ଆଇନ ପାଳନ କରୁଥିବା ଲୋକେ ହିଁ ଆଇନକୁ ଦଳିମକଚିଲେ: ୭ ମାସ ହେବ ଫିଟନେସ୍ ସରିଥିବା ମାର୍ଶଲରେ ଚାଲିଛି ପାଟ୍ରୋଲିଂ

ଜୟପୁର: ଆଇନକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ଲୋକେ ହିଁ ଆଇନକୁ ଭାଙ୍ଗି ଦଳିମକଚିଥିବା ଦେଖିବାକୁ ମିଳିଛି। ଗତ ୭ମାସ ହେବ ଫିଟନେସ୍ ସରିଥିବା ମାର୍ଶଲ ଜିପକୁ ଜୟପୁର ଟାଉନଥାନା ପକ୍ଷରୁ ପିସିଆର ଭାବେ ବ୍ୟବହାର କରାଯାଉଛି। ଓଆର୦୫-ୟୁ-୬୫୧୦ନମ୍ବର ମାର୍ଶଲକୁ ପିସିଆର ଭାବେ କାମରେ ଲଗାଯାଇଛି। ଭାରତଷ୍ଟେଜ୍ -୬(ଭିଏସ-୬) ଏବେ ଆରମ୍ଭ ହୋଇସାରିଥିବା ବେଳେ ଜୟପୁର ପୁଲିସ ଭାରତଷ୍ଟେଜ-୧ର ଗାଡିକୁ ହିଁ ବ୍ୟବହାର କରୁଛି। ଏହା ୯ମେ ୨୦୦୫ରେ ପଂଜିକୃତ ହୋଇଥିବା ବେଳେ ଏହାର ଫିଟନେସ୍ ୮ମେ ୨୦୨୦ରେ ସରିଲାଣି।

ଗତ ୭ମାସ ହେବ ବିନା ଫିଟନେସରେ ଏହା ଚାଳୁଛି। ପ୍ରତି ଗାଡିର ଜୀବନକାଳ ୧୫ବର୍ଷ ହୋଇଥିବା ବେଳେ ଏବେ ମାର୍ଶଲଟି ଆଉଟଡେଟଡ୍ ହୋଇଗଲାଣି। ଅନ୍ୟ ପକ୍ଷରେ ଗତ ୧୦ଦିନ ହେବ ଥାନାର ଆଉ ଗୋଟିଏ ଆଉଟଡେଟଡ୍ ହୋଇଥିବା କମାଣ୍ଡରଟିର ଯନ୍ତ୍ରାଂଶ ମରାମତି ହୋଇଥିବାରୁ ଗ୍ୟାରେଜରେ ମରାମତି ପାଇଁ ପଡ଼ିଛି। ଜୟପୁର ସହରରେ ୨୮ଟି ୱାର୍ଡ, ଶତାଧିକ ଗଳି ଓ କଲୋନିରେ ଲକ୍ଷାଧିକ ଲୋକେ ବସ ବାସ କରୁଛନ୍ତି। ଏହା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ଜୟପୁର। ସେଭଳି ସହର ମଧ୍ୟ ଏବଂ ପାର୍ଶ୍ବଦେଇ ଯାଇଛି ଜାତୀୟ ରାଜପଥ ୨୬ ଏବଂ ବିଜୟୱାଡା ରାଂଚି କରିଡ଼ରର ରାସ୍ତା।

ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଭାରୀଯାନ ସହ ଛୋଟ ବଡ ଗାଡି ,ଦ୍ରୁତ ଗାମୀ ବସ , ହଜାର ହଜାର ବାଇକ ବି ଚଳାଚଳ କରୁଛି। ବହୁ ସମୟରେ ଏହି ଦୁଇ ପ୍ରମୁଖ ରାସ୍ତାରେ ଗଂଜେଇ ଚାଳାଣ ଠାରୁ ଆରମ୍ଭ କରି ଛୋଟ ବଡ ଅପରାଧ, ଛିନତାଇ, ଲୁଟ୍ , ରାହାଜାନୀ ବି ଜାରୀ ରହିଛି। ଏତେ ବଡ ସହରର ସୁରକ୍ଷା, ଶାନ୍ତିଶୃଙ୍ଖଳା, ଚୋରୀ ଆଦି ରୋକିବା ପାଇଁ ସହରରେ ରହିଛି ଟାଉନଥାନା। ତେବେ ଏହି ଟାଉନଥାନାକୁ ସୁରକ୍ଷା ପାଇଁ ଦିଆଯାଇଥିବା ୩ଟି ଗାଡିରୁ କମାଣ୍ଡରଟିର ଯନ୍ତ୍ରାଂଶ ଗତ ୧୦ଦିନ ହେବ ମରାମତି ହୋଇପଡ଼ିଛି। ଅନ୍ୟ ପକ୍ଷରେ ରହିଥିବା ଆଉ ୨ଟି ଗାଡି ମଧ୍ୟରୁ ଏବେ ଥାନାରେ ଥିବା ଗୋଟିଏ ବଲୋର ଓ ମାର୍ଶଲକୁ ନେଇ ଦିନର ବ୍ୟାଙ୍କ ପାଟ୍ରୋଲିଂ, ରାତ୍ରୀପାଟ୍ରୋଲିଂ ଆଦି ସବୁ ଯାବତୀୟ କାମ କରାଯାଉଛି।

କମାଣ୍ଡର ମରାମତି ହୋଇଥିବା ସଂପର୍କରେ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି ବୋଲି କହିଛନ୍ତି ଜୟପୁର ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧି। ମାର୍ଶଲ ସଂପର୍କରେ ସେ କିଛି ମନ୍ତବ୍ୟ ଦେବେ ନାହିଁ ବୋଲି କହିଛନ୍ତି ଆଇଆଇସି। ଅବିଭକ୍ତ କୋରାପୁଟଜିଲ୍ଲାର ପ୍ରମୁଖ ସହର ପ୍ରମୁଖଥାନାର ଗାଡି ଅବସ୍ଥା ଯଦି ଏଭଳି ତେବେ କିଭଳି ମାନସିକତାର ସହ ଏଠାକାର କର୍ମଚାରୀ ମାନେ କାମ କରିବେ ତାହା ସହଜେ ଅନୁମେୟ। କେବଳ ଟାଉନଥାନା ନୁହେଁ ସଦରଥାନାରେ ବି ଏଭଳି ୨ଟି ଆଉଟଡେଟଡ୍ ଗାଡ଼ି ରହିଥିବା ସୂଚନା ମିଳିଛି। ଜିଲ୍ଲା ପୁଲିସ ପକ୍ଷରୁ ତୁରନ୍ତ ଉଭୟ ଥାନାର ଏହି ଗାଡ଼ି ବଦଳାଇ ଭଲ ଗାଡ଼ି ଦେବାକୁ ବୁଦ୍ଧିଜୀବୀ , ଆଇନଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର