ନିଆଳି: ନିଆଳି ବ୍ଲକ୍ ଦେବୀକନ୍ଦଳ ଦ୍ବୀପାଞ୍ଚଳ ଅଧୀନ କସର୍ଦ୍ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମାସେ ହେଲା ଡାକ୍ତର ପଦ ଖାଲି ରହିଛି। ଫଳରେ ଏହି ଅଞ୍ଚଳର ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ, ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଫାର୍ମାସିଷ୍ଟ ରୋଗୀଙ୍କ ସେବା କରୁଥିବା ଜଣାପଡ଼ିଛି। ପ୍ରକାଶଥାଉ କି, କସର୍ଦ୍ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କସର୍ଦ୍ଦା, ସିଠାଳୋ, ରାଣୀଓଳା, ଶଗଡ଼ାଇଲୋ, ଏକବେରୁଆଁ, ଡିମିରି, ଉତ୍ତାରଣ, ଏରଞ୍ଚ ଆଦି ପଞ୍ଚାୟତର ଶହଶହ ଲୋକ ନିର୍ଭର କରୁଛନ୍ତି। ପୂର୍ବରୁ ଏଠାରେ ଅବସ୍ଥାପିତ ଡାକ୍ତରଙ୍କର ଅନ୍ୟତ୍ର ବଦଳି ହେବା ପରେ ନିଆଳି ସିଏଚ୍ସିରୁ ଜଣେ ଡାକ୍ତର ଡେପୁଟେସନ୍ରେ ଆସି କାର୍ଯ୍ୟ କରୁଥିଲେ। ହେଲେ, ଗତ ଡିସେମ୍ବର ୧୦ ତାରିଖ ଦିନ ଡାକ୍ତରଜଣକ ଟ୍ରେନିଂରେ ଯାଇଥିବା ଜଣାଯାଇଛି। ଏଥିଯୋଗୁଁ ମାସେ ହେଲା ବିନା ଡାକ୍ତରରେ ଡାକ୍ତରଖାନା ଚାଲୁଥିବା ଜଣାଯାଇଛି। ଫଳରେ କସର୍ଦ୍ଦା ଡାକ୍ତରଖାନାକୁ ପ୍ରତ୍ୟହ ଆସୁଥିବା ଶତାଧିକ ରୋଗୀଙ୍କୁ ବାଧ୍ୟ ହୋଇ ଫାର୍ମାସିଷ୍ଟ ସୁରେଶ କୁମାର ମଲ୍ଲିକ ଦେଖି ଔଷଧ ଦେଉଥିବା ସୂଚନା ମିଳିଛି। ଆଉ କିଛି ରୋଗୀ ବାଧ୍ୟ ହୋଇ ଘରକୁ ଫେରୁଛନ୍ତି।
ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରେସିଂ କର୍ମଚାରୀ ପଦ ଖାଲି ପଡ଼ିଛି। ଅପରପକ୍ଷରେ କରୋନା ସମୟରେ ସାଧାରଣ ଲୋକଙ୍କୁ ତୁରନ୍ତ ସେବା ପ୍ରଦାନ ପାଇଁ ସରକାର ଗୁରୁତ୍ବ ଦେଉଥିଲା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ମାସେ ହେଲା ଡାକ୍ତର ପଦ ଖାଲି ରହିବା ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି। ଏ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆନ୍ଦୋଳନ ଦାନା ବାନ୍ଧୁଥିବା ଜଣାପଡ଼ିଛି। ଏଠାରେ ଶୀଘ୍ର ସ୍ଥାୟୀ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରିବାକୁ ସମାଜସେବୀ ରଜନୀକାନ୍ତ ମହାପାତ୍ର, ଗଗନ ସାହୁ, ପୂର୍ବତନ ସରପଞ୍ଚ ଭବାନୀ ଶଙ୍କର ମଲ୍ଲିକ, ସିଭିପିର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ସ୍ବାଇଁ, ସେବା ପକ୍ଷରୁ ଚନ୍ଦନ ମହାନ୍ତି, କୁଳେନ୍ଦୁ ଶେଖର ସ୍ବାଇଁ, ରଶ୍ମୀରଞ୍ଜନ ଲେଙ୍କା, ଶାଶ୍ବତ ଷଡ଼ଙ୍ଗୀ, କାଳନ୍ଦୀ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ଶୀଘ୍ର ଦାବି ପୂରଣ ନ ହେଲେ ଛାତ୍ର ଯୁବ ବିକାଶ ପରିଷଦ, ସେବା ଆଦି ସ୍ବେଚ୍ଛାସେବୀ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/niali-1-news-file-2-photo-2bina-daktara-re-chalichhi-kasarda-dakatarakhana-pharmacist-dekhuchanti-rogi_6.jpg)