ଥାନା ବିରୋଧରେ ଏସ୍ପିଙ୍କୁ ମହିଳାଙ୍କ ଅଭିଯୋଗ

ଖୋର୍ଦ୍ଧା: ଗତ ମାସରେ ଜଙ୍କିଆ ଥାନା ଅନ୍ତର୍ଗତ ରାଇମୂଳପାଟଣାରେ କେତେକ ବ୍ୟକ୍ତି ଜଣେ ମହିଳାଙ୍କ ସମେତ ତାଙ୍କ ବୃଦ୍ଧ ଶ୍ୱଶୁର ଓ ସ୍ୱାମୀଙ୍କୁ ଘରୁ ଟାଣିଆଣି ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା । ଏହି ଘଟଣାରେ ଉକ୍ତ ପୀଡ଼ିତ ପରିବାର ପକ୍ଷରୁ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା । ପୁଲିସ ମଧ୍ୟ ଅଭିଯୋଗ ଭିତ୍ତିରେ ଏକ ମାମଲା ରୁଜୁ କରିଥିଲା, କିନ୍ତୁ ଘଟଣାର ପ୍ରାୟ ୧୫ ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଜଙ୍କିଆ ପୁଲିସ ଟାଳଟୁଳ ନୀତି ଧରୁଛି । ଏଭଳି ଅଭିଯୋଗ କରି ଆଜି ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଆଜି ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ପୀଡ଼ିତା ମହିଳା କଳ୍ପନା ପ୍ରଧାନଙ୍କ କହିବାକଥା ହେଲା, ଏନେଇ ଜୁନ୍ ୧ ତାରିଖରେ ପ୍ରଥମ ଅଭିଯୋଗ ଜଙ୍କିଆ ଥାନାରେ ଦିଆଯାଇଥିଲା । ପୁଲିସ ମଧ୍ୟ ୧୧୩/୨୦୨୧ରେ ଏକ ମାମଲା ରୁଜୁ କରିଥିଲା । ତେବେ ପୁଲିସ କୌଣସି ପଦକ୍ଷେପ ନନେବାରୁ ପୁଣିଥରେ ଅଭିଯୁକ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସେ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇଥିଲା । ବର୍ତମାନ ସୁଦ୍ଧା ତାଙ୍କ ଶ୍ୱଶୁର ଚିକିତ୍ସାଧୀନ ଅଛନ୍ତି । ଏନେଇ ପୁଣିଥରେ ୨୨ ଜୁନ୍ରେ ଜଙ୍କିଆ ଥାନାରେ ଅଭିଯୋଗ କରାଯାଇଥିଲା । ଥାନା ପୁଲିସ ପୁଣି ୧୩୨ରେ ଏକ ମାମଲା ରୁଜୁ କରି ଚୁପ୍ ବସିଛି । ଅଭିଯୁକ୍ତଙ୍କ ପକ୍ଷରୁ ସେମାନଙ୍କ ଉପରେ ବାରମ୍ବାର ଧମକଚମକ ମିଳୁଛି । ଏପରିକି ମାମଲା ଥାନାରେ ଦେଇଥିବାରୁ ପ୍ରାଣରେ ମାରିଦେବାକୁ ଧମକ ଦେଇଛନ୍ତି । ଏନେଇ ଏସ୍ପି ରାଜ କିଶୋର ଦୋରା କହିଛନ୍ତି ଯେ ମାମଲାକୁ ଗୁରୁତ୍ୱ ଦିଆଯାଇଛି । ତୁରନ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।

ସମ୍ବନ୍ଧିତ ଖବର