ପ୍ରଶାସନକୁ ବାତ୍ୟା ଚିନ୍ତା; ୨ ଦିନରେ ଦ୍ୱିତୀୟ ବୈଠକ

ଖୋର୍ଦ୍ଧା: କରୋନା ମହାମାରୀ ବେଳେ ବାତ୍ୟା। ସମ୍ଭାବ୍ୟ ବାତ୍ୟା ଯଶ ଓଡ଼ିଶା ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକୁ ଛୁଇଁପାରେ। କେବଳ ଏହାନୁହେଁ ରାଜ୍ୟର ବାତ୍ୟା ପ୍ରଭାବିତ ଜିଲ୍ଲା ମଧ୍ୟରେ ଥିବା ଖୋର୍ଦ୍ଧା ଜିଲ୍ଲା ରହିଛି। ଏହାକୁ ନେଇ ପ୍ରଶାସନ ଏବେ ଚିନ୍ତିତ। ଗତ ଦୁଇ ଦିନ ମଧ୍ୟରେ ଆଜି ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଗତକାଲି ବୈଠକ ପରେ ତହସିଲଦାର, ବିଡିଓ ଏବଂ ଥାନା ଅଧିକାରୀଙ୍କୁ ଦିଆଯାଇଥିବା ପରାମର୍ଶ ଓ ନିର୍ଦେଶରେ ପ୍ରତିପାଳନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସମ୍ଭାବ୍ୟ ବାତ୍ୟା ପ୍ରପୀଡ଼ିତ ଅଂଚଳରେ ଚୁଡ଼ା, ଗୁଡ଼, ଶୁଖିଲା ଖାଦ୍ୟ ପୂର୍ବରୁ ମହଜୁଦ କରି ରଖିବାକୁ କୁହାଯାଇଛି। ବୈଠକରୁ ମିଳିଥିବା ସୂଚନାନୁସାରେ ବାତ୍ୟା ପରେ ଗମନାଗମନ ବ୍ୟବସ୍ଥାକୁ ସଜାଡ଼ିବାକୁ ପ୍ରାଥମିକତା ଦିଆଯାଇଛି। ବାତ୍ୟା ପ୍ରପୀଡ଼ିତ ଅଂଚଳ ଗୁଡ଼ିକରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ସରବରାହ ସଜାଡ଼ିବା ପାଇଁ ପୂର୍ବ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଥିଲା। ଏହାସହ ସହରାଂଚଳ ଓ ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ଅଭାବରେ ଟ୍ୟାଙ୍କର ଯୋାଗେ ପିଇବା ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗାଁ ଗୁଡ଼ିକର ନଳକୂପ ଗୁଡ଼ିକର ମରାମତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ହଇଜା ଆଦି ରୋଗ ପାଇଁ ଔଷଧ, ସହ ଅନ୍ୟ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି। ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଗାଈ, ଗୋରୁ ଆଦି ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଗୋଖାଦ୍ୟ ବ୍ଲକ ଗୁଡ଼ିକୁ ପଠାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଧନ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଅନାମ ଚରଣ ସ୍ୱାଇଁ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର