ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହାର ପ୍ରତିକୂଳ ପ୍ରଭାବରେ ପ୍ରକୃତି କରାଳ ରୂପ ଧାରଣ କରିବାରେ ଲାଗିଛି। ଦିନକୁ ଦିନ ସମୁଦ୍ର ଜନବସତି ଲଙ୍ଘି ଚାଲିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍‌ର ସମୁଦ୍ର କୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବିପଦ ଘନେଇ ଆସୁଛି। ବିଶେଷ କରି ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟା ଓ ଚିକିଟି ବ୍ଲକ୍‌ର ରାମେୟାପାଟଣା ଗ୍ରାମ ସମୁଦ୍ର ଲଙ୍ଘିବା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୋଡ଼ମପେଟା ଗ୍ରାମ ଭୌଗୋଳିକ ମାନଚିତ୍ରରୁ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଏହି ଗାଁକୁ ସମୁଦ୍ର ଖାଇ ସାରିଲାଣି। ଲୋକଙ୍କ କହିବା ଅନୁସାରେ, ୧୦ ବର୍ଷ ତଳେ ଏହି ଗାଁ ସମୁଦ୍ର ଠାରୁ ପ୍ରାୟ ୩/୪କିମି ଦୂରରେ ଥିଲା। କିନ୍ତୁ ଏବେ ଘର କାନ୍ଥରେରେ ସମୁଦ୍ର ପାଣି ପିଟି ହେଉଛି। ଦିନକୁ ଦିନ ସମୁଦ୍ର ଆଗକୁ ମାଡ଼ି ଆସୁଥିବାରୁ ଉପକୂଳବର୍ତ୍ତୀ ଗ୍ରାମାଞ୍ଚଳରେ ରହୁଥିବା ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।

Advertisment

ଗଞ୍ଜାମର ପ୍ରାୟାଗୀ ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୬୦ କିମି ବେଳାଭୂମି ରହିଛି। ଜିଲ୍ଲାର ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ଉପକୂଳ ଅଞ୍ଚଳରେ ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ସମୟରେ ଉପକୂଳ ଅଞ୍ଚଳବାସୀ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛନ୍ତି। ଏହି ସମୟରେ ସମୁଦ୍ର ଅଶାନ୍ତ ରହି କୂଳ ଖାଇ ଆଗକୁ ମାଡ଼ି ଯାଉଛି। ଫଳରେ ସମୁଦ୍ର ନିକଟରେ ରହିଥିବା ଗାଁ ପ୍ରତି ବିପଦ ସୃଷ୍ଟି ହେଉଛି। ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟା(ପୁରୁଣା) ଗ୍ରାମରେ ୨ଶହରୁ ଅଧିକ ପରିବାରବର୍ଗ ରହୁଥିଲେ। ସମୁଦ୍ରରୁ ମାଛ ଧରି ଏହି ଗ୍ରାମବାସୀ ଜୀବନଜୀବିକା ନିର୍ବାହ କରୁଥିଲେ। କିନ୍ତୁ କାଳକ୍ରମେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଗାଁ ଆଡ଼କୁ ମାଡ଼ି ଆସିଥିଲା। ଧୀରେ ଧୀରେ କୂଳ ଖାଇ ଗ୍ରାମବାସୀଙ୍କ ଘରଦ୍ବାର ସମୁଦ୍ର ଜୁଆରରେ ଭାଙ୍ଗି ଧୋଇ ହୋଇ ଯାଇଥିଲା। ସାମୁଦ୍ରିକ ସୁରକ୍ଷା ଆଇନ ଅନୁସାରେ ପୋଡ଼ମପେଟା ଗ୍ରାମ ସମୁଦ୍ର ଠାରୁ ୨କିମି ଭିତରେ ଥିବା ବେଳେ ବାରମ୍ବାର କୂଳ ଖାଉଥିବା ଯୋଗୁଁ ଗାଁକୁ ସ୍ଥାନାନ୍ତର କରାଯାଇଥିଲା।

୨୦୧୮ ମସିହାରେ ଗଞ୍ଜାମ ତହସିଲ ରାମଗଡ଼ ପଞ୍ଚାୟତ ଝାଡ଼ିପଦରରେ ଓଡିଆର୍‌ପିରେ ସରକାରଙ୍କ ତରଫରୁ ୨୦୬ ପରିବାରବର୍ଗଙ୍କୁ ଘର ଯୋଗାଇ ଦିଆଯାଉଛି। ପୋଡ଼ମପେଟା ଗ୍ରାମରେ ହାତଗଣତି ଆଉ କିଛି ଗ୍ରାମବାସୀ ରହୁଛନ୍ତି। ସେମାନଙ୍କର ଘର ଭଲ ଥିବାରୁ ସେମାନେ ଗାଁ ଛାଡ଼ି ଯାଉ ନାହାନ୍ତି। ସେହିପରି ଜୀବନଜୀବିକା ପାଇଁ ମଧ୍ୟ ସେମାନେ ଗାଁ ଛାଡ଼ିବାକୁ ନାରାଜ। ଅନ୍ୟପଟେ ବାରମ୍ବାର ଋଷିକୁଲ୍ୟା ମୁହାଣର ଗତିପଥ ପରିବର୍ତ୍ତନ ଯୋଗୁଁ ଗୋଖରକୁଦା, ପୋଡ଼ମପେଟା, ପୁରୁଣାବନ୍ଧ, ପ୍ରୟାଗୀର କିଛି ଅଂଶ, ଗଞ୍ଜାମ ଏନ୍‌ଏସି ୧୧ ଓ ୧୨ ନମ୍ବର ୱାର୍ଡ଼ ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ଚିକିଟି ବ୍ଲକ୍‌ର ରାମେୟାପାଟଣା ଗାଁ ପ୍ରତି ମଧ୍ୟ ବିଭିନ୍ନ ସମୟରେ ବିପଦ ମାଡ଼ି ଆସୁଛି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଏହି ଗ୍ରାମବାସୀଙ୍କ ପାଇଁ ଗାଁ ଠାରୁ ପ୍ରାୟ ୩କିମି ଦୂରରେ ଓଡିଆର୍‌ପିରେ ଘର ତିଆରି କରାଯାଇଛି। ହେଲେ ମାଛ ଧରିବା ବ୍ୟତୀତ ଏମାନଙ୍କ ପାଇଁ ଅନ୍ୟ କୌଣସି ରୋଜଗାର ପନ୍ଥା ନଥିବାରୁ ଗ୍ରାମବାସୀ ଗାଁ ଛାଡ଼ୁ ନାହାନ୍ତି। ଯାହା ଫଳରେ ପ୍ରତିବର୍ଷ ଦେଖା ଦେଉଥିବା ପ୍ରାକୃତିକ ଦୁର୍ବିପାକ ସମୟରେ ରାମେୟାପାଟଣା ଗାଁର ଘର ଭାଙ୍ଗି ଯାଉଛି।

publive-image

ସେହିପରି ଉପକୂଳ ଅଞ୍ଚଳରେ ରହିଥିବା ଖଲ୍ଲିକୋଟ, ଛତ୍ରପୁର, ରଂଗେଇଲୁଣ୍ଡା ବ୍ଲକ୍‌ର ବିଭିନ୍ନ ଗାଁ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଛତ୍ରପୁର ବ୍ଲକ୍‌ର ଆର୍ଯ୍ୟପଲ୍ଲୀ ପଞ୍ଚାୟତର କେତେକ ଗାଁ ସମୁଦ୍ର ନିକଟରେ ରହିଛି। ସେହିପରି ଆର୍ଯ୍ୟପଲ୍ଲୀରେ ଥିବା ସାମୁଦ୍ରିକ ଥାନା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ରଂଗେଇଲୁଣ୍ଡା ବ୍ଲକ୍‌ର ମାର୍କଣ୍ଡି ଗ୍ରାମର ମଧ୍ୟ ସେହି ସମାନ ଅବସ୍ଥା। ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରାମବାସୀ ନାନା ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ଆଗକୁ ବର୍ଷାଦିନ ଧରିବାରୁ ପାଣିପାଗ ପରବର୍ତ୍ତନ ହେବ। ସମୁଦ୍ର ଆଗକୁ ଲଙ୍ଘିଲେ ପୁଣିଥରେ ଏହି ଗ୍ରାମବାସୀଙ୍କ ପାଇଁ ବିପଦ ଘନେଇବ। ସମୁଦ୍ର ଅଶାନ୍ତ ହେବା ପଛରେ ବିଭିନ୍ନ କାରଣ ରହିଛି। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସାମୁଦ୍ରିକ ଜୀବର ସୁରକ୍ଷା ପାଇଁ ୨୦୦୯ ମସିହାରୁ ଜୁନ୍‌ ୮ତାରିଖକୁ ବିଶ୍ବ ମହାସାଗର ଦିବସ ଭାବେ ପାଳନ କରାଯାଉଛି।