କରୋନା କାଳରେ ଅପରାଧୀଙ୍କୁ ସୁହାଉଛି ଅଚଳ ସିସିଟିଭି

କୋରାପୁଟ: ସହର ସାରା ଛାଇ ହୋଇ ରହିଛି ସିସିଟିଭି। ହେଲେ କେଉଁଠି କାମ କରୁଛି କେଉଁଠି କାମ କରୁନି। ଖାଲି ଯାହା ତୁଛାରେ ଖୁଣ୍ଟରେ ଲାଗି ରହିଛି। ଏହାର ସୁଯୋଗ ନେଇ କରୋନା କାଳରେ ମାତିଛନ୍ତି ଅପରାଧୀ। କୋରାପୁଟରେ ଦିନକୁ ଦିନ ଚୋରୀ, ବାଇକ ଚୋରୀ, ଲୁଟ, ରାହାଜାନୀ ସହ ଅନ୍ୟ ଅପରାଧ ବଢି ବଢି ଚାଲିଛି। ଦୁଇ ସପ୍ତାହ ମଧ୍ୟରେ କୋରାପୁଟରେ ଦୁଇଟି ବଡ ଧରଣର ଲୁଟପାଟ ହୋଇଥିଲାବେଳେ ପୁଲିସକୁ ଏହାର ସମାଧାନ କରିଛି। କୋରାପୁଟ ସହରରେ ଆଇନ୍‌ଶୃଙ୍ଖଳା ବ୍ୟବସ୍ଥାକୁ ସଜାଡିବା ଓ ଅପରାଧ ନିୟନ୍ତ୍ରଣ କରିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି।

ସହରର ବିଭିନ୍ନ ସ୍ଥାନରେ ୩୬ରୁ ଅଧିକ କ୍ୟାମେରା ଲାଗିଛି। ଆରଟିଓ କାର୍ଯ୍ୟାଳୟ ଛକ ନିକଟରେ ୨ଟି, ରାୟଗଡା ଛକରେ ୩ଟି, ଟ୍ରେଜେରୀ ଛକ ନିକଟରେ ଗୋଟିଏ, ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖ ଛକରେ ୩ଟି, ବସ୍‌ଷ୍ଟାଣ୍ତରେ ୨ଟି ଏବ˚ ମ୍ୟୁନିସିପାଲିଟି ଛକରେ ୩ଟି କ୍ୟାମେରା ଲାଗିଛି। ଏହାସହ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଛକରେ ମୋଟ ୩୬ଟି ସିସିଟିଭି ଲାଗାଯାଇଛି। ଏହି କ୍ୟାମରରା ଗୁଡିକରେ ଲୋକଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ କୋରାପୁଟ ଟାଉନ ଥାନାରେ ରହିଥିଲା ନିୟନ୍ତ୍ରଣ କକ୍ଷ। ପ୍ରଥମ କେତେଦିନ ପୁଲିସକୁ ବିଭିନ୍ନ ମାମଲାରେ ଏହି କ୍ୟାମେରା ବେଶ ସହାୟକ ହେଲା। ଟ୍ରାଫିକ ନିୟନ୍ତ୍ରଣ ଓ ଅପରାଧୀ ଚିହ୍ନଟ କ୍ଷେତ୍ରରେ ଏହା ସାହାଯ୍ୟ କଲା। ଫଳରେ ପୁଲିସ ପ୍ରଶାସନ ଉତ୍ସାହିତ ହୋଇ ପଡିଥିଲେ। ବସଷ୍ଟାଣ୍ଡ ପରି ସ୍ଥାନରେ ଛୋଟମୋଟ ଅପରାଧ କ୍ୟାମେରା ଲେନସରେ ଧରାପଡି ଯାଉଥିଲା।

‌ଫଳରେ ଚୋରି, ପକେଟମାର ଆଦି କମିଗଲା। ତେଣୁ ଲୋକେ ସହରରେ ଆଉ କେବେ ନୂଆ କ୍ୟାମେରା ଲାଗିବ ତାକୁ ଅପେକ୍ଷା କରି ରହିଥିଲେ। ହେଲେ ଏ ଭିତରେ ନୂତନ କ୍ୟାମେରା ଲାଗିବା ତ ଦୂରର କଥା, ବରଂ ଲାଗିଥିବା କ୍ୟାମେରା ଭିତରୁ ଗୋଟିଏ ଗୋଟିଏ ଖରାପ ହୋଇଗଲା। କ୍ୟାମେରା ଲାଗିବାର ୬ ମାସ ଭିତରେ ପାଖାପାଖି ଅଧା କ୍ୟାମେରା ଅଚଳ ହୋଇଗଲା। ତଥାପି କିଛି ମରାମତି କରାଯାଇ କାମ ଚାଲିଲା।

କ୍ୟାମେରା ଅଚଳ ହୋଇ ପଡିବାରୁ ପୁଲିସ ପ୍ରଶାସନ କ୍ରିଟକୁ ଚିଠି ‌ଲେଖିଲା। ଚିଠି ପାଇ ଗାଲେଇଲା କ୍ରିଟ। ଅପରପକ୍ଷ‌ରେ ପାଖାପାଖି ୬ ମାସ ହେଲା ସହରର ସମସ୍ତ ସିସିଟିଭି କ୍ୟାମେରା ଅଚଳ ହୋଇ ପଡିଛି। କିଛି କ୍ୟାମେରାର ବୈଷୟିକ ତ୍ରୁଟି ଦେଖା ଦେଖା ଦେଇଥିଲାବେଳେ କିଛି କ୍ୟାମେରା ପବନରେ ବୁଲି ଯାଇଛି। କିଛି କ୍ୟାମେରା ଖରାପ ମଧ୍ୟ ହୋଇ ଗଲାଣି। ଏଥିନେଇ କୋରାପୁଟ ଟାଉନ ଥାନା ପୁଲିସ କ୍ରିଟକୁ ଲିଖିତ ଭାବେ ଜଣାଇ ଦେଇଛି। କ୍ୟାମେରା ମରାମତି ପାଇଁ ଅନୁରୋଧ କରା ଯାଇଥିବା‌ବେଳେ ଏହାକୁ ଲଗାଇଥିବା ସଂସ୍ତା ଗୁରୁତ୍ବ ଦେଉ ନ ଥିବା ଜଣାପଡିଛି। ଏକାଧିକ କ୍ୟାମେରା ଅଚଳ ହୋଇ ପଡିଥିବାରୁ ଏହା ଅପରାଧୀଙ୍କୁ ସୁହାଉଛି। କିଛି ଦିନ ହେଲାଣି ସହରରେ ଅପରାଧ ବୃଦ୍ଧି ପାଇଛି। ବିଶେଷକରି କରୋନା କାଳରେ ଚୋରି ଓ ଲୁଟ ବଢିଛି।

ସିସିଟିଭି କ୍ୟାମେରା ଲାଗିଥିଲେ ଚୋରଙ୍କ ଗତିବିଧି ଜଣାପଡିବାର ସମ୍ଭାବନା ରହିଥିଲା। ଭାଣ୍ଡିସାହି ସୁନାଚେନ୍‌ ଲୁଟ ଘଟଣା, ମାଳି ସାହି ସୁନା ଚେନ୍‌ ଲୁଟ୍‌ ଘଟଣାର ଏହାର ପ୍ରମୁଖ ଉଦାହରଣ। ଅପରାଧୀମା‌ନେ କୋରାପୁଟ ସହର ଦେଇ ବୋରିଗୁମ୍ମା ଆଡକୁ ଚାଲିଗଲେ। ଏହା ବାଦ୍‌ ଜୟପୁର ଓ ସେମିଳିଗୁଡା ଅଂଚଳରେ ଘଟୁଥିବା ଅପରାଧୀମାନେ ଏହି କୋରାପୁଟ ଦେଇ ଫେରାର ହେଇ ଯାଉଛନ୍ତି। ସହରର ରାଜପଥରେ ଲାଗିଥିବା କ୍ୟାମେରାଗୁଡିକ ଠିକ ଭାବେ କାମ କରୁଥିଲେ ଅପରାଧୀଙ୍କୁ ଚିହ୍ନଟ କରିବାରେ ସୁବିଧା ହୋଇପାରନ୍ତା। ଏନେଇ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଏକାଧିକ ସିସିଟିଭି ଅଚଳ ହୋଇପଡିଛି। ଏହାକୁ ମରାମତି କରାଯିବାକୁ ପଦକ୍ଷେପ ନିଆଯିବ। ଏଥିପାଇଁ ଯେଉଁ ସଂସ୍ଥା ଲଗାଇଥିଲା ତାହାକୁ ଯୋଗାଯୋଗ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର