ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ହେଉଛି ବଣ୍ଡାଘାଟି। ଏହି ବଣ୍ଡାଘାଟିରେ ବାସ କରୁଥିବା ଲୋକେ ଆଜି ବି ଅଭିଶପ୍ତ ଜୀବନ କାଟୁଛନ୍ତି। ବର୍ତ୍ତମାନ ଖଇରପୁଟ ବ୍ଲକ ସଦର ମହକୁମାରୁ ଘାଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ବଣ୍ଡାଘାଟିରେ ଥିବା ଗ୍ରାମ ଗୁଡିକକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ। ସ୍ବାଧୀନତାର ସାତ ଦଶନ୍ଧି ପୁରି ଯାଇଥିଲେ ମଧ୍ୟ ଲୋକେ ଆଜି ବି ପାଦରେ ଚାଲିଚାଲି ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାଉଛନ୍ତି। ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଥିବା ଏହି ବଣ୍ଡାଘାଟିକୁ ଆଜି ବି ମୌଳିକ ସୁବିଧା ପହଞ୍ଚିପାରୁ ନାହିଁ।

Advertisment

ଲୋକେ କୌଣସି ସରକାରୀ ଯୋଜନା ସଂପର୍କରେ ଅବଗତ ହୋଇ ପାରୁନାହାଁନ୍ତି। ସୂଚନାଯୋଗ୍ୟ, ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ରହିଛି। ବଣ୍ଡାଘାଟିର ୩୨ଟି ଗ୍ରାମ ମଧ୍ୟରୁ ଅଣ୍ଡ୍ରାହାଲ ପଞ୍ଚାୟତର ପାତ୍ରପୁଟ ଗ୍ରାମକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ। ଏହି ଗ୍ରାମରେ ପ୍ରାୟ ଶହରେ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ସମସ୍ତେ ବଣ୍ଡା ଆଦିବାସୀ ସଂପ୍ରଦାୟର। ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଶେଷକରି ବର୍ଷା ଦିନେ ବହୁ ସମସ୍ୟା ଦେଖାଦେଉଛି। ଭତ୍ତା କିମ୍ବା ପିଡିଏସ ଚାଉଳ ପାଇଁ ୧୫ କିଲୋମିଟର ପଞ୍ଚାୟତ ସଦର ମହକୁମାକୁ ଚାଲିଚାଲି ଯିବାକୁ ପଡୁଛି। ତେବେ ବୃଦ୍ଧ ଓ ବୃଦ୍ଧାମାନେ ଭତ୍ତା ଟଂକା ପାଇଁ ଏତେ ଦୂର ଚାଲିଚାଲି ଯିବା ଏବଂ ଆସିବା କଷ୍ଟକର ହୋଇ ପଡୁଥିବା ଗ୍ରାମବାସୀ କହିଛନ୍ତି। ପୁଣି ରୋଗୀ କିମ୍ବା ଗର୍ଭବତୀଙ୍କୁ ମେଡିକାଲ ନେବାକୁ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ବାରମ୍ବାର ରାସ୍ତା ନିର୍ମାଣ ନେଇ ଅଂଚଳବାସୀ ରାଜନେତା ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପ୍ରକାଶ କରିଛନ୍ତି। ନିର୍ବାଚନ ସମୟ ଆସିଲେ ରାଜନେତାଙ୍କ ଭିଡ ଜମିବା ସହ ପ୍ରତିଶ୍ରୁତିରେ ପୋତି ଦିଅନ୍ତି। କିନ୍ତୁ ନିର୍ବାଚନ ସରିଲା ପରେ ସବୁ ପ୍ରତିଶ୍ରୁତି ଭୁଲିଯାଆନ୍ତି। ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଲୋକେ ଏବେ ଠାରୁ ଏକତ୍ରିତ ହେଲେଣି। ରାସ୍ତା ନିର୍ମାଣ ନହେଲେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ସଫା ସଫା ମନା କରିଛନ୍ତି। ବଣ୍ଡାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଛନ୍ତି।

ଏପରିକି ବଣ୍ଡା ଉନ୍ନୟନ ସଂସ୍ଥା ମଧ୍ୟ ନିର୍ମାଣ କରି ଟଂକା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସବୁ ସରକାରୀ ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ସ୍ବାଧୀନତାର ଏତେ ବର୍ଷ ପୁରି ଯାଇଥିଲେ ମଧ୍ୟ ପ୍ରଶାସନ ଏହି ଗ୍ରାମକୁ ରାସ୍ତା ନିର୍ମାଣ କଥା ଭୁଲିଗଲା ନା ଜାଣି ଅଜଣା ରହିଛି ତାହା ଜଣାପଡୁ ନାହିଁ। ଯଦି ତୁରନ୍ତ ରାସ୍ତା ନିର୍ମାଣ ନହୁଏ ତେବେ ନିଶ୍ଚିତ ଭାବେ ଏମାନେ ଆନ୍ଧ୍ରରେ ମିଶିବେ ବୋଲି ଧମକ ଦେଇଛନ୍ତି। ରାସ୍ତା ନଥିବାରୁ କୌଣସି ମୌଳିକ ସୁବିଧା ଏହି ଗ୍ରାମକୁ ପହଞ୍ଚି ପାରୁନାହିଁ। ଲୋକେ ଆଜି ବି ସରକାରୀ ଯୋଜନା ବିଷୟରେ କିଛି ଜାଣନ୍ତି ନାହାଁନ୍ତି। ବଣ୍ଡାଙ୍କ ପାଇଁ ଦରଦ ଦେଖାଉଥିବା ସରକାର ତୁରନ୍ତ ଏମାନଙ୍କ ଦୁଃଖ ଦୁର କରନ୍ତୁ ବୋଲି ଦାବି କରାଯାଇଛି। ତେବେ କେବେ ଏହି ଗ୍ରାମକୁ ରାସ୍ତା ହେବ ଦେଖିବାକୁ ବାକି ରହିଛି।