ଜୀବନ ଯନ୍ତ୍ରଣା: ଭିନ୍ନକ୍ଷମ ମାନଗୋବିନ୍ଦଙ୍କ ପାଇଁ ଆବାସ ସାତ ସପନ

ମହାକାଳପଡା:ରାଜଗଡ଼ ପଞ୍ଚାୟତ ନିୟାମତପୁର ଗ୍ରାମର ଭିନ୍ନକ୍ଷମ ମାନଗୋବିନ୍ଦ ଦାସ(୨୯)। ପରିବାର କହିଲେ ବୁଢା ବାପା। କିଛି ଦିନ ତଳେ ଆରପାରିକୁ ବାଟ କାଟିଛନ୍ତି ମା’। ମାନଗୋବିନ୍ଦଙ୍କ ଡାହାଣ ହାତ ଠିକ୍ ଭାବେ କାମ କରୁନି। ଭଲ ଭାବେ କଥା ବି କହି ପାରୁ ନାହାନ୍ତି। ବେଳେ ବେଳେ ବାତ ମାରୁଛି। ଅବିବାହିତ ଜୀବନ କାଟୁଥିବା ବେଳେ ବୁଢା ବାପାଙ୍କ ଉପରେ ବୋଝ ପାଲଟିଛନ୍ତି। ୨୦ ଗୁଣ୍ଠ ଚାଷ ଜମି ଛଡ଼ା ଆଉ କିଛି ନାହିଁ। ଅଭାବ ଅନଟନ ଭିତରେ ଜୀବନ କଟୁଛି।

ନଡାଛପର ଘରକୁ ବି ଛୁଆଣି କରି ପାରୁ ନାହାନ୍ତି। ଘର ଭାଙ୍ଗି ତୁଟି ଗଲାଣି। କଣା ଚାଳରେ ଖରା, ବର୍ଷା ପଡ଼ୁଛି। ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ୫ଶହ ଟଙ୍କାର ଭତ୍ତା ଓ ୫ କେଜି ଚାଉଳ ମିଳୁଛି। ଏଇଥିରେ ଗୁଜୁରାଣ ମେଣ୍ଟାଇବା ସମ୍ଭବ ହେଉନି।  ପରିବାରକୁ ଆଜିଯାଏ ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳି ପାରୁନି। ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରିବା ସହିତ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର