ଶିକୁଳିରେ ବନ୍ଧା ଜୀବନ: ଅସହାୟ ପରିବାର ପାଇଁ ମହିଳାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ମାଲକାନଗିରି: କୁକୁଲିଗୁଡା ଗ୍ରାମରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଗତ ୫ ମାସ ହେଲା ଜଣେ ମହିଳା ଶିକୁଳିରେ ବନ୍ଧା ହୋଇ ବନ୍ଦୀ ଜୀବନ ବିତାଉଛନ୍ତି। ଏହି ଗ୍ରାମର ସମାରୁ କୁଟିଆଙ୍କ ପତ୍ନୀ ମୁକ୍ତା କୁଟିଆଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ତାଂକୁ ଏଭଳି ବନ୍ଦୀ ଜୀବନ ବିତାଇବାକୁ ପଡୁଥିବା ପରିବାର ଲୋକେ କହନ୍ତି। ପୂର୍ବରୁ ମୁକ୍ତା ଏଭଳି ନଥିଲେ। ନିଜର ତିନି ପିଲାଙ୍କ ସହ ବେଶ ଖୁସିରେ ପରିବାର ଚଳୁଥିଲା। କିନ୍ତୁ ଜମିଜମା ବିବାଦକୁ ନେଇ ତାଂକର ମୁଣ୍ଡ କାମ କରୁନଥିବା ପରିବାର ଲୋକେ କହନ୍ତି।

ଗତ ୫ ମାସ ହେଲା ସେ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲିବା ସହ ପିଲାଙ୍କୁ ବାଡେଇବା ଏବଂ ଘରର ଛାତ ନଷ୍ଟ କରିବା ଭଳି କାର୍ଯ୍ୟ କରୁଥିଲେ। ଏଥିରେ ଗ୍ରାମବାସୀ ବହୁ ହଇରାଣ ହେଲେ। ବାଧ୍ୟ ହୋଇ ସ୍ବାମୀ ସମାରୁ ତାଂକୁ ଶିକୁଳିରେ ବାନ୍ଧି ଘରର ଏକ କୋଣରେ ପକାଇ ଦେଇଛନ୍ତି। ଏବେ ମୁକ୍ତାଙ୍କ ଗୋଡରେ ଶିକୁଳି ଲାଗିଥିବା ବେଳେ ମୁହଁରେ ଯାହା ଆସୁଛି ତାହା କହି ଚାଲିଛନ୍ତି।

ଏପଟେ ପିଲାମାନେ ମାଆଙ୍କର ଏଭଳି ଅବସ୍ଥା ଦେଖି ଡରିଯାଇଛନ୍ତି। ମାଆ କେବେ ତାଂକୁ ନିଜ ପାଖକୁ ନେଇ ଗେଲ କରିବ ସେନେଇ ଚିନ୍ତାରେ ପଡିଛନ୍ତି। ସମାରୁ ଅତି ଗରିବ ହୋଇଥିବାରୁ ପତ୍ନୀର ଚିକିତ୍ସା ପାଇଁ ବାହାରକୁ ଯାଇପାରୁ ନାହାନ୍ତି। ଏପଟେ ପରିବାରର ପେଟ ଚିନ୍ତା କରିବେ ନା ସେପଟେ ପତ୍ନୀ ମୁକ୍ତାର ଚିକିତ୍ସା କରାଇବେ ବୋଲି କହିଛନ୍ତି। ବାଧ୍ୟ ହୋଇ ସେ ଗୁଣିଗାରେଡି ଉପରେ ବିଶ୍ବାସ ରଖି ସବୁ କଲେ କିନ୍ତୁ କିଛି ଫଳ ହେଲା ନାହିଁ। ବରଂ ରୋଗ ଅଧିକା ବଢିଲା। ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ କହିବା ଅନୁଯାୟୀ ତାଂକୁ ପୂର୍ବରୁ ଆମେ ସାକ୍ଷାତ କରିଥିଲୁ,ବର୍ତ୍ତମାନ ମାଥିଲି ମେଡିକାଲକୁ ଆଣି ଚିକିତ୍ସା କରିବା ପରେ କୋରାପୁଟ ମେଡିକାଲକୁ ପଠାଯିବ ବୋଲି କହିଛନ୍ତି। ପ୍ରଶାସନ ତରଫରୁ ଏହି ଅସହାୟ ପରିବାରକୁ ସହଯୋଗର ହାତ ବଢାଇବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର