କେନ୍ଦ୍ରାପଡ଼ା: ପ୍ରେମିକର ମୃତ୍ୟୁ ପରେ ନିଜ ଦେହରେ ନିଆଁ ଲଗାଇ ଜିଅନ୍ତା ଜଳିଗଲେ ଯୁବତୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଁସର ପଞ୍ଚାୟତର କଙ୍କଡ଼ିଆ ଗାଁରେ ଆଜି ସକାଳୁଏକ ଅଭାବନୀୟ ଘଟଣା ଘଟିଛି। ଭୁବନେଶ୍ୱରରେ ଏକ ମେଡିକାଲ କଲେଜରେ ନର୍ସିଂ ତାଲିମ ନେଉଥିବା ଜଣେ ୨୦ ବର୍ଷୀୟ ଯୁବତୀ ଗତକାଲି ରାତିରେ ଗାଁକୁ ଫେରିବା ପରେ ଆଜି ସକାଳୁ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରେମଜନିତ କାରଣରୁ ଯୁବତୀଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ଗାଁରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଯୁବତୀଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିିବା ନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଗାଁ ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଙ୍କଡ଼ିଆ ଗ୍ରାମର ବ୍ରଜବନ୍ଧୁ ସ୍ୱାଇଁଙ୍କ ଝିଅ ରୁକ୍ମଣୀ ସ୍ୱାଇଁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜ୍‌ରେ ନର୍ସିଂ ଟ୍ରେନିଂ ନେଉଥିଲେ। ସେ ଅଙ୍ଗୁଳେଇ ଗ୍ରାମର କମଳ ଲୋଚନ ଦାଶ ( ୨୪ ବର୍ଷ) ଙ୍କୁ ଭଲ ପାଉଥିଲେ। ତେବେ ଗତକାଲି କମଳଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥଲା। ପରିବାର ଲୋକେ ତାଙ୍କ ଶବ ସଂସ୍କାର କରି ଦେଇଥିଲେ। ଏ ଖବର ପାଇ ଗତକାଲି ରାତିରେ ରୁକ୍ମଣୀ ଗାଁକୁ ଫେରିଥିଲେ। ଗତକାଲିି ରାତିରେ ଘରେ ଚୁପ୍‌ଚାପ ଥିବା ରୁକ୍ମଣୀ ଆଜି ସେକାଳେ ତାଙ୍କ ଘର ପାଖରେ ଥିବାଏକ ଅର୍ଦ୍ଧନିର୍ମିତ ଘର ଭିତରେ ପଶି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରୁକ୍ମଣୀଙ୍କର ମୃତ୍ୟୁ ଘଟିଛି।
ତେବେ ଅନ୍ୟ କେତେକ ଗ୍ରାମବାସୀ ଯୁବତୀଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛନ୍ତି। ଯେହେତୁ ଯୁବତୀ ଜଣକ ଜଳୁଥିବାର କେହି ଦେଖି ନାହାଁନ୍ତି, ଘଟଣା ପଛରେ ଅନ୍ୟ କିଛି ରହସ୍ୟ ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏ ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ କିମ୍ବା ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇବାର ବ୍ୟବସ୍ଥା କରି ନାହିଁ। ତେଣୁ ଏହି ଘଟଣା ପଛରେ ଥିବା ରହସ୍ୟ ଅଧିିକ ରହସ୍ୟମୟ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର