ରାଉରକେଲା: ବହୁ ଦୁର୍ନୀତିର କେନ୍ଦ୍ର ପାଲଟିଛି ରାଉରକେଲା ପୂର୍ତ୍ତ ବିଭାଗ। ପ୍ରତିବର୍ଷ ସରକାରୀ ବିଲ୍ଡିଂ ଓ କ୍ବାର୍ଟର୍ସ ମରାମତି ସହ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କାର ଟେଣ୍ଡର ଫିକ୍ସିଂର ଗନ୍ଧ ବାହାରୁଛି। ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଉଥିବା କିଛି କରିତ୍କର୍ମା ଜେଇ ଓ ଏସ୍ଡିଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ହେଉଛି। ଟେଣ୍ଡରକୁ ଏଡ଼ାଇବାପାଇଁ ସେମାନେ ଉପାୟ ମଧ୍ୟ ଉଦ୍ଭାବନ କରିଛନ୍ତି। କେବଳ ଏତିକି ନୁହେଁ, ନିର୍ଦ୍ଦିଷ୍ଟ ଠିକାଦାରମାନଙ୍କ ସହ ମିଶି କିଛି ଏସ୍ଡିଓ ଓ ଜେଇ କୁଆଡ଼େ ନିଜେ ଠିକାଦାର କାମ ମଧ୍ୟ କରୁଛନ୍ତି! କ୍ବାର୍ଟର୍ସ ଓ ବିଲ୍ଡିଂ ମରାମତିରେ ନିଜେ ମଧ୍ୟ ପୁଞ୍ଜି ଖଟାଉଛନ୍ତି!
ରାଉରକେଲାକୁ ସରକାରୀ ବିଲ୍ଡିଂ ଓ କ୍ବାର୍ଟର୍ସ ମରାମତି ବାବଦରେ ବର୍ଷକୁ ପ୍ରାୟ ୧୦ କୋଟି ତଥା ରାସ୍ତା ମରାମତି ପାଇଁ ପ୍ରାୟ ୭ରୁ ୮ କୋଟି, ଏମିତି ବର୍ଷକୁ ପ୍ରାୟ ୧୮ରୁ ୨୦ କୋଟି ଟଙ୍କା ଆସୁଛି। ଏଥିସହ ନୂଆ ରାସ୍ତା ନିର୍ମାଣରେ ଆସୁଛି ଆହୁରି କୋଟି କୋଟି ଟଙ୍କା। କିନ୍ତୁ ପୂର୍ତ୍ତ ବିଭାଗର ଅଧିକାଂଶ କାମକୁ ବିନା ଟେଣ୍ଡର କରାଯାଉଛି। ଏହା ପଛରେ ମୋଟା ଅଙ୍କର ପିସି କାରବାର ହେଉଥିବାର ଅଭିଯୋଗ ରହିଛି। ବିନା ଟେଣ୍ଡରରେ କାମ କରାଇ ନେବାକୁ ଗୋଟିଏ ଉପାୟ ବାହାର କରା ଯାଇଛି। କୋଟିଏ ଟଙ୍କାର କାମକୁ ଭାଗ ଭାଗ କରି ଅଧିକାରୀମାନେ ୫ ଲକ୍ଷ ଟଙ୍କାରୁ କମ୍ରେ ନିଜର ପାଖ ଠିକାଦାରମାନଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି। ଏହାର ଗୋଟିଏ ପ୍ରମାଣ ହେଉଛି ବିଶ୍ରା- ଜରେଇକେଲା ରାସ୍ତା। ଏହି ରାସ୍ତା ମରାମତିରେ ପ୍ରାୟ ୭୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। କିନ୍ତୁ ଟେଣ୍ଡର ହୋଇନାହିଁ। ବିନା ଟେଣ୍ଡରରେ କାମକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ୫ ଲକ୍ଷରୁ କମ୍କରି କିଛି ଠିକାଦାରଙ୍କୁ କାମ ବାଣ୍ଟି ଦିଆଯାଇଛି। ଦ୍ବିତୀୟ ପ୍ରମାଣ ହେଉଛି, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) କୋଠାର ମରାମତି କାମ। ଏ ବାବଦରେ ବିପିୟୁଟି ପକ୍ଷରୁ ପୂର୍ତ୍ତ ବିଭାଗକୁ କୋଟିଏରୁ ଅଧିକ ଟଙ୍କା ଦିଆଯାଇଛି। କିନ୍ତୁ ବିଲ୍ଡିଂ ମରାମତି ବାବଦରେ ଟେଣ୍ଡର କରାଯାଇ ନାହିଁ। ଏଠି ମଧ୍ୟ ଜରେଇକେଲା ରାସ୍ତା ପରି ଅନୁରୂପ ପନ୍ଥା ଗ୍ରହଣ କରାଯାଇଛି। କିଛି ଠିକାଦାରଙ୍କୁ ବିନା ଟେଣ୍ଡରରେ ୫ ଲକ୍ଷରୁ କମ୍ ଟଙ୍କା କରି କାମ ଦେଇ ଦିଆଯାଇଛି। କେବଳ ଏ ଦୁଇଟି ନୁହେଁ, ଏମିତି ଗଣ୍ଡା ଗଣ୍ଡା ଉଦାହରଣ ରହିଛି। ଅନେକ ସ୍ଥଳରେ ମରାମତି ମଧ୍ୟ ଠିକଣା ଭାବେ କରା ଯାଉନଥିବା ଅଭିଯୋଗ ହେଉଛି। କୋଟି କୋଟି ଟଙ୍କାର ମରାମତି କାମକୁ ବିନା ଟେଣ୍ଡର କରାଯିବା ପଛର ଉଦ୍ଦେଶ୍ୟ ଜଳଜଳ ଦିଶୁଛି।
ଅନୁରୂପ ଭାବେ ବଦଳିରେ ମଧ୍ୟ ସମାନ ଦୁର୍ନୀତିର ଗନ୍ଧ। ପ୍ରତି ତିନିବର୍ଷରେ ଥରେ ବଦଳି ହେବାର ସରକାରୀ ନିୟମ ରହିଛି। କିନ୍ତୁ ରାଉରକେଲା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଏହି ନିୟମକୁ ଫୁଃ କରି ଉଡାଇ ଦିଆଯାଇଛି। କିଛି ଜେଇ ଓ ଏସ୍ଡିଓ ୧୫ରୁ ୨୦ ବର୍ଷ ଧରି ରାଉରକେଲା ଛାଡୁ ନାହାନ୍ତି। କେହି କେହି ରାଉରକେଲା ଅଫିସ୍ରେ ଜେଇରୁ ଏସ୍ଡିଓକୁ ପଦୋନ୍ନତି ପାଇ ଚାକିରୀରୁ ମଧ୍ୟ ଅବସର ନେଇ ସାରିଛନ୍ତି। ପ୍ରତିବର୍ଷ ବଦଳି ଋତୁ ଆସିଲେ ଏମାନେ ଭିତିରି ସଲାସୁତୁରା କରି ନିଜର ବଦଳି ନିର୍ଦ୍ଦେଶନାମାକୁ ବାତିଲ କରି ଦେଉଛନ୍ତି। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବିଭାଗ ଅଧୀନରେ ପାନପୋଷ ସବ୍ଡିଭିଜନ୍, ସିଟି ସବ୍ଡିଭିଜନ୍, ରାଉରକେଲା ଆର୍.ସି. ସବ୍ଡିଭିଜନ୍ ଓ ବଣାଇ ସବ୍ଡିଭିଜନ୍ ରହିଛି। ପାନପୋଷ ସବ୍ଡିଭିଜନ୍ ଅଧୀନରେ ୪ ଜଣ ଜେଇ ଅଛନ୍ତି। ଏମାନଙ୍କୁ ପାନପୋଷ, କଲୁଙ୍ଗା, କୁଆରମୁଣ୍ଡା ଓ ବୀରମିତ୍ରପୁରରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ଭିତରୁ କିଏ ୧୯୯୪ ତ କିଏ ୨୦୦୨ ବା ୨୦୦୮ରୁ ତ ପୁଣି କିଏ ୨୦୧୦ରୁ ରାଉରକେଲା ପୂର୍ତ୍ତ ବିଭାଗରେ ଯୋଗ ଦେଇଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେହେଲେ କାହାର ବଦଳି ହୋଇନାହିଁ। ସିଟି ସବ୍ଡିଭିଜନ୍ରେ ସେମିତି ୪ରୁ ଅଧିକ ଜେଇ ବିଶ୍ରା, ସିଟି ଓ ରାଉରକେଲାରେ ଯୋଗଦେଇ ୧୫ରୁ ୨୦ ବର୍ଷ ସମାନ ସ୍ଥାନରେ ରହିଛନ୍ତି। ସେମାନଙ୍କର ଅନେକ ଥର ବଦଳି ନିର୍ଦ୍ଦେଶ ଆସିଛି, କିନ୍ତୁ ପରେ ବାତିଲ ହୋଇଛି। ସମାନ ଅବସ୍ଥା ରାଉରକେଲା ଆର୍.ସି ସବ୍ଡିଜନ୍ରେ। ଏଠି ଥିବା ଜେଇମାନଙ୍କ ଭିତରୁ ତିନି ଜଣ ରାଉରକେଲା ଛାଡୁ ନାହାନ୍ତି, ଯଦିଓ ସେମାନେ ଏଠାରେ ୧୨-୧୬ ବର୍ଷ ରହିଲେଣି। ବଣାଇ ସବ୍ଡିଭିଜନ୍ର ୪ ଜଣ ଜେଇଙ୍କର ୧୫ରୁ ୧୮ ବର୍ଷ ଭିତରେ ଥରଟିଏ ବି ବଦଳି ହୋଇନାହିଁ।
ଏ ଦୁର୍ନୀତିର ଚେର ରାଉରକେଲାରୁ ଭୁବନେଶ୍ବର ବିଭାଗୀୟ ମୁଖ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ଏହି ଗୋଲକ ଧନ୍ଧାରେ ଅନେକ ନାୟକ ଓ ମହାନାୟକଙ୍କର ସମ୍ପୃକ୍ତି ରହିଛି। ଏସବୁ କାମର ଠିକ୍ ତଦନ୍ତ କରାଗଲେ ଦୁର୍ନୀତିଗ୍ରସ୍ତ ଜେଇ ଓ ଏସ୍ଡିଓଙ୍କର ମୁଖା ଖୋଲି ପାରନ୍ତା ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ତେବେ ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ଦୁର୍ଗାଚରଣ ବେହେରାଙ୍କୁ ପଚାରିବାରୁ ସେ ଏକ ଅବିଶ୍ବସନୀୟ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ବାହାରୁ ଅନ୍ୟ ଜିଲ୍ଲାରୁ ଜେଇ ଆସିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଏମିତି ସ୍ଥିତି ଉପୁଜିଛି। ୨-୩ ଜଣ ଜେଇଙ୍କୁ ଅନ୍ୟତ୍ର ବଦଳି ପାଇଁ ବିଭାଗୀ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।