ଡେଭିଡ ହତ୍ୟା ମାମଲା : ଅଭିଯୁକ୍ତ ମହିଳା ଗିରଫ

ବାରିପଦା : ବାରିପଦାର ଯୁବକ ବିଶ୍ଵଜିତ ଓରଫ ଡେଭିଡ ହତ୍ୟା ମାମଲାରେ ମୃତକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ମହିଳା ସ୍ନେହଲତା ପାତ୍ରଙ୍କୁ ଆଜି ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ଚାରି ବର୍ଷ ତଳର ଏହି ହତ୍ୟା ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ବଂଶୀ ଓ ନରେନ୍ଦ୍ରଙ୍କ ପରେ ଗିରଫ ହୋଇଛନ୍ତି ସ୍ନେହଲତା। ଏହି ମହିଳା ଜଣଙ୍କ ହେଉଛନ୍ତି ନରେନ୍ଦ୍ର ପାତ୍ରଙ୍କ ପତ୍ନୀ। ଯାହାଙ୍କ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ
୨୦୧୭ ଏପ୍ରିଲ ମାସରୁ ଦୀର୍ଘ ୪ ବର୍ଷ ହେବ ନିଖୋଜ ଥିବା ବାରିପଦାର ଯୁବକ ବିଶ୍ଵଜିତ ବେହେରା ଓରଫ ଡେଭିଡଙ୍କୁ ଝାଡ଼ଖଣ୍ଡରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ବାରିପଦା ଟାଉନ ଥାନା ପୁଲିସ ଝାଡ଼ଖଣ୍ଡର ଯୁବକ ବଂଶୀଧର ପାତ୍ର ଏବଂ ମୃତକ ଯୁବକଙ୍କ ପଡ଼ୋଶୀ ନରେନ୍ଦ୍ର ପାତ୍ରଙ୍କୁ ପୂର୍ବରୁ ଗିରଫ କରିସାରିଛି। ଡେଭିଡଙ୍କୁ ଝାଡ଼ଖଣ୍ଡରେ ହତ୍ୟା କରାଯାଇଥିବା ସ୍ୱୀକାର କରିଛି ଅଭିଯୁକ୍ତ ବଂଶୀଧର। ଏହି ମାମଲାରେ ଜଡିତ ଥିବା ନରେନ୍ଦ୍ର ପାତ୍ରଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରିବାକୁ ମୃତକଙ୍କ ପିତା ପର୍ଶୁରାମ ବେହେରା ଦାବି କରିଥିଲେ।

ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୮, ଭଂଜପୁର ଯମୁନାଦେଇପୁରର ପର୍ଶୁରାମ ବେହେରାଙ୍କ ବଡ଼ ପୁଅ ବିଶ୍ଵଜିତ ୧୫ ଏପ୍ରିଲ, ୨୦୧୭ରୁ ନିଖୋଜ ଥିଲେ। ସେବେଠୁ ତାଙ୍କର କୌଣସି ପତ୍ତା ମିଳୁନଥିଲା। ପଡୋଶୀ ମହିଳାଙ୍କ ସହିତ ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କ ସ୍ୱାମୀ ତଥା ଶିକ୍ଷକତା କରୁଥିବା ନରେନ୍ଦ୍ର ପାତ୍ର ଏବଂ ସମ୍ପର୍କୀୟ ଭାଇ ବଂଶୀଧର ପାତ୍ର ଡେଭିଡଙ୍କୁ ଝାଡ଼ଖଣ୍ଡରେ ହତ୍ୟା କରିଥିଲେ। ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଙ୍କ ନେତୃତ୍ୱରେ ପୁଲିସ ଏହି ମାମଲାର ସମାଧାନ କରିଛି। ଏଥିସହିତ ଏହି ବହୁଚର୍ଚ୍ଚିତ ଘଟଣାର ପର୍ଦ୍ଦାଫାସ କରିଛି। ଏଥିରେ ଜଡିତ ସମସ୍ତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର