କରୋନାରେ ସ୍ବାମୀଙ୍କ ମୃତ୍ୟୁ; ବର୍ଷେ ପରେ ବି ସଂଯୁକ୍ତାଙ୍କୁ ଶାଶୂଘର ମନା, ବନ୍ଦ ଘର ଆଗରେ ପାଳିଲେ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ବ୍ରହ୍ମପୁର: ଗତବର୍ଷ କରୋନା ମହାମାରୀର ଦ୍ବିତୀୟ ଲହର୍ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚାଇଥିବା ବେଳେ ଶତାଧିକ ଲୋକଙ୍କ ଜୀବନଦୀପ ଲିଭିଯାଇଥିଲା। ତେବେ ଏହାଠୁ ବଳିଯାଇଥିଲା ଲୋକଙ୍କ ଭିତରେ ଛୁଆଁଅଛୁଆଁ ଭଳି ଭେଦଭାବ। ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ସତ୍କାର କରିବା ପାଇଁ ବି ଚାରି କାନ୍ଧ ମିଳୁ ନଥିବା ବେଳେ ମୃତକଙ୍କ ପରିବାରକୁ ଅଛୁଆଁ ଭଳି ବ୍ୟବହାର କରାଯାଉଥିଲା। ଆତ୍ମୀୟ ବି ମୁହଁ ମୋଡ଼ିଲେ। ଖାଲି ଏତିକି ନୁହେଁ, ସ୍ବାମୀର ମୃତ୍ୟୁ ପରେ ପତ୍ନୀକୁ ବି ଶାଶୂଘର ଲୋକ ଆଉ ପଚାରିଲେନି। ଯାହାର ଏକ କରୁଣ ଉଦାହରଣ ସାମ୍ନାକୁ ଆସିଛି। କରୋନାରେ ସ୍ବାମୀଙ୍କ ମୃତ୍ୟୁକୁ ବର୍ଷେ ବିତିଯାଇଥିଲେ ବି ବୋହୂକୁ ଶାଶୂଘର ମନା ହୋଇଛି। ଖାଲି ଏତିକି ନୁହେଁ, ସ୍ବାମୀ ଓ ଗୋଟିଏ ମାତ୍ର ପୁଅକୁ ନେଇ ଯେଉଁ ଘରେ ତାଙ୍କର ତେଲଲୁଣର ସଂସାର ଚାଲିଥିଲା ସେଠାରେ ବି ଆଜି ଶାଶୂଘର ଲୋକେ ତାଲା ଠୁଙ୍କି ଦେଇଛନ୍ତି। ଆଉ ବର୍ଷେ ହେଲା ବିଚରା ବିଧବା ପତ୍ନୀ ବେସାହାରା ଅବସ୍ଥାରେ ବାପଘରେ ରହୁଛନ୍ତି। ସରକାରଙ୍କ କୋଭିଡ୍‌ ସହାୟତା ମିଳୁଛି ସତ। କିନ୍ତୁ ୫ ବର୍ଷର ପୁଅର ଭବିଷ୍ୟତ ଗଢ଼ିବା ଚିନ୍ତା ଘାରିଛି। ଏହାମଧ୍ୟରେ ଗତକାଲି ସେହି ବନ୍ଦ ଘର ଆଗରେ ହିଁ ସ୍ବାମୀଙ୍କ ଫଟୋ ରଖି ସେ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିଛନ୍ତି।
ହିଞ୍ଜିଳିକାଟୁ ବାସିନ୍ଦା ସୁବାସ ଚନ୍ଦ୍ର ପାଢ଼ୀଙ୍କ ଝିଅ ସଂଯୁକ୍ତା (୩୭) ୨୦୧୦ ମସିହାରେ ଆସିକା ବ୍ଲକ୍ ନଳବଣ୍ଟା ଗ୍ରାମର ମୂଳବାସିନ୍ଦା ସୁଶାନ୍ତ କୁମାର ମିଶ୍ରଙ୍କୁ ବିବାହ କରିଥିଲେ। ସଂଯୁକ୍ତା ଓ ସୁଶାନ୍ତ ସୋରଡ଼ା ସହର ନିଗମାନନ୍ଦ ରୋଡ଼ରେ ରହୁଥିଲେ। ଉଭୟଙ୍କ ତେଲଲୁଣର ସଂସାର ଖୁସିରେ ଚାଲିଥିଲା। ସୁଶାନ୍ତ ଏକ ତେଜରାତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ହଠାତ୍ ସଂଯୁକ୍ତାଙ୍କ ଜୀବନରେ ଦୁଃଖର କଳା ବାଦଲ ଘୋଟି ଆସିଲା। ସୁଶାନ୍ତ କରୋନାରେ ସଂକ୍ରମିତ ହୋଇ ମେ’ ୪ ତାରିଖରେ ଭଞ୍ଜନଗରରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଦିଅର, ଯାଆ ଓ ଶାଶୂଙ୍କ ସହ ସଂଯୁକ୍ତା ପୁରୀ ଯାଇ ସ୍ବାମୀଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହୋଇଥିଲେ। ସ୍ବାମୀଙ୍କ ମୃତ୍ୟୁର ୧୫ ଦିନ ପରେ ସଂଯୁକ୍ତାଙ୍କୁ ତାଙ୍କ ବାପଘର ହିଞ୍ଜିଳିକାଟୁ ଯିବା ଲାଗି ଶାଶୂଘର ଲୋକେ କହିଥିଲେ। କିନ୍ତୁ ସଂଯୁକ୍ତା ସୋରଡ଼ା ପଳାଇବେ ବୋଲି କହିଥିଲେ ବି ସେମାନେ ଏଥିପାଇଁ ମନା କରିଥିଲେ। ଶେଷରେ ସଂଯୁକ୍ତା ତାଙ୍କ ୫ ବର୍ଷର ପୁଅକୁ ଧରି ବାପଘର ଚାଲିଆସିଥିଲେ।
ଏହା ମଧ୍ୟରେ ଏକବ‌ର୍ଷ ବିତିସାରିଛି। ସଂଯୁକ୍ତାଙ୍କୁ ନେବା ଲାଗି ଶାଶୂଘର ଲୋକେ ଆଉ ଆସୁନାହାନ୍ତି କି, ତାଙ୍କ କଲ୍ ରିସିଭ୍ କରୁନାହାନ୍ତି। ମୋବାଇଲ୍ ନମ୍ବରକୁ ବ୍ଲକ୍ କରି ଦେଇଛନ୍ତି। ଖାଲି ଏତିକି ନୁହେଁ, ସୋରଡ଼ାରେ ସେ ରହୁଥିବା ଘରେ ଚାବି ପଡ଼ିଯାଇଛି। ସେଠାରେ ତାଙ୍କ ସମସ୍ତ ‌‌ଯୌତୁକ ସାମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷପତ୍ର ରହିଛି। ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ଦୁର୍ବିଷହ ପାଲଟିଛି। ଏଭଳି ପରିସ୍ଥିତିରେ  ସ୍ବାମୀଙ୍କ ବୃତ୍ତିକୁ ବଞ୍ଚାଇ ରଖି ପୁଅର ଭରଣପୋଷଣ କରିବାକୁ ଚାହୁଁଛନ୍ତି। ତଥାପି ସ୍ବାମୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଶାଶୂଘର ଲୋକେ ସୋରଡ଼ାରେ ପହଞ୍ଚିବା ନେଇ ସଂଯୁକ୍ତା ଆଶାବାଦୀ ଥିଲେ। ନିଜ ମାଆ ଓ ତାଙ୍କ ପୁଅ ସହ ସୋରଡ଼ାରେ ପହଞ୍ଚିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି। ଶେଷରେ ‌ବନ୍ଦ ଘର ଆଗରେ ସ୍ବାମୀଙ୍କ ଫଟୋ ରଖି ବିଧି ଅନୁସାରେ ଶ୍ରାଦ୍ଧବାର୍ଷିକୀ ପାଳିବା ସହ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରେ ବ୍ରାହ୍ମଣ ଭୋଜନ ବ୍ୟବସ୍ଥା କରିଥିଲେ।
କିନ୍ତୁ ‘ସମ୍ବାଦ’ ସହ ଆଲୋଚନା ବେଳେ କୋହଭରା କଣ୍ଠରେ ସଂଯୁକ୍ତା କହିଛନ୍ତି, କୋଭିଡ୍‌ରେ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନରେ ଯେମିତି ଦୁଃଖର କଳା ବାଦଲ ଘୋଟି ଆସିଛି। ‘କେତେଦିନ ଏମିତି ବାପଘରେ ପଡ଼ି ରହିବି। ପ୍ରଶାସନ ଏଥିରେ ହସ୍ତକ୍ଷେପ ଗ୍ରହଣ କରି ନ୍ୟାୟ ଦେଲେ ଉପକୃତ ହୁଅନ୍ତି।  ନହେଲେ ମୋ’ ପୁଅର ଭବିଷ୍ୟତ ମାଟିରେ ମିଶିଯିବ। ପ୍ରଶାସନ କିଛି ନ କଲେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବି’।
ସମ୍ବନ୍ଧିତ ଖବର