କଟକରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା, ଉଦ୍ଧାର କଲା ପୁଲିସ

କଟକ: ମହାନଦୀକୁ ଡେଇଁ ଜଣେ ମହିଳା ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ମହିଳା ଜଣକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲରୁ ମହାନଦୀକୁ ଡେଇଁଥିଲେ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ କଟକ ସହରର ଜଣେ ମହିଳା ମଧୁସୂଦନ ପୋଲ ଉପରକୁ ପହଂଚିଥିଲେ। ମହିଳା ଜଣକ ପୋଲ ଉପରେ ସ୍କୁଟିକୁ ଷ୍ଟାଣ୍ଡ ମାରିଥିଲେ। ରାସ୍ତାରେ ଯାଉଥିବା ଲୋକେ କେହି କିଛି ଭାବିବା ପୂର୍ବରୁ ମହିଳା ଜଣକ ହଠାତ୍‌ ମହାନଦୀକୁ ଡେଇଁପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ନିକଟସ୍ଥ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ସ୍ଥାନୀୟ ଲୋକଙ୍କର ସହାୟତାରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ମହିଳାଙ୍କୁ ଉଦ୍ଧାର କରିଛି। ମହିଳା ଜଣକ ବିବାହିତା ଓ ସେ ଜଣେ ଓଲିଉଡ ଅଭିନେତାଙ୍କର ପତ୍ନୀ ବୋଲି ଜଣାପଡ଼ିଛି।

ତେବେ ରିପୋର୍ଟ ଲେଖାଯିବା ବେଳକୁ ମହିଳା ଜଣକ କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ତାହା ଜଣାପଡ଼ିନାହିଁ। କିନ୍ତୁ ଏତିକି କୁହାଯାଇପାରିବ ଯେ, ସେ ପାରିବାରିକ ଅଶାନ୍ତି ହେଉ ଅଥବା ଅନ୍ୟ କୌଣସି କାରଣ ପାଇଁ ଭାଙ୍ଗିପଡ଼ିବାରୁ ଏଭଳି ନିଷ୍ପତ୍ତି ନେଇଥିଲେ।

ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବା ଅଥବା ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଂଚଳରେ ପ୍ରେମୀଯୁଗଳ ମହାନଦୀକୁ ଡେଇଁପଡ଼ିଥିଲେ। ମହାନଦୀର ତ୍ରିଶୁଳିଆ ଠାରେ ଆଠଗଡ଼ ଥାନା ଅଧୀନ ନୂଆବନ୍ଧ ଗ୍ରାମର ରତିରଂଜନ ମହାନଦୀକୁ ଡେଇଁପଡ଼ିଥିଲେ। ସେହିପରି ଗତ ଜୁନ ୩୦ ତାରିଖରେ ଜଣେ ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ପୂଜା ଅଗ୍ରଓ୍ଵାଲ ନାମକ ଜଣେ ମହିଳା ନିଜର ୩ ବର୍ଷର ଝିଅ ସୁମିକୁ ଧରି ସମ୍ବଲପୁର-ଚାଉଁରପୁର ଠାରେ ମହାନଦୀକୁ ଡେଇଁପଡିଥିଲେ।

ସମ୍ବନ୍ଧିତ ଖବର