କାମାକ୍ଷାନଗର: ରୋଷେଇ କରୁଥିବା ବେଳେ ଗ୍ୟାସ୍ ନିଆଁରେ ଆଜି ଜଣେ ମହିଳା ଜଳି ଯାଇଛନ୍ତିି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇଛନ୍ତି ରୋଡ଼ଙ୍ଗ ଗାଁ ପଡ଼ିଆସାହିର ବିଳାସିନୀ ସିଂହ (୨୪)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ ପଡ଼ିଆସାହିର ବିଳାସିନୀ ସିଂହ ଆଜି ଅପରାହ୍ନ ସମୟରେ ନିଜ ଘରେ ରୋଷେଇ କରୁଥିଲେ। କୌଣସି କାରଣରୁ ଗ୍ୟାସ ଟାଙ୍କିରୁ ଗ୍ୟାସ୍ ନିର୍ଗତ ହୋଇ ରୋଷେଇ ଘର ଚାରିଆଡ଼େ ନିିଆଁ ଜଳିଥିଲା। ଏହି ନିଆଁର ଶିକାର ହୋଇଥିଲେ ବିଳାସିନୀ। ତାଙ୍କର ଶରୀରରେ ନିଆଁ ଲାଗି ଯାଇଥିଲା । ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ବିଳାସିନୀଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନେଇଥିଲେ। ତେବେ ତାଙ୍କ ଶରୀରର ପ୍ରାୟ ୮୦ ଭାଗ ଗ୍ୟାସ ନିଆଁରେ ପୋଡ଼ି ହୋଇଯାଇଥିବାରୁ ଏବଂ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।