ଆନ୍ଧ୍ରର ଚିଙ୍ଗୁଡ଼ି ଦାନା କାରଖାନାରେ ୪ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

ଡଙ୍ଗାରେ ବିତୁଛି ଦିନ, ଖାଦ୍ୟ ମାଗିଲେ ମିଳୁଛି ମାଡ଼

ରାୟଗଡ଼ା: ମାସିକ ମୋଟା ଅଙ୍କର ମଜୁରି ମିଳିବ। ଖାଇବା-ପିଇବା ରହିବାରେ କିଛି ଅସୁବିଧା ନାହିଁ। ଏମିତି ପ୍ରତିଶ୍ରୁତି ଦେଇ କାଶୀପୁରର ୪ ଯୁବକଙ୍କୁ ଆନ୍ଧ୍ରର ଏକ ଚିଙ୍ଗୁଡ଼ି ଦାନା ପ୍ରସ୍ତୁତ ଫ୍ୟାକ୍ଟ୍ରିକୁ ନେଇଥିଲେ ଦଲାଲ୍। ଶ୍ରମିକମାନେ କାର୍ଯ୍ୟରେ ଯୋଗଦେବାକୁ ଇତି ମଧ୍ୟରେ ମାସେ ପୁରୁନି। ହେଲେ ଫ୍ୟାକ୍ଟ୍ରି ସୁପରଭାଇଜରଙ୍କ ଅକଥନୀୟ ନିର୍ଯାତନା ସହ୍ୟ କରିନପାରି ମୁକୁଳିବା ପାଇଁ ପ୍ରଶାସନ ଜରିଆରେ ପଦକ୍ଷେପ ନେବା ପାଇଁ ପରିବାର ଲୋକଙ୍କୁ ନିବେଦନ କରିଛନ୍ତି। ଆନ୍ଧ୍ରର ମାଳତୀପାଟନମ୍-ପୋଲାତିତିଲ୍ ଅଞ୍ଚଳରେ ଥିବା ଚିଙ୍ଗୁଡି ଦାନା ପ୍ରସ୍ତୁତ ଫ୍ୟାକ୍ଟ୍ରିରେ କାମ କରିବାକୁ ନଭେମ୍ବର ୫ ତାରିଖରେ କାଶୀପୁର ବ୍ଲକ୍ ସଦର ମହୁକମା ମାଇକଞ୍ଚ କଲୋନିର ଖଗେଶ୍ବର ନାଇକ, କୃଷ୍ଣଚନ୍ଦ୍ର ନାଇକ, ନବୀନ ନାଇକ, ମହେନ୍ଦ୍ର ନାଇକ ଯାଇଥିଲେ। ରାୟଗଡ଼ାର ଜିତୁ ନାମକ ଶ୍ରମିକ ଦଲାଲ୍ ଜରିଆରେ ୪ ଶ୍ରମିକ ଫ୍ୟାକ୍ଟ୍ରିରେ ପହଞ୍ଚିବା ପରେ ଜିତୁ ଚତୁରତାର ସହ ଶ୍ରମିକଙ୍କ ନାଁରେ ଅଗ୍ରୀମ ଟଙ୍କା ଉଠାଇ ଫେରାର ହୋଇ ଯାଇଥିଲେ। ଯାହା ସମ୍ପର୍କରେ କୌଣସି ସୁରାକ୍ ପାଇନଥିଲେ ଶ୍ରମିକ। କାର୍ଯ୍ୟରେ ଯୋଗଦେବା ପରେ ଦୈନିକ ୧୨ ଘଣ୍ଟା କାମ ସହ ଡଙ୍ଗାରେ ହିଁ ଦିନ କାଟିବାକୁ ଶ୍ରମିକଙ୍କୁ ବାଧ୍ୟ କରାଯାଉଛି। ଭଲ ଭାବରେ ଖାଇବାକୁ ମଧ୍ୟ ମିଳୁନି। ପ୍ରତିବାଦ କଲେ ଫ୍ୟାକ୍ଟ୍ରି କର୍ମଚାରୀ ମାଡ଼ ମାରୁଛନ୍ତି। ଫ୍ୟାକ୍ଟ୍ରି ଇଲାକାରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବହୁ ଶ୍ରମିକ ଦୀର୍ଘ ଦିନ ହେଲା ଫଶି ରହିଥିବା ଜାଣିବା ପରେ କାମ ଛାଡ଼ି ଚାଲି ଆସିବାକୁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ସୁପରଭାଇଜର୍ ମନା କରିବା ପରେ ବାରମ୍ବାର ଶ୍ରମିକ ମାନେ ଫ୍ୟାକ୍ଟ୍ରିରୁ ପଳାଇ ଆସିବାକୁ ଉଦ୍ୟମ କରିବା ପରେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ମୋବାଇଲ୍ ଛଡ଼ାଇ ନେବା ସହ ୪ ଶ୍ରମିକଙ୍କୁ ନଜରବନ୍ଦୀ କରି ରଖିଛନ୍ତି। ପୁରା ଦିନ ଡଙ୍ଗାରେ କଟୁଥିବା ବେଳେ ରାତିରେ ମଲା ମାଛ ଥିବା ଅନ୍ଧାର କୋଠରୀରେ ରହିବାକୁ ଶ୍ରମିକଙ୍କୁ ବାଧ୍ୟ କରାଯାଉଛି। ପାଖରେ ମୋବାଇଲ୍ ନଥିବାରୁ ନିଜ ଦୁର୍ଦ୍ଦଶା ସଂପର୍କରେ ପରିବାର ଲୋକଙ୍କୁ ଜଣାଇ ପାରୁନଥିଲେ ଶ୍ରମିକ। ସ୍ଥାନୀୟ କର୍ମଚାରୀରର ମୋବାଇଲରୁ ଗତକିଛି ଦିନ ତଲେ ଶ୍ରମିକମାନେ ପରିବାର ଲୋକଙ୍କୁ ନଜରବନ୍ଦୀ ସମ୍ପର୍କରେ ଜଣାଇବା ପରେ ନଭେମ୍ବର ୨୬ ତାରିଖରେ ଦାଦନ ଶ୍ରମିକଙ୍କ ପରିବାର ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ସାହୁଙ୍କୁ ଅବଗତ କରିଥିଲେ। ଇତି ମଧ୍ୟରେ ଶ୍ରମିକଙ୍କୁ ଉଦ୍ଧାର ଦିଗରେ ଶ୍ରମ ବିଭାଗ କୌଣସି ପଦକ୍ଷେପ ନ ନେବା ପରେ ଆଜି ଶ୍ରମିକଙ୍କ ପରିବାର ଲୋକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଆସି ପୁଣି ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରମ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏପଟେ ଦଲାଲ୍ ଜିତୁର କୌଣସି ଖୋଜ୍ ‌ଖବର ମିଳୁନଥିବାରୁ ପରିବାର ଲୋକ ଆଶା, ଆଶଙ୍କାରେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର