ମହାନଦୀ କୂଳରେ ଗାଁ; ପାଣି ପାଇଁ କିନ୍ତୁ ଡହଳବିକଳ

ପାଣି ବିକିବାକୁ ଅଟୋ ବୁଲୁଛି; ବ୍ୟାରେଲ୍ ପିଛା ୨୦ ଟଙ୍କା

କଟକ: ମହାନଦୀ କୂଳରେ ଗାଁ। ହେଲେ ଗାଁରେ ମିଳୁନି ପିଇବାକୁ ସ୍ବଚ୍ଛ ପାଣି। ସ୍ଥିତି ଏମିତି ଯେ ଲୋକେ ଟଙ୍କା ଦେଇ ପ୍ରତିଦିନ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି। କଟକ ଜିଲ୍ଲା ନରସିଂହପୁର ବ୍ଲକ କମଳାଡ଼ିହ ପଞ୍ଚାୟତର ଇଏ ହେଉଛି ସ୍ଥିତି। ଏଭଳି ସମସ୍ୟାରେ ଲୋକେ ଘାଣ୍ଟି ହେଉଥିବା ବେଳେ ସରକାରୀ ବିକଳ୍ପ ବ୍ୟବସ୍ଥା ପାଇଁ ଯୋଜନା ନ ହେବା ସ୍ଥିତିକୁ ଅଧିକରୁ ଅଧିକ ସଂଗିନ କରି ଚାଲିଛି। ସୂଚନା ଅନୁସାରେ, କଟକ ଜିଲ୍ଲାର ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କମଳାଡ଼ିହ ପଞ୍ଚାୟତ ହେଉଛି କଟକ ଜିଲ୍ଲାର ଶେଷ ସୀମା। ମହାନଦୀ କୂଳରେ ଥିବା ‌ଏହି ଅଞ୍ଚଳ ଏବେ ସାତକୋଶିଆ ଇକୋ ରିଟ୍ରିଟ୍‌, ଇକୋ ଭିଲେଜ ତଥା ଗ୍ରାମୀଣ ପର୍ଯ୍ୟଟନ ପାଇଁ ‌ପ୍ରସିଦ୍ଧି ପାଇଛି। କମଳାଡ଼ିହ ପଞ୍ଚାୟତ ଅଧୀନରେ ରହିଛି କମଳାଡ଼ିହ, ପଞ୍ଚମା, ବାଲିପୁଟ, କଇଁତୋରା ଓ ରାଣୀଭୂଇଁ ଭଳି ୫ଟି ରାଜସ୍ବ ଗ୍ରାମ। ପାଖାପାଖି ସାଢ଼େ ୪ ହଜାର ଲୋକ ବସବାସ କରନ୍ତି ଏହି ପଞ୍ଚ‌ାୟତରେ।

ପଞ୍ଚାୟତ ପକ୍ଷରୁ କମଳାଡ଼ିହ, ବାଲିପୁଟରେ ପାନୀୟଜଳ ପ୍ରକଳ୍ପରୁ ଲୋକଙ୍କୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି। କିନ୍ତୁ ପଞ୍ଚମା, କଇଁତୋରା, ରାଣୀଭୂଇଁରେ କେବଳ ନଳକୂପ ଭରସାରେ ଗ୍ରାମବାସୀ। ପଞ୍ଚାୟତରେ ଯଦିଓ ୫୨ଟି ନଳକୂପ ରହିଛି, କିନ୍ତୁ ଅଧିକାଂଶ ନଳକୂପ ଅଚଳ। ଏପଟେ ଲାଇନ୍‌ ନଥିଲେ ଆସୁନି ପାଇପ୍‌ ପାଣି। ଏବେ ଖରାଦିନରେ ଘନ ଘନ ଅଘୋଷିତ ବିଦ୍ୟୁତ୍‌ କାଟ ସମସ୍ୟା। ଏହି ପ୍ରକଳ୍ପରୁ ରୁଗୁଡ଼ିପଡ଼ା ବାସିନ୍ଦା ପାଣି ପାଉ ନଥିବାବେଳେ କମାଳଡ଼ିହ, ବାଲିପୁଟ, ଉପରସାହି, ତଳସାହି, ମୁଣ୍ଡିଆସାହିର ଲୋକ କେବଳ ପାଣି ପାଉଛନ୍ତି।

ସବୁ ଗାଁରେ ଅଧିକାଂଶ ଲୋକଙ୍କ ବାଡ଼ିରେ ରହିଛି କୂଅ। କିନ୍ତୁ ଏବେ ଖରାଦିନ ଆସିଥିବାରୁ ସବୁ ଶୁଖିବାକୁ ବସିଲାଣି। ଅନେକ ନଳକୂପରେ ଦୁର୍ଗନ୍ଧ ପାଣି ଆସୁଛି। ଅନ୍ୟପଟେ ପ୍ରତି ଗାଁରେ ଶହେରୁ ଅଧିକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ। ଯଦିଓ ଏଭଳି କିଡ୍‌ନି ରୋଗର କାରଣ ଜଣାପଡୁନି, ତଥାପି ପାଣି ହୁଏତ ଏହାର ଅନ୍ୟ ପ୍ରମୁଖ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଏଭଳି ସ୍ଥିତିରେ ଲୋକେ ପ୍ରତ୍ୟେକ ଦିନ ଟଙ୍କା ଦେଇ ପିଇବା ପାଣି କିଣୁଛନ୍ତି। ଅଟୋ ଗାଁକୁ ଗାଁ ବୁଲି ବ୍ୟାରେଲ ପାଣି ଯୋଗାଉଛି। ବ୍ୟାରେଲ ପିଛା ୨୦ ଟଙ୍କାରେ ପାଣି ବିକ୍ରି ହେଉଛି। କିନ୍ତୁ ଅଞ୍ଚଳର ଅନେକ ପରିବାର ଏହି ପାଣି କିଣି ନ ପାରି ଦୂଷିତ ପାଣିକୁ ଛାଣି, ସିଝାଇ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏପଟେ ମହାନଦୀ ଖଣ୍ଡିରେ ତଥା ସାତକୋଶିଆ ଇକୋ ରିଟ୍ରିଟ୍‌ ପାଖରେ ଏକ ପାନୀୟଜଳ ପ୍ରକଳ୍ପ‌ ଖୋଳା ଯାଇଥିଲା। ପାଣି ବି ଭଲ ବାହାରୁଥିଲା। କିନ୍ତୁ ସେହି ପ୍ରକଳ୍ପରେ ଡୋରି ବନ୍ଧା‌ ହୋଇଛି। ଯଦି ଠିକ୍‌ ଢଙ୍ଗ‌ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥାନ୍ତା ତେବେ ଉକ୍ତ ଅଞ୍ଚଳରେ ପାନୀୟଜଳ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର