର ପରମ୍ପରା ରହିଆସିଛି। ତେବେ ଏହି ଅଶୋକଝରି ରଥ ଟଣାରେ ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳଙ୍କୁ ଦେଖିବାକୁ ମିଳିନଥିବା ସମୟରେ ରଥ ଟଣା କାର୍ଯ୍ୟରେ ଯୋଗ ଦେଇଥିବା ତଥା ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ ନିମନ୍ତେ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରିଥିବା ପରିଲକ୍ଷିତ ହୋଇଛି।