ବାଲେଶ୍ବର: ଫେସବୁକରୁ ପ୍ରେମ। ତାପରେ ବାହାଘର। ଶେଷରେ ଧୋକା ଦେଲା ପ୍ରେମିକ। ଏ ନେଇ ପ୍ରତାରିତା ଯୁବତୀ ଥାନାରେ ଜଣାଇଥିଲେ। ପୁଲିସ ପାଖରୁ ନ୍ୟାୟ ନ ମଳିବାରୁ ବାଧ୍ୟ ହୋଇ ଯୁବତୀ ଆଜି ଥାନା ସମ୍ମୁଖରେ ଦେହରେ କିରାସିନ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସିମୁଳିଆ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଯୁବତୀ ଓ ସିମୁଳିଆ ଥାନା କୁପୁରା ଅଞ୍ଚଳର ଜସିମ୍ ସାହାଜିଙ୍କ ମଧ୍ୟରେ ଫେସବୁକରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଚେନାଇରେ ଏକ ହୋଟେଲରେ ୩ ମାସ ରହିଥିଲେ।
ଗତ ମାସରେ ଉଭୟ ଚେନାଇରୁ ଭୁବନେଶ୍ବର ଫେରି ଏକ ହୋଟେଲରେ ରହିଥିଲେ। ଯୁବତୀ ଜଣକ ଶୌଚାଳୟ ଯାଇଥିବା ବେଳେ ତାଙ୍କର ସୁନାଗହଣା ଓ ଟଙ୍କା ଟଙ୍କା ଧରି ସେଠାରୁ ଜସିମ୍ ଚମ୍ପଟ ମାରି ଥିଲେ। ଯୁବତୀ ଜଣକ ବାରମ୍ବାର ଫୋନ କଲେ ସେ ଉଠାଇ ନଥିଲେ। ଧୋକା ଦେଇଥିବା ଜସିମଙ୍କ ନାଁରେ ଗତ ମାସ ୯ ତାରିଖରେ ସିମୁଳିଆ ଥାନାରେ ଯୁବତୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ମାସ ପୁରିବାକୁ ବସିଲାଣି। ହେଲେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇ ପାରି ନାହିଁ। ପୁଲିସଠାରୁ ନ୍ୟାୟ ନ ମିଳିବାରୁ ଆଜି ଯୁବତୀ ଜଣକ ସିମୁଳିଆ ଥାନା ସମ୍ମୁଖରେ ଦେହରେ କିରାସିନ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ପୁଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି। ଯୁବତୀ ଜଣକ ଏବେ ୫ମାସର ଗର୍ଭବତୀ ଥିବା ଜଣାପଡ଼ିଛି।