କନ୍ଧମାଳ ଏସ୍‌.ପିଙ୍କ ନିକଟରେ ମାଓ କ୍ୟାଡ଼ର୍‌ କାନ୍ତି ମଲ୍ଲିକଙ୍କ ଆତ୍ମସମର୍ପଣ

ନିରୀହ ଜନତାଙ୍କ ପ୍ରତି ଅତ୍ୟାଚାର ଦେଖି ଅସ୍ତ୍ର ଛାଡ଼ିଲେ

ଫୁଲବାଣୀ : କନ୍ଧମାଳ ଏସ୍‌.ପି. ଭିନୀତ୍‌ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି କେକେବିଏନ୍‌ ଡିଭିଜନ୍‌ ମାଓ ସଂଗଠନର ଜଣେ ମହିଳା କ୍ୟାଡ଼ର୍‌ କାନ୍ତି ମଲ୍ଲିକ ଓରଫ ଅମିତା। ମାଓ ସଂଗଠନର କଥା ଓ କାମରେ ଢେର୍‌ ପାର୍ଥକ୍ୟ ରହିଛି ଏବଂ ଜିଲ୍ଲାର ଗ୍ରାମାଂଚଳରେ ଥିବା ସରଳ ନିରୀହ ଲୋକଙ୍କୁ ସଂଗଠନ ନେତାମାନେ ପୁଲିସ ଇନଫର୍ମର କହି ହତ୍ୟା କରିବା ସହିତ ସାଧାରଣ ଲୋକଙ୍କ ଉନ୍ନତି ପାଇଁ କାମ କରୁଥିବା କହି ଜିଲ୍ଲାର ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରା ଯାଉଥିବା ଅଭିଯୋଗ ଆଣି ସେ ସଂଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍‌.ପି. ଏହି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା କାନ୍ତିଙ୍କୁ ଏସ୍‌.ପି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହିତ ସରକାରଙ୍କର ଦ୍ବାରା ପ୍ରଦାନ କରା ଯାଉଥିବା ସମସ୍ତ ଥଇଥାନ ବ୍ୟବସ୍ଥାର ଲାଭ ପାଇବା ସହିତ ସେ ଚାହିଁଲେ ତାଙ୍କୁ ସରକାରଙ୍କ ତରଫରୁ ଘର, ତାଙ୍କ ଜୀବନଜୀବିକା ପାଇଁ ଆବଶ୍ୟକ ସୁବିଧା ଏବଂ ପାଠପଢ଼ା ତଥା ତାଙ୍କ ଇଚ୍ଛା ମୁତାବକ ଯେ କୌଣସି ତାଲିମ ପାଇଁ ମଧ୍ୟ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, କାନ୍ତି ମଲ୍ଲିକଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଂଚଳର କୁଟିକିଆ ପଂଚାୟତର ଗାଙ୍ଗାରାଙ୍ଗାରେ। କାନ୍ତିଙ୍କ ବୟସ ଏବେ ୨୨ ବର୍ଷ। ୨୦୧୮ରେ ତାଙ୍କୁ ମାଓବାଦୀମାନେ ସଂଗଠନ ଗ୍ରାମାଂଚଳ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଏବଂ ଲୋକଙ୍କ ପାଇଁ ଲଢ଼େଇ କରୁଥିବା କହିବା ସହିତ ତାଙ୍କୁ ବିଭିନ୍ନ ମିଛ ପ୍ରଲୋଭନ ଦେଖାଇଥିଲେ। ସେଥିରେ ସେ ପ୍ରଲୋଭିତ ହୋଇ ସଂଗଠନରେ ଯୋଗ ଦେଇଥିଲେ ବୋଲି ପୁଲିସ ଓ ଗଣମାଧ୍ୟମକୁ କହିଛନ୍ତି। ଜିଲ୍ଲାର ଆଦିବାସୀ ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ସେମାନଙ୍କୁ ସଂଗଠନରେ ସାମିଲ କରୁଛନ୍ତି। ପୁଲିସ ସହିତ ଗୁଳି ବିନିମୟ ବେଳେ ତାଙ୍କ ଭଳି ସରଳ ନିରୀହ କ୍ୟାଡ଼ର୍‌ଙ୍କୁ ପୁଲିସ ଗୁଳି ଆଗକୁ ଠେଲି ଦେଇ ନିଜ ଜୀବନ ବଂଚାଉଛନ୍ତି।

ସମ୍ବନ୍ଧିତ ଖବର