ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାକୁ ମାରାଥନଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଗସ୍ତ ସମୟରେ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣ ପରିଦର୍ଶନ କରି ଦୁଇଟି ଅଭିନବ କ୍ରୀଡ଼ା ବୋଲିଂ ଓ ଫେନସିଂକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଜିଲ୍ଲା ପ୍ରଶାସନକୁ ଏକ ବ୍ୟବସ୍ଥିତ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ସହିତ ଆଗକୁ କ୍ରୀଡ଼ା ପ୍ରାଙ୍ଗଣର ଉନ୍ନତୀକରଣ ପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ। ଭୀମଭୋଇ ମେଡିକାଲ୍ କଲେଜ ଓ ଡାକ୍ତରଖାନା ପରିଦର୍ଶନ କରିବା ସହ ଡିସେମ୍ବର ସୁଦ୍ଧା ଏଠାରେ ଖେଳପଡ଼ିଆ ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖେଳପଡ଼ିଆ ନିର୍ମାଣ ପାଇଁ ପରିଷଦ ପକ୍ଷରୁ ୨ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। ଏହାସହ ୫୦ ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ମଧ୍ୟ ତତ୍ପରତାର ସହ ସାରିବାକୁ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ଜିଲ୍ଲାର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ସମ୍ମିଳନୀ କକ୍ଷରେ ଆପିକଲ୍ ଦ୍ବାରା ଆୟୋଜିତ ହୋଇଥିବା ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲାର ଉଦ୍ୟୋଗୀମାନଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ବିଷୟରେ ଅବଗତ ହୋଇଥିଲେ।
ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଅଧୀନରେ ଥିବା ପାଲାଡିୟମ୍ ଏଜେନ୍ସି ଦ୍ବାରା ‘ସ୍ବକଳ୍ପ’ ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ ଥିବା ୪୮୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଦିଆଯାଉଥିବା ତାଲିମ ବିଷୟରେ ବୁଝିବା ସହ ପ୍ରମାଣପତ୍ର ବାଣ୍ଟିଥିଲେ। ଏହି ଶିବିରରେ ଅଧିକ ମହିଳା ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ, ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ସଫଳ ଉଦ୍ୟୋଗୀ ରୂପେ ଗଢ଼ି ତୋଳିବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ।ବଲାଙ୍ଗୀର ମ୍ୟୁନିସିପାଲିଟି ୱାର୍ଡ ନଂ ୧୭ରେ ଯୁବ ମହିଳା ଉଦ୍ୟୋଗୀ ମମତା ନାଏକଙ୍କୁ ଶ୍ରୀ ତ୍ରିପାଠୀ ଭେଟିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ମମତା ନାଏକ ୩୦ ଲକ୍ଷ ଟଙ୍କାରେ କୃଷି ସେବାକେନ୍ଦ୍ର ନିର୍ମାଣ କରି ସ୍ଥାନୀୟ ଚାଷୀଙ୍କୁ ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ଡବ୍ଲୁଓଡିସି ସହାୟତାରେ ନିର୍ମିତ ହେଉଥିବା ୧୦୦୦ ଆସନ ବିଶିଷ୍ଟ ନୂଆ ଅଡିଟୋରିୟମ ବୁଲି ଦେଖିଥିଲେ। ମହାଲକ୍ଷ୍ମୀନଗରରେ ପରିଷଦର ସହାୟତାରେ ନିର୍ମିତ କଲ୍ୟାଣ ମଣ୍ଡପ ପରିସରରେ ଡ୍ରେନ୍ ଓ ଫାଟକ ନିର୍ମାଣ କାର୍ଯ୍ୟକୁ ମଧ୍ୟ ଶ୍ରୀ ତ୍ରିପାଠୀ ତଦାରଖ କରିଥିଲେ। ପରିଦର୍ଶନ ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍ପି ଋଷିକେଶ ଖିଲାରୀ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ।