ଅଟଳ ଜ୍ୟୋତି ଯୋଜନା: ସଂଯୋଗୀକରଣର ୧୦ ଦିନରେ ଅଧା ଲାଇଟ ଅଚଳ

ତଦନ୍ତ ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସପ୍ତଗିରି

ରାୟଗଡ଼ା: ଅଟଳ ଜ୍ୟୋତି ଯୋଜନାରେ ହୋଇଥିବା ଆଲୋକୀକରଣରେ ବ୍ୟାପକ ଘୋଟାଲା ହୋଇଛି। କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଶତାଧିକ ଗାଁରେ ଏହି ଯୋଜନାରେ ଲାଗିଥିବା ସୋଲାର ଲାଇଟ ଏବେ ଅଚଳ ଅବସ୍ଥାରେ ପଡି ରହିଛି। ନିମ୍ନମାନର ଉପକରଣ ଯୋଗୁ ଲାଇଟ ଲାଗିବାର କିଛି ମାସ ମଧ୍ୟରେ ସେ ଗୁଡ଼ିକ କାର୍ଯ୍ୟ କରୁନଥିବା ନେଇ କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା ଅଭିଯୋଗ କରିଛନ୍ତି।

ଦୁର୍ନୀତିର ତଦନ୍ତ ସହ ଅଚଳ ଲାଇଟର ମରାମତି ପାଇଁ ସଂପୃକ୍ତ ଏଜେନସିକୁ ନିର୍ଦେଶ ଦେବା ପାଇଁ ସାଂସଦ ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଅଚଳ ଲାଇଟ ଓ ପ୍ରକଳ୍ପର ମରାମତି ନ ହେବା ପର୍ଯ୍ୟନ୍ତ ନୂତନ ପ୍ରକଳ୍ପ ଲାଗି ଟଙ୍କା ଅନୁମୋଦନ ନ କରିବାକୁ ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି। ଅଟଳ ଜ୍ୟୋତି ଯୋଜନା ଫେଜ-୨ରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ୧ ହଜାର ଗାଁକୁ ଆଲୋକୀକରଣ କରିବା ପାଇଁ ଲକ୍ଷ୍ୟ ରହିଛି। ଫେଜ୍-୧ କାମ ସରିଥିବା ବେଳେ ଫେଜ୍-୨ କାମ ପାଇଁ ପ୍ରକଳ୍ପ ଅନୁମୋଦନ ସରିଛି। ଫେଜ୍-୨ ରେ ଉଭୟ ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ବ ଗାଁରେ ଆଲେକୀକରଣ କାମ ମଧ୍ୟ ସରିଲାଣି। ନୂଆଦିଲ୍ଲୀର ଏନର୍ଜୀ ଏଫିସିଏନସ୍ ସର୍ଭିସ୍ ଲିମିଟେଡ୍ ଏହି କାମ କରୁଥିବା ବେଳେ ତୃଣମୂଳସ୍ତରରେ ଭଲ ଭାବରେ କାର୍ଯ୍ୟର ତଦାରଖ ହେଉନଥିବାରୁ ଦାୟିତ୍ବରେ ଥିବା ଅଧିକାରୀ ନକଲି ବିଦ୍ୟୁତ ସାମଗ୍ରୀ ଲଗାଇଛନ୍ତି। ଯାହାର ଉଦାହରଣ ରାୟଗଡ଼ା ଜିଲ୍ଲାର ପଦ୍ମପୁର, ଗୁଡ଼ାରି ବ୍ଲକରେ ଲାଗିଥିବା ୪୦ରୁ ଊର୍ଦ୍ଧ୍ବ ଲାଇଟ ଲାଗିବାର ମାତ୍ର ୧୫ ଦିନରେ ହିଁ ଅଚଳ ହୋଇଯିବାରୁ ସ୍ପଷ୍ଟ ହୋଇଛି।

ପଦ୍ମପୁର ପଞ୍ଚାୟତର ଇନ୍ଦିରା ନଗର, ଜଗମୁଣ୍ଡା ଶ୍ମଶାନ, ଐତିହାସିକ ଶୈବ ପୀଠ, ପୁଡୁଗେଶ୍ବର ମନ୍ଦିରରେ ଲାଗିଥିବା ଲାଇଟ ଆରମ୍ଭରୁ ହିଁ ଅଚଳ ହେବା ପରେ ଏ ନେଇ ସ୍ଥାନୀୟବାସୀ ଅଭିଯୋଗ କରିଥିଲେ। ସାଂସଦ ଶ୍ରୀ ଉଲାକାଙ୍କ ନିକଟରେ ପହଞ୍ଚିବା ପରେ ଏ ନେଇ ପ୍ରଶାସନ ସହ ଆଲୋଚନା କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂହଙ୍କ ସହ ଆଲୋଚନା କରିଛନ୍ତି। ଏପରିକି ଏହି ଦୁର୍ନୀତିର ତଦନ୍ତ ସହ ସଂପୃକ୍ତ ସଂସ୍ଥାକୁ ତୁରନ୍ତ ଅଚଳ ଲାଇଟ ମରାମତି କରିବାକୁ ନିର୍ଦେଶ ଦେବାକୁ ଦାବି କରିଛନ୍ତି ସାଂସଦ। ଚିଠିର ଏକକ ନକଲକୁ ଜିଲ୍ଲା ଯୋଜନା, ସମ୍ମନ୍ବୟ ବିଭାଗ ଉପନିର୍ଦେଶକ ଏବଂ ନ୍ୟୁ ଦିଲ୍ଲୀ ଏନର୍ଜି ଏଫିସିଏନସ୍ ସର୍ଭିସ୍ ଲିମିଟେଡକୁ ପ୍ରଦାନ କରିଛନ୍ତି ସାଂସଦ।

ସୂଚନାଯୋଗ୍ୟ, ସୋଲାର ଲାଇଟ ମାଧ୍ୟମରେ ଗାଁକୁ ଆଲୋକୀକରଣ ପାଇଁ ଅଟଳ ଜ୍ୟୋତି ଯୋଜନା କାର୍ଯ୍ୟକ୍ଷମ କରିଛନ୍ତି କେନ୍ଦ୍ର ସରକାର। ପ୍ରକଳ୍ପ ବାବଦକୁ ୭୫ ପ୍ରତିଶତ ଅନୁଦାନ କେନ୍ଦ୍ର ସରକାରଙ୍କ ଶକ୍ତି ସଞ୍ଚାରଣ ବିଭାଗ ଏବଂ ୨୫ ପ୍ରତିଶତ ଅନୁଦାନ ସାଂସଦ ପାଣ୍ଠିରୁ ପ୍ରଦାନ କରାଯାଉଛି। କିନ୍ତୁ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପରେ ଆରମ୍ଭରୁ ହିଁ ଘୋଟାଲା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର