ବାଲେଶ୍ୱର: ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ବିଫଳ, ଜୀବନ ହାରିଲେ ମହିଳା, ମୃତଦେହ ରଖି କ୍ଷତି ପୂରଣ ଦାବି କଲେ ଲୋକେ

ବାଲେଶ୍ୱର: ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁଁ ଶନିବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ଅନ୍ତର୍ଗତ ରାଇରାମପୁରଚନ୍ଦ୍ରପୁର ପଂଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି। ସୋରିଷମାଳ ଗାଁର ଜଣେ ମହିଳା ଅନୁସୟା ପାଢ଼ୀ (୪୦)ଙ୍କ ମୃତ୍ୟୁ ପରେ ଉତ୍ତେଜିତ ଲୋକେ ମୃତଦେହ ରଖି ଧାରଣା ଦେଇଛନ୍ତି। ସେମାନେ ମହିଳାଙ୍କର ମୃତଦେହକୁ ଔପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ରଖି କ୍ଷତିପୂରଣ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଅନୁସୟାଙ୍କୁ ଗତ ୧୫ ତାରିଖରେ ଈଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ମହିଳା ଜଣକ ଗୁରୁତର ହେବାରୁ ତାଙ୍କୁ ଔପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଏଠାରେ ଅବସ୍ଥା ସୁଧୁରି ନଥିଲା। ପରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଆଜି ମହିଳାଙ୍କର ମୃତ୍ୟୁ ଘଟିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନା ପରେ ମେଡିକାଲ ଓ ରେଡକ୍ରସର ଅଧିକାରୀ ମାନେ ଉତ୍ତେଜନା ସ୍ଥଳକୁ ପହଂଚିଥିଲେ। ମୃତ ମହିଳାଙ୍କର ପରିବାରକୁ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର