ମାଲକାନଗିରି: ମାଛ ଧରୁଥିବା ବେଳେ ପାଣିରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାନୀୟ ଘଟଣା ଘଟିଛି ମାଲକାନଗିରି ଥାନା ଅନ୍ତର୍ଗତ ଭିମାରାଙ୍ଗିନୀ ଗ୍ରାମରେ। ସେହି ଗ୍ରାମର ସ୍ୱର୍ଗତ ହାତିରାମ ମାଡ଼ିଙ୍କ ପତ୍ନୀ ରାଧା ମାଢ଼ି (୫୦)ରବିବାର ଅପରାହ୍ନରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାରକୁ ଚିଙ୍ଗୁଡ଼ି ଧରିବାକୁ ଯାଇଥିଲେ। ମାଛ ଧରୁଥିବା ସମୟରେ ତାଙ୍କ ଗୋଡ ଖସି ଯିବାରୁ ଜଳ ଭଣ୍ଡାରରେ ବୁଡିଯାଇ ଥିଲେ। ନିକଟରେ ଅନ୍ୟ ମାଛ ଧରାଳି ଏହା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।ତୁରନ୍ତ ଗ୍ରାମବାସୀ ଜଳଭଣ୍ଡାରରେ ପହଞ୍ଚି ମହିଳାଙ୍କୁ ବହୁତ ଖୋଜା ଖୋଜି କଲା ପରେ ଗତକାଲି ବିଳମ୍ବିତ ରାତିରେ ଜଳଭଣ୍ଡାରରୁ ମହିଳାଙ୍କୁ ଉଦ୍ଧାର କରିଥିଲେ।

Advertisment

ସିନ୍ଧ୍ରିମାଳ ସରପଞ୍ଚ ଘାସି ନାୟକ ଘଟଣାସ୍ଥଳରେ ପହଁଚି ମାଲକାନଗିରି ଥାନାକୁ ଜଣାଇଥିଲେ ଓ ଉଦ୍ଧାର ମହିଳାଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ରାତିରେ ପଠାଇଥିଲେ। ହସ୍ପିଟାଲରେ ଡାକ୍ତର ମହିଳା ଜଣଙ୍କ ମୃତବୋଲି ଘୋଷଣା କରିଥିଲେ।

ଏ ସମ୍ପର୍କରେ ମୃତ ମହିଳାଙ୍କ ପୁତୁରା ମାଲକାନଗିରି ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଆଜି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ ବର୍ଷକ ମଧ୍ୟରେ ସତୀଗୁଡା ଜଳ ଭଣ୍ଡାରରେ ମାଛ ଧରୁଥିବା ବେଳେ ତିନିଜଣଙ୍କର ମୃତ୍ୟୁ ଘଟିସାରିଛି। ସେଥି ମଧ୍ୟରୁ ଭିମାରାଙ୍ଗିନୀ ଗ୍ରାମର ଦୁଇଜଣ ଓ ଏମଭି୧୧୧ ଗ୍ରାମର ଜଣଙ୍କର ମୃତ୍ୟୁ ଘଟିଛି।